କନକ ବ୍ୟୁରୋ : ଏଣିକି ସୀମାରେ ବିଫଳ ହେବ ବେଜିଂର ସବୁ ଚାଲ୍ । ବେଇମାନ ଚୀନର ଚେହେରା ଉପରୁ ହଟିବ ପରଦା, ଡ୍ରାଗନର ଷଡଯନ୍ତ୍ର ଭଣ୍ଡୁର କରିବାକୁ ପ୍ରସ୍ତୁତ ସେନା । ବିଚଳିତ ଚୀନ ଦେଖିସାରିଲାଣି ଭାରତର ଦମ୍ । ଅଗଷ୍ଟ ୨୯/୩୦ ତାରିଖ ରାତିରେ ଲଦାଖ ସୀମାରେ ଯାହା ଘଟିଲା ତାକୁ ଦେଖିବା ପରେ ଚୀନ ବୁଝିସାରିବଣି ଯେ, ଭାରତ ବିରୋଧରେ ଷଡଯନ୍ତ୍ର ବେଜିଂକୁ ମହଙ୍ଗା ପଡିପାରେ ।
ପାଖାପାଖି ୨୦୦ ଚୀନ ସୈନିକ ଭାରତରେ ଅନୁପ୍ରବେଶ କରିବାର ଉଦ୍ଦେଶ୍ୟ ନେଇ ଆଗକୁ ବଢି ଚାଲିଥିଲେ । ହେଲେ ସୀମାରେ ମୁତୟନ ଭାରତୀୟ ସୈନିକ ସେମାନଙ୍କୁ ପଛକୁ ଫେରିଯିବା ପାଇଁ ବାଧ୍ୟ କରିଥିଲେ । ବଳ ପ୍ରୟୋଗ କରି ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାରେ ବାଧା ଦେଇଥିଲେ ।
ଚାଲନ୍ତୁ ଜାଣିବା ଅଗଷ୍ଟ ୨୯/୩୦ ତାରିଖ ରାତିରେ ପ୍ରକୃତରେ କଣ ଘଟିଥିଲା ? କେମିତି ଚୀନ ସେନା ଭାରତର ମାଟିକୁ ପଶି ଆସିବା ପାଇଁ ଉଦ୍ୟମ କଲାବେଳେ ଅଟକାଇଥିଲେ ଭାରତୀୟ ବୀର ଯବାନ ?
ଏପ୍ରିଲ, ମେ’ ମାସରେ ଚୀନ ସେନା ବାରମ୍ବାର ଭାରତୀୟ ସେନାକୁ ଚମକାଇ ଥିଲେ । ହେଲେ ଏଥର ପାଳି ଥିଲା ଭାରତୀୟ ସେନାର । ଆଉ ଅଗଷ୍ଟ ୨୯/୩୦ ତାରିଖ ରାତିରେ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ସ୍ପାଙ୍ଗୁର ଗ୍ୟାପ ଅଂଚଳରେ ଥିବା ପୋଷ୍ଟଗୁଡିକୁ ଅକ୍ତିଆର କରିଥିଲା ଭାରତୀୟ ସେନା । ଚୀନ ସେନା ଏହି ପୋଷ୍ଟଗୁଡିକୁ ନିଜର ବୋଲି ଦାବି କରୁଥିଲେ ମଧ୍ୟ ସେଠାରୁ ଚୀନ ସେନାକୁ ପଛକୁ ହଟାଇ ଦେଇଥିଲେ ଭାରତୀୟ ଯବାନ ।
କେମିତି ବିଫଳ ହେଲା ଚୀନର ଚାଲ ? ସାନି ଗଣ୍ଡଗୋଳର ଇନସାଇଡ୍ ଷ୍ଟୋରୀ ।
- ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳରେ ଥିବା ପାହାଡି ଇଲାକାକୁ ନେଇ ହେଲା ଗଣ୍ଡଗୋଳ
- ଏଲଏସିର ଏପାଖରେ ଭାରତୀୟ ସୀମା ଭିତରେ ରହିଛି ଏହି ପାହାଡି ଇଲାକା
- ଯେଉଁ ପାହାଡି ଇଲାକାରେ ଏପର୍ଯ୍ୟନ୍ତ ଚୀନ କିମ୍ବା ଭାରତୀୟ ସେନାର କବଜା ନଥିଲା
- କମାଣ୍ଡରସ୍ତରୀୟ କଥାବାର୍ତ୍ତାରେ ଏହି ଇଲାକା ପ୍ରସଙ୍ଗ ଉଠିଥିଲେ ବି ହୋଇନଥିଲା ନିଷ୍ପତ୍ତି
- ପେଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଥିବା ଏହି ପାହାଡି ଇଲାକାକୁ କବଜାକୁ ନେବାକୁ ଚାହୁଁଥିଲା ଚୀନ୍
ମିଳିଥିବା ସୂଚନା ଅନୁସାରେ ଚୀନ ସେନାର ଏଭଳି ଯୋଜନା ବାବଦରେ ଅବଗତ ହୋଇସାରିଥିଲା ଭାରତୀୟ ସେନା । ତେଣୁ କାଉଂଟର ରଣନୀତି ପାଇଁ ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଂଟ ।
- ଚୀନର ଯୋଜନାକୁ ଭଣ୍ଡୁର କରିବା ପାଇଁ ଉତ୍ତରାଖଣ୍ଡ ବିକାଶ ରେଜିମେଂଟର ବାଟାଲିୟନକୁ ଲଦାଖ ପଠାଗଲା
- ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳରେ ମୁତୟନ ହେଲେ ଉତ୍ତରାଖଣ୍ଡରୁ ଆସିଥିବା ସେନାର ବାଟାଲିୟନ
- ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳରେ ବି ମୁତୟନ ହେଲା ଟ୍ୟାଙ୍କ ଓ ପଦାଧିକ ବାହିନୀର ଗାଡି
- ଅପରେସନରେ ସାମିଲ ହେଲେ ବିକାଶ ରେଜିମେଂଟ ସହ କାମ କରିଥିବା ତିବତ୍ତୀୟ
- ସୁଯୋଗ ମିଳିବା ମାତ୍ରେ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳରେ ଥିବା ପାହାଡି ଇଲାକାକୁ ଅକ୍ତିଆର କରିନେଲା ଭାରତୀୟ ସେନା
- ଭାରତୀୟ ସେନା ପାହାଡି ଇଲାକାକୁ କବଜାକୁ ନେଇଥିବା ଜାଣି ବିଚଳିତ ହୋଇପଡିଲା ଚୀନ୍ ସେନା
- ବିଚଳିତ ହୋଇପଡିଥିବା ଚୀନ୍ ସୈନିକ ଭାରତୀୟ ମାଟିରେ ଅନୁପ୍ରବେଶ ପାଇଁ ଚଳାଇଲେ ପ୍ରୟାସ
- ହେଲେ ପାହାଡି ଇଲାକାକୁ ଭାରତୀୟ ସେନା କବଜାକୁ ନେଇଯାଇଥିବାରୁ ମଜଭୂତ ସ୍ଥିତିରେ ଥିଲେ ।
ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟ ସେନା ଚୀନ ପଟରୁ ଏହିଭଳି ପ୍ରତିକ୍ରିୟାର ଆଶଙ୍କା ରହିଥିଲା । ଆଉ ସେଥିପାଇଁ ଭାରତର ତିନି ସେନା ମିଳିତ ରଣନୀତି କରିଥିଲେ । ନୌସେନା ଏହାର ଯୁଦ୍ଧ ଯାହାଜକୁ ଦକ୍ଷିଣ ଚୀନ ସାଗରରେ ପ୍ରସ୍ତୁତ ରଖିଥିଲା । ବାୟୁସେନା ମଧ୍ୟ ସୁଖୋଇରୁ ଆରମ୍ଭ କରି ଏକାଧିକ ଲଢୁଆ ବିମାନକୁ ପ୍ରସ୍ତୁତ କରିଥିଲା । ଏବଂ ସ୍ଥଳସେନା ଟ୍ୟାଙ୍କରୁ ଆରମ୍ଭ କରି ଅନ୍ୟାନ୍ୟ ମାରଣାସ୍ତ୍ର ମୁତୟନ କରି ଅଗଷ୍ଟ ୨୯/୩୦ ରାତିରେ ଏହି ଅଂଚଳକୁ କବଜାକୁ ନେଇଥିଲା ।