ପ୍ରଥମେ FIR , ତା’ପରେ ମର୍ଡର । କ’ଣ ଥିଲା କହ୍ନେୟାଲାଲଙ୍କ ବିରୋଧରେ ପୁରା ୧୮ ଦିନର ଷଡଯନ୍ତ୍ରର କାହାଣୀ?

548

କନକ ବ୍ୟୁରୋ: ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡକୁ ନେଇ ହୁଲସ୍ତୁଲ ହେଉଛି ପୁରା ଦେଶ । ଆଜି ତାଙ୍କର ମରଶରୀର ତାଙ୍କ ବାସଭବନ ନିକଟକୁ ଆସିବା ସମୟରେ ସାରା ଇଲାକାରେ ଛାଇଥିଲେ ପୋଲିସ । ସୁରକ୍ଷା କର୍ଡନ ଭିତରେ ଆସିଥିଲା ତାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା । ଏହି ଘଟଣାର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଫାଶିରେ ଝୁଲାଇବାକୁ ଦାବି ଜୋର ଧରିଛି । ତେବେ କ’ଣ ଥିଲା ଏହି ପୁରା ଘଟଣାର ଟାଇମଲାଇନ୍?

ଉଦୟପୁର ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ତେବେ କିପରି ହୋଇଥିଲା ଏହି ଘଟଣାର ପାଇଁ ଷଡଯନ୍ତ୍ର ଏନେଇ କହ୍ନେୟାଲାଲଙ୍କ ଘର ଲୋକ ପ୍ରକାଶ କରିଛନ୍ତି । ଘର ଲୋକଙ୍କ କହିବା ମୁତାବକ, ଗୁନ୍ ପ୍ରଥମ ସପ୍ତାହରେ ଏହି ଘଟଣାର ଆରମ୍ଭ ହୋଇଥିଲା । କହ୍ନେୟାଙ୍କ ୮ ବର୍ଷର ପୁଅ ତାଙ୍କ ମୋବାଇଲରେ ଗେମ୍ ଖେଳୁଥିବାବେଳେ ପୈଗମ୍ବର ମହମ୍ମଦଙ୍କ ଉପରେ ବିଜେପି ନେତ୍ରୀ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନର ଏକ ଭିଡିଓ ଅଜାଣତରେ ପୋଷ୍ଟ ହୋଇଯାଇଥିଲା । ଏହି ଘଟଣାକୁ ନେଇ କହ୍ନେୟାଲାଲଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ ।

ଜୁନ୍ ୧୧ ତାରିଖରେ କହ୍ନେୟାଙ୍କ ପଡୋଶୀ ଥିବା ନାଜିମ୍ ତାଙ୍କ ବିରୋଧରେ ଥାନାରେ ପ୍ରଥମ ମାମଲା ଦାଏର କରିଥିଲେ । ପୋଲିସ କହ୍ନେୟାଲାଲଙ୍କୁ ଗିରଫ କଲେ ମଧ୍ୟ । ହେଲେ କୋର୍ଟରୁ ତାଙ୍କୁ ଜାମିନ ମିଳିଯାଇଥିଲା । ଏହାପରେ ଫୋନରେ ତାଙ୍କ ପାଖକୁୁ ବାରମ୍ବାର ଆସିଥିଲା ହତ୍ୟା ଧମକ । ଫଳରେ ଜୁନ୍ ୧୫ ତାରିଖରେ ନିଜ ସୁରକ୍ଷାକୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ କହ୍ନେୟା । ହେଲେ ପୋଲିସ ତାଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଇନଥିଲା ।

ପୋଲିସ ଆଗରେ କ’ଣ କହିଥିଲେ କହ୍ନେୟାଲାଲ?

ପୋଲିସ ଆଗରେ କହେନୟାଲାଲ କହିଥିଲେ ଯେ ନାଜିମ୍ ଓ ତାଙ୍କ ସହ ଅନ୍ୟ ୫ଜଣ ବ୍ୟକ୍ତି କହ୍ନେୟାଙ୍କ ଦୋକାନର ରେକି କରୁଥିଲେ । ଭୟ ଦେଖାଇ ତାଙ୍କୁ ଦୋକାନ ଖୋଲିବାକୁ ଦେଉନାହାଁନ୍ତି । ଦୋକାନ ଖୋଲିଲା ମାତ୍ରେ ତାଙ୍କୁ ମାରିଦେଇପାରନ୍ତି । ଏପରିକି ପଡୋଶୀ ଥିବା ନାଜିମ୍ କହ୍ନେୟାଲଲଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏବଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କୁ କହିଥିଲେ ଯେ, ଫଟୋରେ ଥିବା ଲୋକ ଅର୍ଥାତ୍ କହ୍ନ୍ରେୟାଙ୍କୁ ଯେଉଁଠି ଦେଖିଲେ ବା ଦୋକାନରେ ଦେଖିଲେ ମାରିଦିଅ । ତେଣୁ ନାଜିମ୍ ଙ୍କ ସମେତ ୫ଜଣ ସନ୍ଦିଗ୍ଧଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ସୁରକ୍ଷା ଦେବାକୁ ପୋଲିସରେ ଆବେଦନ କରିଥିଲେ । ହେଲେ କିଛି ଶୁଣିନଥିଲା ପୋଲିସ ।

ଏହି ଘଟଣାରେ ପୋଲିସ ନାଜିମଙ୍କୁ ଡକାଇ କହ୍ନେୟାଲାଲଙ୍କ ସହ ଆପୋଷ ବୁଝାମଣା କରାଇଥିଲା । ଏବଂ ବୁଝାମଣା ପତ୍ରରେ ଦୁଇ ପକ୍ଷର ହସ୍ତାକ୍ଷର ମଧ୍ୟ ନେଇଥିଲା । ଏହି ଆବେଦନରେ ନାଜିମ୍ କହିଥିଲା ଯେ, ଯଦିଓ ସେ କହ୍ନେୟାଲାଲଙ୍କ ବିରୋଧରେ ଏଫଆଇଆର ଦାଏର କରିଛନ୍ତି କିନ୍ତୁ ବୁଝାମଣା ପରେ ତାଙ୍କର ଆଉ କହ୍ନେୟାଲାଲଙ୍କ ସହ କିଛି ଲେଣଦେଣ ନାହିଁ । ହେଲେ ଏହି ଘଟଣାର ୬ ଦିନ ପରେ ଦୋକାନରେ ପଶି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ୩ ସଂଖ୍ୟାଲଘୁ ଯୁବକ ।

ରାଜସ୍ଥାନ ଏସଆଇଟି ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣା ତଦନ୍ତ ଚଳାଇଛି ।