ଟି-୨୦ ବିଶ୍ୱକପରେ ଭାରତ: ଥରେ ବିଜେତା, ଥରେ ରନର୍ସ ଅପ୍ । ପଢନ୍ତୁ, ଟି-୨୦ ବିଶ୍ୱକପରେ ଭାରତର କେମିତି ରହିଛି ଟ୍ରାକ୍ ରେକର୍ଡ…

105

କନକ ବ୍ୟୁରୋ:  ୫ ବର୍ଷ ପରେ ପୁଣି ଫେରିଛି ଆଇସିସି ଟି-୨୦ ବିଶ୍ୱକପ୍‌ । ୨୦୧୬ରେ ଶେଷ ଥର ପାଇଁ ଏହି ବିଶ୍ୱକପ୍‌ ଆୟୋଜିତ ହୋଇଥିଲା ବେଳେ ଏହାର ସପ୍ତମ ସଂସ୍କରଣ ଏଥର ଖେଳାଯାଉଛି। ଏହି ସଂସ୍କରଣର ଆୟୋଜକ ଭାରତ ଥିଲା। ଏହା ମଧ୍ୟ ୨୦୨୦ରେ ଆୟୋଜିତ ହେବାର ଥିଲା। ହେଲେ କରୋନା ମହାମାରୀ ପାଇଁ ଗତବର୍ଷ ଏହା ସ୍ଥଗିତ ରହିଥିଲା ବେଳେ ଚଳିତ ବର୍ଷ ଭାରତ ଏହାକୁ ୟୁଏଇ ଏବଂ ଓମାନରେ ଆୟୋଜନ କରୁଛି।

ଟି-୨୦ ବିଶ୍ବକପର ଇତହାସକୁ ଦେଖିଲେ ଆପଣ ଜାଣିପାରିବେ ଏହାର ଉଦଘାଟନୀ ସଂସ୍କରଣକୁ ୨୦୦୭ରେ ଭାରତ ଜିତିଥିଲା। ସେତେବେଳେ ମହେନ୍ଦ୍ର ସିଂହ ଧୋ‌ନି ଭାରତର ଅଧିନାୟକ ଥିଲେ। ତେବେ ଏହା ମଧ୍ୟରେ ମୋଟ ୬ ଥର ବିଶ୍ବକପ୍‌ ଖେଳାଯାଇଥିଲେ ମଧ୍ୟ ଭାରତକୁ ଆଉ ଟ୍ରଫି ମିଳିନାହିଁ। ଥରେ ବିଜେତା (୨୦୦୭) ଏବଂ ଆଉ ଥରେ ଉପବିଜେତା (୨୦୧୪) ହିଁ ଟି-୨୦ ବିଶ୍ବକପ୍‌ରେ ଭାରତର ଶ୍ରେଷ୍ଠ ସଫଳତା ହୋଇ ରହିଛି। ପୁଣି ଏବେର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଟ୍ରଫି ଜିତିବା ସ୍ବପ୍ନ ହୋଇ ରହିଯାଇଛି। କୋହଲି ମଧ୍ୟ ଚଳିତ ବିଶ୍ବକପ୍‌ ପରେ ଭାରତର ନେତୃତ୍ବ ଭାର ଛାଡ଼ିଦେବେ ବୋଲି ଘୋଷଣା କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ବିଶ୍ବକପ୍‌ କୋହଲିଙ୍କ ପାଇଁ ସ୍ମରଣୀୟ ରହିବ। ଭାରତ ଟ୍ରଫି ଜିତିବାର ଦୃଢ଼ ଦାବିଦାର ଥିଲା ବେଳେ ସ୍ବପ୍ନ ସାକାର କରିବାକୁ କୋହଲି ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ ଭାରତ ମଧ୍ୟ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳି ଚଳିତ ବିଶ୍ବକପରେ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ଆସନ୍ତୁ ଜାଣିବା, ଟି-୨୦ ବିଶ୍ବକପର ଭାରତର ଟ୍ରାକ୍ ରେକର୍ଡ…

ଭାରତ ଏପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଥିବା ଟି-୨୦ ବିଶ୍ବକପରେ ଥରେ ବିଜେତା ହୋଇଥିଲା ବେଳେ ଥରେ ଉପବିଜେତା ରହିଛି। ପୁଣି ଥରେ ମଧ୍ୟ ସେମିଫାଇନାଲ୍‌ ଖେଳିଛି। ଦଳର ବିଜୟ ପ୍ରତିଶତ ୬୩.୬ ରହିଛି। ଭାରତ ମୋଟ ୩୩ ମ୍ୟାଚ୍‌ ଖେଳିଥିଲା ବେଳେ ସେଥିରୁ ୨୧ ବିଜୟ ପାଇଛି। ୧୧ ମ୍ୟାଚ୍‌ ହାରିଥିଲା ବେଳେ ଗୋଟିଏରେ ଫଳାଫଳ ବାହାରିନି। ପୁଣି ଶେଷ ଥର ପାଇଁ ଆୟୋଜିତ ୨୦୧୬ ବିଶ୍ବକପ୍‌ ପରେ ମଧ୍ୟ ଟି-୨୦ ଆନ୍ତର୍ଜାତିକରେ ଭାରତର ସଫଳତା ଖୁବ୍‌ ଉପରେ ରହିଛି। ଏହି ସମୟ ମଧ୍ୟରେ ଭାରତ ମୋଟ ୭୨ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୪୭ରେ ବିଜୟୀ ହୋଇଛି । ୨୨ ମ୍ୟାଚ୍‌ ହାରିଥିଲା ବେଳେ ୩ ମ୍ୟାଚରୁ ଫଳାଫଳ ମିଳିନି। ମୋଟ ବିଜୟ ପ୍ରତିଶତ ୬୫.୩ ରହିଛି।

୨୦୦୭ (ବିଜେତା)

କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଥିଲା। ତେବେ ଲିଗ୍ ପର୍ଯ୍ୟାୟରେ ଭାରତ ପ୍ରଥମେ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ବୋଲ୍‌ ଆଉଟ୍‌ ଜରିଆରେ ପରାସ୍ତ କରିଥିଲା। ହେଲେ ଏହାପରେ ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌‌ରେ ନ୍ୟୁଜିଲାଣ୍ଡ ନିକଟରୁ ହାରିଯାଇଥିଲା। କିନ୍ତୁ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ଚମତ୍କାର ଫର୍ମ ବଜାୟ ରଖି ଭାରତ ସେମିଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ବିଶ୍ବକପ୍‌ ଟ୍ରଫି ତୋଳି ଧରିଥିଲା।

୨୦୦୯ (ସୁପର-୮)

ବିଜେତା ଭାରତ ପାଇଁ ଦ୍ବିତୀୟ ସଂସ୍କରଣ ନୈରାଶ୍ୟଜନକ ଥିଲା। ଇଂଲଣ୍ଡରେ ଆୟୋଜିତ ଏହି ବିଶ୍ବକପରେ ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ନିକଟରୁ ଲଗାତାର ୩ ମ୍ୟାଚ୍‌ ପରାଜୟ ପରେ ଭାରତ ସୁପର-୮ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଏହି ବିଶ୍ବକପ୍‌ରେ ଭାରତକୁ ମିଳିଥିବା ଏକମାତ୍ର ବିଜୟ ଦୁର୍ବଳ ଆୟର୍ଲାଣ୍ଡ୍‌ ବିପକ୍ଷରେ ଥିଲା। ପ୍ରଥମ ସଂସ୍କରଣରେ ଉପବିଜେତାରେ ସନ୍ତୁଷ୍ଟ ରହିଥିବା ପାକିସ୍ତାନ ଦ୍ବିତୀୟ ସଂସ୍କରଣ ବିଜେତା ହୋଇଥିଲା। ଫାଇନାଲ୍‌ରେ ଏହି ଦଳ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।

୨୦୧୦ (ସୁପର-୮)

ତୃତୀୟ ସଂସ୍କରଣରେ ଦୃଢ଼ତାର ସହ ଅଭିଯାନ ଆରମ୍ଭ କରିଥିଲା ଭାରତ। ପ୍ରଥମ ଦୁଇ ଗ୍ରୁପ୍‌ ମ୍ୟାଚରେ ଯଥାକ୍ରମେ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ହେଲେ ପୁଣି ଥରେ ଝୁଣ୍ଟି ସୁପର-୮ ପର୍ଯ୍ୟାୟରୁ ବିଦାୟ ‌ନେଇଥିଲା। ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ଆୟୋଜକ ୱେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କାଠୁ ହାରି ଯାଇଥିଲା ଭାରତ। ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ବିଜେତା ହୋଇଥିଲା।

୨୦୧୨ (ସୁପର-୮)

ପୂର୍ବ ଦୁଇ ସଂସ୍କରଣ ଭଳି ସୁପର-୮ ପର୍ଯ୍ୟାୟରୁ ମଧ୍ୟ ବିଦାୟ ନେଇଥିଲା ଭାରତ। ପ୍ରଥମ ଦୁଇ ଗ୍ରୁପ୍‌ ମ୍ୟାଚ୍‌ରେ ଯଥାକ୍ରମେ ଆଫଗାନିସ୍ତାନ ଏବଂ ଇଂଲଣ୍ଡ ବିପକ୍ଷ ବିଜୟ ସହ ଭଲ ଆରମ୍ଭ ସତ୍ତ୍ବେ ସୁପର-୮ ପର୍ଯ୍ୟାୟ ଅତିକ୍ରମ କରିପାରିନଥିଲା। ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆଠୁ ହାରିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା। ହେ‌ଲେ ତୃତୀୟ ତଥା ଚୂଡ଼ାନ୍ତ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧ ରନ୍‌ରେ ପରାସ୍ତ କରିବା ସତ୍ତ୍ବେ ସେମିଫାଇନାଲ୍‌ରୁ ବାଦ୍‌ ପଡ଼ିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୫୨ ରନ୍‌ କରିଥିଲା। ଉନ୍ନତ ରନ୍‌ ରେଟ୍‌ ଭିତ୍ତିରେ ସେମିଫାଇନାଲକୁ ଯୋଗ୍ୟତା ହାସଲ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୧ ରନ୍‌ ମଧ୍ୟରେ ଅଟକାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ଏଥିରେ ସଫଳ ‌ନହେବାରୁ ଭାରତ ବିଦାୟ ନେଇଥିଲା। ଏହି ବିଶ୍ବକପରେ ଶ୍ରୀଲଙ୍କାକୁ ଫାଇନାଲ୍‌ରେ ହରାଇ ଡାରେନ୍‌ ସାମିଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ୍‌ ବିଜେତା ହୋଇଥିଲା।

୨୦୧୪ (ଉପବିଜେତା)

ପ୍ରଥମ ସଂସ୍କରଣ ବି‌ଜେତା ପରେ ଲଗାତାର ୩ ଥର ସୁପର-୮ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତ ପଞ୍ଚମ ସଂସ୍କରଣରେ ଚମକ ଦେଖାଇଥିଲା। ବାଂଲାଦେଶରେ ଆୟୋଜିତ ଏହି ବିଶ୍ବକପରେ ଭାରତକୁ କେହି ଅଟକାଇଲା ଭଳି ଜଣାପଡୁନଥିଲା। ପାକିସ୍ତାନ, ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଷ୍ଟାଇଲ୍‌ର ସହ ଭାରତ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା। ସେପର୍ଯ୍ୟନ୍ତ ଦଳ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍‌ ହାରିନଥିଲା। ହେଲେ ଫାଇନାଲ୍‌ ବାଧା ଅତିକ୍ରମ କରିପାରିନଥିଲା। ଫାଇନାଲ୍‌ରେ ଶ୍ରୀଲଙ୍କା ନିକଟରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ମୋଟ ୬ ମ୍ୟାଚ୍‌ରୁ ୩୧୯ ରନ୍‌ କରି ବିରାଟ କୋହଲି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍‌ରେ ଭାରତ ୧୩୦ ରନ୍‌ କରିବାକୁ ସମର୍ଥ ହୋଇଥିଲା ବେଳେ କୋହଲି ଏକାକି ୭୭ ରନ୍‌ କରିଥିଲେ। ସେ ପାଳିର ଶେଷ ବଲ୍‌ରେ ହିଁ ରନଆଉଟ୍‌ ହୋଇଥିଲେ। ଶ୍ରୀଲଙ୍କା ୧୮ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରି ୬ ୱିକେଟ୍‌ର ବିଜୟ ସହ ବିଶ୍ବକପ୍‌ ଟ୍ରଫି ତୋଳି ଧରିଥିଲା।

୨୦୧୬ (ସେମିଫାଇନାଲ୍‌)

ଏହି ସଂସ୍କରଣକୁ ଭାରତ ଆୟୋଜନ କରିଥିଲା। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ହାରିବା ପରେ ଦୃଢ଼ତାର ସହ ପ୍ରତ୍ୟାବର୍ତନ କରିଥିଲା। ଏହାପରଠୁ ସବୁ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। କିନ୍ତୁ ସେମିଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌ ନିକଟରୁ ହାରିଯାଇଥିଲା। ଭାରତ ୧୯୨/୨ କରିଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ୧୯୬/୩ କରିନେଇଥିଲା। ବିରାଟ କୋହଲି କିନ୍ତୁ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ବିଜେତା ହୋଇଥିଲା।

ଭାରତ ପାଇଁ ମୁଖ୍ୟାଂଶ

  • ୨୦୦୭ ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ଏକ ମ୍ୟାଚ୍‌ ନାଟକୀୟ ଭାବେ ଟାଇ ରହିଥିଲା। ଭାରତ ୩-୦ରେ ପାକିସ୍ତାନକୁ ବୋଲ୍‌ ଆଉଟ୍‌ରେ ପରାସ୍ତ କରିଥିଲା। ହରଭଜନ ସିଂହ, ରବିନ ଉଥପ୍ପା ଏବଂ ବୀରେନ୍ଦ୍ର ସେହବାଗ ଭାରତ ପାଇଁ ସଫଳ ବୋଲର ରହିଥିଲେ।
  • ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଛକା ମାରି ବିଶ୍ବ କୀର୍ତ୍ତିମାନ ରଚିଥିଲେ। ୨୦୦୭ ବିଶ୍ବକପ୍‌ରେ ସେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ୬ ଛକା ମାରିଥିଲେ।
  • ୨୦୦୭ ପ୍ରଥମ ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଯୋଗୀନ୍ଦର ଶର୍ମା ବୋଲିଂ କରିଥିବା ଐତିହାସିକ ଅନ୍ତିମ ଓଭରରେ ୧୩ ରନ୍‌କୁ ରୋକି ଦେଇଥିଲେ। ଯାହା ଫଳରେ ଭାରତ ବିଜେତା ହୋଇଥିଲା।
  • ବିରାଟ କୋହଲି କ୍ରମାଗତ ଦୁଇ ଥର (୨୦୧୪ ଓ ୨୦୧୬) ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୧୪ରେ ୬ ମ୍ୟାଚ୍‌ରୁ ୩୧୯ ଏବଂ ୨୦୧୬ରେ ୫ ମ୍ୟାଚ୍‌ରୁ ୨୭୩ ରନ୍‌ କରି ଏହି ପୁରସ୍କାର କରାୟତ୍ତ କରିଥିଲେ। ଅବଶ୍ୟ ୨୦୧୬ରେ ବାଂଲାଦେଶର ତମିମ ଇକ୍‌ବାଲଙ୍କ ୬ ମ୍ୟାଚ୍‌ରୁ ୨୯୫ ରନ୍‌ ମୋଟ ଉପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା।