ଆସିଗଲା କି କରୋନାର ତୃତୀୟ ଲହର? ପୂର୍ବ ଲହର ତୁଳନାରେ ବଦଳୁଛି ଲକ୍ଷଣ । ଜାଣନ୍ତୁ, ନୂଆ ଲକ୍ଷଣ ସମ୍ପର୍କରେ ସବୁକିଛି…

2,298

କନକ ବ୍ୟୁରୋ: କରୋନାର ତୃତୀୟ ଲହରରେ ଲକ୍ଷଣ ବଦଳିଯାଇଛି । ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି । ତୃତୀୟ ଲହରରେ କରୋନା ହେଉଥିବା ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ  ବି ଯଥେଷ୍ଟ କମ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରଠାରୁ ଏ ଲକ୍ଷଣ ପୂରା ଅଲଗା । ଶ୍ୱାସଜନିତ ସମସ୍ୟା ବି ପୂର୍ବ ଅପେକ୍ଷା ହ୍ରାସ ପାଇଛି । ମୋଟାମୋଟି ଭାବରେ କୁହାଯାଇପାରେ ତୃତୀୟ ଲହରରେ ରୋଗୀ ଗୁରୁତର ହେବାର ଆଶଙ୍କା କମ ରହୁଛି କିନ୍ତୁ ଏ ସମ୍ପର୍କରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

ଭାରତରେ କରୋନାର ତୃତୀୟ ଲହର ଆସିଥିବା ନେଇ ସତର୍କ କରାଇଛନ୍ତି କୋଲକାତାର ବରିଷ୍ଠ ବିଶେଷଜ୍ଞ ଡାକ୍ତର । ଚିକିତ୍ସା ହେଉଥିବା ରୋଗୀଙ୍କ ତଥ୍ୟ ନେଇ କରୋନାର ନୂଆ ଲକ୍ଷଣ ସଂପର୍କରେ ଦେଶବାସୀଙ୍କୁ କରାଇଛନ୍ତି ସତର୍କ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ତୁଳନାରେ ତୃତୀୟ ଲହର ଲକ୍ଷଣରେ ବିଶେଷ ପରିବର୍ତନ ଦେଖିବାକୁ ମିଳୁଛି । ଅଧିକ ଘାତକ ହେବା ବଦଳରେ ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ।

  • ପ୍ରଥମ ଓ ଦ୍ୱିତୀୟ ଲହରରେ ରୋଗୀଙ୍କ ଠାରେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ତୃତୀୟ ଲହରରେ ୭-୮ ଦିନ ପରେ ଆଂଶିକ ଭାବେ ଏହା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି
  • ସେହିଭଳି ରୋଗୀଙ୍କ ନିକଟରେ ଥଣ୍ଡା ଓ କାଶ ଭଳି ଲକ୍ଷଣରେ ମଧ୍ୟ ଫରକ ଦେଖିବାକୁ ମିଳୁଛି । ପୂର୍ବରୁ ଶୁଖିଲା କାଶ ହେଉଥିଲା ଏବଂ ଥଣ୍ଡା ଧରୁନଥିଲା । ତେବେ ତୃତୀୟ ଲହରରେ କାଶରେ କଫ ପଡ଼ୁଛି ଓ ରୋଗୀ ଥଣ୍ଡାରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି
  • ପୂର୍ବରୁ ମଧ୍ୟମରୁ ଉଚ୍ଚ ତାପାମାତ୍ରାରେ ଜ୍ୱର ଆସୁଥିବା ବେଳେ ଏବେ ହାଲକା ଜ୍ୱର ଅନୁଭୂତ ହେଉଛି
  • ବଡ଼କଥା ହେଉଛି ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଦୁର୍ବଳ ଓ ଥକାପଣ ସମସ୍ୟା ଗୁରୁତର ହେଉଥିବା ବେଳେ ଏବେ ଏହା ସାମାନ୍ୟ ରହୁଛି ।
  • ପ୍ରଥମ ଓ ଦ୍ୱିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ରୋଗୀ ଶ୍ୱାସକ୍ରିୟା ସମସ୍ୟାର ସାମନା କରୁଥିବା ବେଳେ ଏବେ ଏହାର ସଂଖ୍ୟା ୧ ପ୍ରତିଶତରୁ କମ୍
  • ଟିକାକରଣର ପ୍ରଭାବ ତୃତୀୟ ଲହର ବେଳେ ଅନୁଭୂତ  ହେଉଥିବା ଦେଖିବାକୁ ମିଳୁଛି, ପୂର୍ବରୁ ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଥବବା ବେଳେ ଏବେ ଏହି ସଂଖ୍ୟା ୧ ପ୍ରତିଶତରୁ କମ୍ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର

           ଲକ୍ଷଣ                ପ୍ରଥମ ଓ ଦ୍ୱିତୀୟ ଲହର                    ତୃତୀୟ ଲହର

  • ସ୍ୱାଦ/ବାସ୍ନା              ସଂପୂର୍ଣ୍ଣ ଚାଲି ଯାଉଥିଲା           ୭-୮ ଦିନ ପରେ ଆଂଶିକ ହ୍ରାସ
  • ଥଣ୍ଡା/କାଶ            ଶୁଖିଲା କାଶ, ଥଣ୍ଡା ଧରେନି         କାଶରେ କଫ ଓ ଥଣ୍ଡା ଧରିବା
  • ଜ୍ୱର                       ମଧ୍ୟମରୁ ଅଧିକ ତାପମାତ୍ରା            ହାଲକା ଜ୍ୱର
  • ଦୁର୍ବଳ/ଥକାପଣ            ଗୁରୁତର                                 ସାମାନ୍ୟ
  • ଶ୍ୱାସକ୍ରିୟା ସମସ୍ୟା       ୧୦-୧୫ ପ୍ରତିଶତ ରୋଗୀ        ୧ ପ୍ରତିଶତରୁ କମ୍ ରୋଗୀ
  • ଡାକ୍ତରଖାନାରେ ଭର୍ତ୍ତି      ୧୦ ପ୍ରତିଶତ ରୋଗୀ               ୧ ପ୍ରତିଶତରୁ କମ୍ ରୋଗୀ

ଦେଶରେ ଏବେ କରୋନା ସଂକ୍ରମଣର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଦୁଇଟି ଡୋଜ୍ ନେଉଥିବା ଲୋକ ଗୁରୁତର ହେଉନାହାନ୍ତି । ଯେହେତୁ ଶୀତଦିନରେ ଥଣ୍ଡା ଓ କାଶ ଏକ ସାଧାରଣ ସମସ୍ୟା, ତଥାପି ଏହାକୁ ସାଧାରଣ ଥଣ୍ଡାକାଶ ବୋଲି ନଭାବି କରୋନା ପରୀକ୍ଷା କରାଇନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।