୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ପଢନ୍ତୁ, ସ୍ୱୟଂସେବକରୁ କେମିତି ବନିଥିଲେ ଦେଶର ପ୍ରଧାନ ସେବକ...

Advertisment
୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ପଢନ୍ତୁ, ସ୍ୱୟଂସେବକରୁ କେମିତି ବନିଥିଲେ ଦେଶର ପ୍ରଧାନ ସେବକ...

କନକ ବ୍ୟୁରୋ: ନରେନ୍ଦ୍ର ଦାମଦୋର ଦାସ ମୋଦୀ, ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ସେ ହେଉଛନ୍ତି ଜଣେ ଲୋକପ୍ରିୟ ଜନନେତା। ନିଜର ବଳିଷ୍ଠ ବକ୍ତିତ୍ୱ, ଚିନ୍ତାଧାରା ଓ ନେତୃତ୍ୱ ନେବାର କୌଶଳ ତାଙ୍କୁ ଭାରତୀୟଙ୍କ ମଧ୍ୟରେ ଲୋକପ୍ରିୟ କରିପାରିଛି । ତେଣୁ ଭାରତୀୟ ଭୋଟରମାନେ ତାଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସାଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ରୁ ସୃଷ୍ଟି ହୋଇଥିବା ମୋଦୀ ଭାରତର ପ୍ରଧାନସେବକ ଭାବେ ନିଜକୁ ତୁଳନା କରିଥାନ୍ତି । ଆରଏସଏସରୁ ଗ୍ରହଣ କରିଥିବା ଶିକ୍ଷାକୁ ନେଇ ସେ ଆଜି ଦେଶର ସେବା କରୁଛନ୍ତି ବୋଲି ମୋଦୀ ଅନେକ ଥର ବିଭିନ୍ନ ବୈଠକରେ କହିସାରିଛନ୍ତି ।

୧୭ ବର୍ଷରେ ହୋଇଥିଲେ ସ୍ୱୟଂସେବକ

ମୋଦୀଙ୍କର ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟରେ ହୋଇଥିଲା । ଏହାପରେ ସେ ବଡ଼ନଗରରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ସହ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସ୍କୁଲ ଜୀବନରେ ଅତି ସାଧାରଣ ଦେଖାଯାଉଥିବା ସେହି ଛାତ୍ରଜଣକ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ ବୋଲି କେହି ଚିନ୍ତାମଧ୍ୟ କରିନଥିବେ ।

ପିଲାବେଳୁ ମୋଦୀଙ୍କର ଆରଏସ୍ଏସ୍ ପ୍ରତି ଦୁର୍ବଳତା ଥିଲା । ସେ ସମୟରେ ଗୁଜରାଟରେ ମଧ୍ୟ ନୂଆକରି ଆରଏସଏସର ଶାଖାମାନ ଖୋଲୁଥିଲା । ତେଣୁ ସେ ୧୯୬୭ ମସିହାରେ ମାତ୍ର ୧୭ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇଥିଲେ । ଏହାପରେ ପରେ ସେ ୧୯୭୪ରେ ନବ ନିର୍ମାଣ ଆନ୍ଦୋଳନରେ ସାମିଲ ହୋଇଗଲେ । ରାଜନୀତିକୁ ଆସିବା ପୂର୍ବରୁ ମୋଦୀ ବହୁ ବର୍ଷ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ରହିଥିଲେ । ମୋଦୀ କୁହନ୍ତି ଯେ, ଆରଏସଏସରେ ରହିବା ସମୟରେ ସେ ସମସ୍ତଙ୍କ ପାଇଁ ଚା’ ଆଉ ଜଳଖିଆ ପ୍ରସ୍ତୁତ କରୁଥିଲେ । ଏଥିସହ ସଂଘର ବିଭିନ୍ନ କାମ କରିବା ସହ ଝାଡୁ କରିବା, ପରିବେଶ ସଫା ରଖିବା ଆଦି ତାଙ୍କର ଦୈନନ୍ଦିନ କାମ ଥିଲା ।

୧୯୮୫  ମସିହାରେ ନରେନ୍ଦ୍ର ମୋଦୀ ବିଜେପିରେ ସାମିଲ ହୋଇଯାଇଥିଲେ। ୧୯୯୫  ମସିହାରେ ତାଙ୍କ ନେତୃତ୍ୱ ନେବାର କୌଶଳ ଦେଖି ତାଙ୍କୁ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ସେ ମଧ୍ୟ ନିଷ୍ଠାର ସହ ଏହି ପଦରେ ୨୦୦୧ ପର୍ଯ୍ୟନ୍ତ ରହିଥିଲେ ।

ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋଦୀ

୨୦୦୧  ମସିହାରେ କେଶୁଭାଇ ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ନରେନ୍ଦ୍ର ମୋଦୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଅନେକ ବାଦ ବିବାଦ ଭିତରେ ମଧ୍ୟ ସେ ଗୁଜରାଟ ଭୋଟରଙ୍କ ମନ ଜିଣିବାରେ ସଫଳ ହୋଇଥିଲେ। ଯେଉଁ କାରଣରୁ ସେ ଲଗାତାର ହାଟ୍ରିକ ବିଜୟ ସହ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

୨୦୧୪, ୨୦୧୯ରେ ଐତିହାସିକ ବିଜୟ - ମୋଦୀ ପ୍ରଧାନମନ୍ତ୍ରୀ

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ବିଜୟ ହାସଲ କରିବା ପରେ ମୋଦୀଙ୍କୁ ୨୦୧୪  ଲୋକସଭା ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। ମୋଦୀ ମଧ୍ୟ ବିକାଶର ନାରା ଦେଇ ସଂସଦରେ ପୂର୍ଣ୍ଣସଂଖ୍ୟା ଗରିଷ୍ଠତାର ସରକାର ଗଠନ କରିଥିଲେ। ୫ ବର୍ଷ ଧରି ସଫଳତାର ସହ ସରକାର ଚଲାଇବା ପରେ ୨୦୧୯ରେ ସେ ପୁଣିଥରେ ଦମଦାର ବିଜୟ ସହ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ। ଲୋକସଭା ନିର୍ବାଚନରେ ଜିତିବା ପରେ ସେ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ବରଂ ପ୍ରଧାନସେବକ ଭାବେ ତୁଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe