ଆକ୍ରମଣକାରୀଙ୍କ ପାଇଁ ଅଭେଦ୍ୟ ଦୁର୍ଗ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଜାଣନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ କେମିତି ସୁରକ୍ଷା ଦିଅନ୍ତି ଏସିପିଜି କମାଣ୍ଡୋ?

256

କନକ ବ୍ୟୁରୋ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ୨୦ ମିନିଟ୍ ପାଇଁ ଓଭରବ୍ରିଜ୍ ଉପରେ ଅଟକି ରହିବା ପରେ ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେପି ନେତାମାନେ ଏହାକୁ ନେଇ ପଞ୍ଜାବ ସରକାରକୁ ଟାର୍ଗେଟ କରୁଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଙ୍ଘାତିକ ଭୁଲ୍ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ, ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରୁ ଜୀବନ ନେଇ ଫେରିଥିବା କଥା ମଧ୍ୟ କହିଛନ୍ତି । ଏପରି ସମୟରେ ଆସନ୍ତୁ ଜାଣିବା ଆମ ଦେଶର ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଗସ୍ତ କଲାବେଳେ, କେମିତି ରହିଥାଏ ସୁରକ୍ଷା ବ୍ୟବସ୍ଥା…

ଏସପିଜି ସୁରକ୍ଷା

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ସ୍ପେଶାଲ ପ୍ରଟେକ୍ସନ୍ ଗ୍ରୁପ୍ ଉପରେ ନ୍ୟସ୍ତ ରହିଛି ଯାହାକୁ ଏସପିଜି ସୁରକ୍ଷା ବୋଲି ମଧ୍ୟ କୁହାଯାଏ । ଏହି ଏସପିଜି କମାଣ୍ଡମାନେ ଦୁର୍ଗ ଭଳି ରହି ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କରିଥାନ୍ତି । ତେବେ ଏହି ଏସପିଜିର ଗଠନ ୧୯୮୮ ମସିହାରେ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ପେଶାଲ କାର୍ 

ସେହିପରି ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା କାର୍ କୌଣସି ଅଭେଦ୍ୟ ଦୁର୍ଗଠାରୁ କମ୍ ନୁହେଁ । ବିଶେଷକରି ପ୍ରଧାନମନ୍ତ୍ରୀ ରେଞ୍ଜରୋଭର, ମର୍ସିଡିଜ୍, ବିଏମଡବ୍ଲ୍ୟୁ ୭୬୦ ଏଲଆଇ କାର୍ ବ୍ୟବହାର କରିଥାନ୍ତି । ନିକଟରେ ଏହି ଲିଷ୍ଟରେ ମର୍ସିଡିଜ୍ ଲିମୋଜିନ୍ କାର୍ ମଧ୍ୟ ସାମିଲ ହୋଇଛି । Mercedes Maybach S650 Guard ମଧ୍ୟ ମୋଦୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଏକ କାର । ଯେଉଁଥିରେ ଭିଆର-୧୦ ସ୍ତରର ସୁରକ୍ଷା ରହିଛି ।

ଏହି କାରକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ ଭାବେ ନିର୍ମାଣ କରାଯାଇଛି । ଏହାର ବଡି ଏକ ବିଶେଷ ଧାତୁରେ ନିର୍ମାଣ କରାଯାଇଥିବାବେଳେ, ଏହା ଏହି କାରକୁ ଏକ ଅଭେଦ୍ୟ ଦୁର୍ଗ ଭାବେ ଗଢି ତୋଳିଥାଏ । ଖାଲି ସେତିକି ନୁହେଁ ୨ ମିଟର ଦୂରରୁ ବି ଏହି କାର୍ ଉପରକୁ ଆକ୍ରମଣକାରୀମାନେ ଆକ୍ରମଣ କଲେ ଏହାର କୌଣସି ବି ପ୍ରଭାବ କାର ଭିତରେ ବସିଥିବା ଲୋକ ଉପରେ ପଡିନଥାଏ ।

ଯଦି ବି କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ ଉପରକୁ ଗ୍ୟାସ୍ ଆଟାକ୍ କରେ । ତେବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର କୌଣସି ଅସୁବିଧା ହେବ ନାହିଁ । ସେହି ସମୟରେ ଏହି କାର୍ ଏକ ଗ୍ୟାସ୍ ସେଫ୍ କ୍ୟାବିନ୍ ଭଳି କାମ କରିବ । ତା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ପରେ ଏହି କାର୍ ଭିତରେ ଅକ୍ସିଜେନ୍ ମଧ୍ୟ ମହଜୁଦ୍ ଅଛି । ଏତଦବ୍ୟତୀତ ଏହି କାରର ପ୍ରତିଟି କାଚ ବୁଲେଟ୍ ପ୍ରୁଫ୍ । କୌଣସି ଗୁଳିକୁ ବି ଏହି ବୁଲେଟ୍ ପ୍ରୁଫ୍ କାଚ୍ ମାତ୍ ଦେଇପାରେ ।

ସାଙ୍ଗରେ ଚାଲିଥାଏ ଡମି କାର୍

ପ୍ରଧାନମନ୍ତ୍ରୀଙ୍କ କାରକେଡରେ ସେ ବସିଥିବା କାର ଭଳି ଅବିକଳ ନକଲ କାରଟିଏ ମଧ୍ୟ ସାଙ୍ଗରେ ରହିଥାଏ । ଫଳରେ ଆକ୍ରମଣକାରୀ କେଉଁ ଗାଡି ଉପରେ ଆକ୍ରମଣ କରିବେ ତାହା ଜାଣିବା ବେଶ୍ ମୁସ୍କିଲ ହୋଇଥାଏ । ତା ସହିତ କାରକେଡରେ ଏମିତି ଏକ ଗାଡି ରହିଥାଏ, ଯେଉଁଥିରେ ଅନେକ ଆଣ୍ଟିନା ଲାଗିଥାଏ । ଏହି ଆଣ୍ଟିନା କାରକେଡର ୧୦୦ ମିଟର ଭିତରେ ଥିବା ସମସ୍ତ ପ୍ରକାର ବିସ୍ଫୋଟକକୁ ଡିଫ୍ୟୁଜ୍ କରିବାରେ ସିଦ୍ଧହସ୍ତ ।

୭ ଘଣ୍ଟା ପୂର୍ବରୁ ସ୍ଥିର ହୁଏ ରୁଟ୍

ଯେତେବେଳେ ପ୍ରଧାନମନ୍ତ୍ରୀ ଅନ୍ୟ ରାଜ୍ୟ ଗସ୍ତରେ ଯାଇଥାନ୍ତି ସେତେବେଳେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୭ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରୁଟ୍ ସ୍ଥିର ହୋଇଥାଏ । ଏହାସହ ସହ ଏକ ବିକଳ୍ପ ରାସ୍ତା ମଧ୍ୟ ଚୟନ କରାଯାଇଥାଏ । ତା ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରକ୍ଷିତ କରିବାକୁ ଏହାର ଅନେକ ଥର ରିହର୍ସଲ ମଧ୍ୟ ହୋଇଥାଏ । ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି, ସେହି ରାସ୍ତାକୁ ୪ରୁ ୫ ଘଣ୍ଟା ପୂର୍ବରୁ ପୋଲିସ ଅଫିସରମାନେ ଜଗିଥାନ୍ତି । ୧୦ରୁ ୧୫ ମିନିଟ୍ ପୂର୍ବରୁ ସେହି ରାସ୍ତାରେ ସାଧାରଣ ଲୋକଙ୍କ ଯିବା ଆସିବା ମଧ୍ୟ ବାରଣ କରିଦିଆଯାଇଥାଏ ।

ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଏସପିଜି କମାଣ୍ଡମାନେ ସୁରକ୍ଷା ପ୍ରଦାନ କରିଥାନ୍ତିା ତା ସହିତ ସ୍ଥାନୀୟ ପୋଲିସ ଏହି କାରକେଡକୁ ରାସ୍ତା ଦେଖାଇଥାଏ । ତେବେ ମୁଖ୍ୟ ରାସ୍ତାରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ବିକଳ୍ପ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ସହକାରେ ନିଆଯାଇଥାଏ । ତେବେ ଅନ୍ୟ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଗଲେ ପ୍ରାୟ ୩ରୁ ୪ ଦିନ ପୂର୍ବରୁ ଏହାର ସମସ୍ତ ପ୍ଲାନିଂ ହୋଇଥାଏ ।