କନକ ବ୍ୟୁରୋ: ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିବେ ଲକ୍ଷଲକ୍ଷ ଭକ୍ତ। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ। ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି। ଆବଶ୍ୟକ ପଡିଲେ ଶ୍ରୀମାର୍ଗକୁ ବ୍ୟବହାର କରାଯିବ। ଅଧିକ ଭିଡ଼ ହେଲେ, ଆବଶ୍ୟକସ୍ଥଳେ ଲୋକଙ୍କୁ ବାହାର କରିବା ପାଇଁ ସିଲ ହୋଇଥିବା ରାସ୍ତାକୁ ଖୋଲାଯାଇପାରେ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର।
ପାର୍କିଂ ରୁଟ୍:
(ରୁଟ୍-୧) ସୁନାବେଶ ପାଇଁ ପୁରୀକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୁଟ୍ ପ୍ଲାନ୍ । ଭୁବନେଶ୍ୱର ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଉତ୍ତରା, ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଦେଇ ତାଳବଣିଆ ଅଭିମୁଖେ ଯିବେ । ବାଇଦାସ ନଗର, ଗ୍ରୀଡ୍ ଷ୍ଟେସନ, ଭୁଦାନ ଛକ ଦେଇ ଇଣ୍ଡୋର ଷ୍ଟାଡିୟମ୍ ପାର୍କିଂ, ଆଇଟିଆଇ ପାର୍କିଂ, ହେଲିପ୍ୟାଡ୍ ପାର୍କିଂ, ୟୁନିଭରସିଟି ପାର୍କିଂରେ ନିଜ ଗାଡି ରଖିବେ ।
(ରୁଟ୍-୨) ସେହିପରି ବ୍ରହ୍ମଗିରିପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ମଙ୍ଗଳାଘାଟ ଛକରୁ ଡାଇଭର୍ଟ ହୋଇ ଯାତ୍ରୀ ପାର୍କିଂ ସ୍ଥଳକୁ ଯିବେ ।
(ରୁଟ୍-୩) ସେହିପରି ଭୁବନେଶ୍ୱରରୁ ଆସୁଥିବା ପାସଧାରୀ ଚାରିଚକିଆ ଯାନଗୁଡିକ ଉତ୍ତରା, ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଦେଇ ବାଟଗାଁରୁ ରୁଟ୍ ବଦଳାଇ ଶ୍ରୀସେତୁ ଦେଇ ଜେବିପିସି ପାର୍କିଂରେ ରହିବେ । ଏହି ପାର୍କିଂ ଫୁଲ ହୋଇଗଲେ, ଷ୍ଟେରଲିନ୍ ଛକ ଦେଇ ଗଦାଧର ହାଇସ୍କୁଲ ପାର୍କିଂରେ ଗାଡି ପାର୍କ କରିବେ ।
ବସ୍ ପାର୍କିଂ ରୁଟ୍ :
(ରୁଟ୍-୧) ଭୁବନେଶ୍ୱର ପଟୁ ଆସୁଥିବା ବସଗୁଡିକ ଉତ୍ତରା, ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର, ବାଇଦାସନଗର, ଗ୍ରୀଡ୍ ଷ୍ଟେସନ ଓ ଭୁଦାନ ଛକ ଦେଇ ତାଳବଣିଆରେ ଅସ୍ଥାୟୀ ପାର୍କିଂରେ ରହିବେ ।
(ରୁଟ୍-୨) ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ବସଗୁଡିକ ମଙ୍ଗଳାଘାଟ ଛକ ଦେଇ ବାଟଗାଁରୁ ରୁଟ୍ ବଦଳାଇ ମାଳତୀପାଟପୁର, ବାଇଦାସନଗର, ଗ୍ରୀଡ୍ ଷ୍ଟେସନ ଓ ଭୁଦାନ ଛକ ଦେଇ ତାଳବଣିଆରେ ଅସ୍ଥାୟୀ ପାର୍କିଂରେ ରହିବେ ।
ବାଇକ୍ ପାର୍କିଂ ରୁଟ୍
(ରୁଟ୍-୧) ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଦୁଇଚକିଆ ଯାନଗୁଡିକ ଉତ୍ତରା, ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର, ବାଟଗାଁ ଦେଇ ପୁରୁଣା ଜେବିପିସି ପାର୍କିଂରେ ରହିବେ ।
(ରୁଟ୍-୨) ସେହିପରି କୋଣାର୍କ ପଟୁ ଆସୁଥିବା ଦୁଇଚକିଆ ଯାନଗୁଡିକ ବାଇଦାସନଗର, ଗ୍ରୀଡ୍ ଷ୍ଟେସନ୍, ସିଟି ରୋଡ୍ ଏବଂ ସୁବାଷବୋଷ ଛକ ଦେଇ ବ୍ଲୁ ଫ୍ଲାଗ୍ ବିଚ୍, ହୋଟେଲ୍ ନୀଳାଚଳ ଅଶୋକ, ହୋଲିଡେ ରିସର୍ଟର ପଛପଟେ ପାର୍କିଂ କରିବେ ।