କନକ ବ୍ୟୁରୋ: ଅନେକ ବାଦ ବିବାଦ, ତାରିଖ ପରେ ତାରିଖ ଘୁଞ୍ଚିବା ପରେ ଶେଷରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଛି ଜାମିନ୍ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି କିନ୍ତୁ ଶାହାରୁଖଙ୍କ ପୁଅକୁ ଜେଲରେ ରହିବାକୁ ପଡିବ । ଆସନ୍ତାକାଲି ସେ ଜେଲରୁ ମୁକୁଳିବା ନେଇ ଖବର ମିଳୁଛି । ଆରୟନ ଖାନଙ୍କୁ ଜାମିନ୍ ମିଳିଥିଲେ ବି, କୋର୍ଟ ଆସନ୍ତାକାଲି ବେଲ୍ ଡିଟେଲ୍ସ ଅର୍ଡର ଜାରି କରିବେ । ତେଣୁ ଆସନ୍ତାକାଲି ଆରୟନ୍ ‘ମନ୍ନତ’କୁ ଫେରିବେ ବୋଲି ଆଶା କରାଯାଉଛି ।

Advertisment

ତେବେ ଏହା ପୂର୍ବରୁ ଅକ୍ଟୋବର ୨୬ ତାରିଖରେ ବମ୍ବେ ହାଇକୋର୍ଟ ଆରୟନଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ । ଏହି ସମୟରେ ଆରୟନ ଖାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସିନିୟର ଆଡଭୋକେଟ୍ ମୁକୁଲ ରୋହତଗୀ ନିଜର ପକ୍ଷ ରଖିଥିଲେ । ଏହାପରେ ଅରବାଜ ମର୍ଚାଣ୍ଟଙ୍କ ଆଡଭୋକେଟ୍ ଅମିତ୍ ଦେଶାଇ ମଧ୍ୟ ହାଇକୋର୍ଟଙ୍କ ଆଗରେ ନିଜର ପକ୍ଷ ରଖିିଥିଲେ । ଏହାପରେ ଏନସିବି ପକ୍ଷରୁ ଆଡିସିନାଲ୍ ସଲିସିଟର ଜେନେରାଲ ଅନିଲ ସିଂ ନିଜର ପକ୍ଷ ରଖିବାକୁ ଥିଲା । ହେଲେ ସମୟ ଅଭାବ ହେତୁ ଏହାକୁ ଆଗାମୀ ଦିନକୁ ଘୁଞ୍ଚାଇ ଦିଆଯାଇଥିଲା । ୨୭ ତାରିଖରେ ଏହି ଆବେଦନର ପୁଣି ଶୁଣାଣି ହୋଇଥିଲା, ଏହାପରେ କୋର୍ଟ ଆଜି ପୁଣି ଏହି ଆବେଦନର ଶୁଣାଣି କରିବା ସହିତ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

ନଜର ପକାନ୍ତୁ, ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ...

  • ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ସିପ ଉପରେ ଏନସିବିର ଏକ ଟିମ୍ ରେଡ୍ କରିଥିଲା । ଯେଉଁଥିରେ ଏନସିବି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚା ସମେତ ଆଠ ଜଣ ଲୋକଙ୍କ ନିଜ ହେପାଜତକୁ ନେଇଥିଲା । ଏନସିବିର ଅଧିକାରୀଙ୍କ କହିବା ମୁତାବକ ଏହି ଲୋକମାନେ ସିପରେ ଡ୍ରଗ୍ସ ନେବା ସହିତ ଏହାର କିଣା ବିକା ମଧ୍ୟ କରୁଥିଲେ ।
  • ଅକ୍ଟୋବର ୩ ତାରିଖରେ ଏହି ମାମଲାରେ ଏନସିବି ଆରୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କୁ ଗିରଫ କରିଥିଲା । ଗିରଫ ପରେ ଏହି ତିନି ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇ ଦିଆଯାଇଥିଲା ।
  • ଅକ୍ଟୋବର ୪ ତାରିଖରେ ଆରୟନଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା । ଏନସିବି ତରଫରୁ ଓକିଲ ଅନୀଲ ସିଂହ କୋର୍ଟରେ ସବୁ ଅଭିଯୁକ୍ତଙ୍କୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ଆରୟନଙ୍କ ଫୋନରୁ କିଛି ଏଭଳି ଲିଙ୍କ୍ ମିଳିଛି, ଯାହାକି ଏହି ଡ୍ରଗ୍ସ କେସରେ ଇଣ୍ଟରନ୍ୟାସନାଲ ରାକେଟ ସାମିଲ ଥିବା ସୂଚନା ଦେଉଛି । ତେଣୁ ଆରୟନଙ୍କୁ ରିମାଣ୍ଡରେ ନେବାକୁ ସେ କୋର୍ଟଙ୍କ ପାଖରେ ନିବେଦନ କରିଥିଲେ । ଏହାପରେ କୋର୍ଟ ଏହି ଘଟଣାରେ ନିଜର ରାୟ ଶୁଣାଇବା ସହିତ ଏହି ଘଟଣାର ଯାଞ୍ଚ ଜରୁରୀ ବୋଲି କହିଥିଲେ । ଏହାପରେ ଆରୋପୀମାନଙ୍କୁ ଅକ୍ଟୋବର ୭ ତାରିଖ ଯାଏଁ ଏନସିବି ରିମାଣ୍ଡରେ ନେଇଥିଲା ।
  • ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏନସିିବି ରିମାଣ୍ଡରେ ରହିବା ପରେ ଆରୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ତାଙ୍କୁ ପୁଣି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
  • ଅକ୍ଟୋବର ୮ ତାରିଖରେ ଆରୟନ ଖାନଙ୍କୁ ଜାମିନ୍ ଆବେଦନ ନେଇ ଶୁଣାଣି ଆରମ୍ଭ ହୋଇଥିଲା । କୋର୍ଟ କହିଥିଲେ, ଏହି ମାମଲାର ଶୁଣାଣି ସ୍ପେଶାଲ ଏନଡିପିଏସ୍ କୋର୍ଟରେ ହେବ । ଯାହା ପରେ ଆରୟନ ଖାନ ସମେତ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲକୁ ସ୍ଥାନାନ୍ତର କରିଦିଆଯାଇଥିଲା ।
  • ଅକ୍ଟୋବର ୧୧ ତାରିଖରେ ଏହି ମାମଲା ସେସନ୍ କୋର୍ଟରେ ପହଞ୍ଚିଥିଲା । ଯେଉଁଠି ଆଡିସିନାଲ୍ ସେସନ୍ ଜର୍ଜ ବିବି ପାଟିଲ ଏହି ଜାମିନ୍ ଆବେଦନର ଶୁଣାଣି ପାଇଁ ଅକ୍ଟୋବର ୧୩ ତାରିଖ ଧାର୍ଯ୍ୟ କରିଥିଲେ ।
  • ଅକ୍ଟୋବର ୧୩ ତାରିଖରେ ଜାମିନ୍ ଆବେଦନ ନେଇ ସମ୍ପୂର୍ଣ୍ଣ ଯୁକ୍ତି କୋର୍ଟଙ୍କ  ପାଖରେ ରଖାଯାଇପାରିନଥିଲା । ତେଣୁ କୋର୍ଟ ଏହି ଶୁଣାଣିକୁ ଆଗାମୀ ଦିନକୁ ଘୁଞ୍ଚାଇ ଦେଇଥିଲେ ।
  • ଅକ୍ଟୋବର ୧୪ ତାରିଖରେ ମଧ୍ୟ କୋର୍ଟ ଆରୟନଙ୍କୁ ଜାମିନ୍ ଦେଇନଥିଲା । ଜଜ୍ ପାଟିଲ କହିଥିଲେ ସେ ତାଙ୍କର ରାୟ ଆସନ୍ତା ଅକ୍ଟୋବର ୨୦ ତାରିଖରେ ଶୁଣାଇବେ ।
  • ଅକ୍ଟୋବର ୨୦ ତାରିଖରେ ମୁମ୍ବାଇ ସେସନ୍ କୋର୍ଟ ଆରୟନ ଖାନଙ୍କୁ ବେଲ ଦେବାକୁ ମନା କରିଦେଇଥିଲେ ।
  • ଏହାପରେ ଏହି ମାମଲା ବମ୍ବେ ହାଇକୋର୍ଟକୁ ଯିବା ସହିତ ଶେଷରେ ଅକ୍ଟୋବର ୨୮ ତାରିଖ ଅର୍ଥାତ ଆଜି ଆରୟନ ଖାନଙ୍କୁ ଜାମିନ୍ ମିଳିଛି ।