ୟୁପିକୁ ମୋଦୀଙ୍କ ବଡ ଉପହାର । ଭାରତରେ ଏସିଆର ସବୁଠୁ ବଡ ଏୟାରପୋର୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।

555

କନକ ବ୍ୟୁରୋ: ଦେଶର ସବୁଠୁ ବଡ଼ ବିମାନ ବନ୍ଦରର ହେଲା ଶିଳାନ୍ୟାସ । ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବ । ଏହି ବିମାନ ବନ୍ଦର ପାଇଁ ଯୋଗୀ ସରକାର ୫ ହଜାର ୮୪୫ ହେକ୍ଟର ଜମି ଦେଇଛନ୍ତି ।

ଯୋଗୀ ସରକାର ଏହାକୁ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ ବୋଲି କହିଛନ୍ତି । ଏହା ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ବିମାନ ବନ୍ଦର । ଏହି ଏୟାରପୋର୍ଟରେ ହେବାକୁ ଥିବା କାର୍ଗୋ ଟର୍ମିନାଲର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ । ଏହାକୁ ବୃଦ୍ଧି କରି ୮୦ ଲକ୍ଷ ମେଟ୍ରିକ୍ ଟନ୍ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ଏହା ଏକ ଡ୍ରିମ୍ ପ୍ରୋଜେକ୍ଟ । ଏହି ଏୟାରପୋର୍ଟରେ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ।

୬ଟି ରନୱେ , ପାଖାପାଖି ୩୦ ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଏୟାରପୋର୍ଟ ଏସିଆର ସର୍ବବୃହତ ଏୟାରପୋର୍ଟ ଭାବେ ରେକର୍ଡ କରିବ । ସେହିପରି ବିଶ୍ୱର ଚତୁର୍ଥ ବୃହତ ଏୟାରପୋର୍ଟ ହେବ ଏହି ବିମାନବନ୍ଦର । ଅନ୍ୟପଟେ ବର୍ଷକୁ ପ୍ରାୟ ୭ କୋଟି ଲୋକଙ୍କୁ ସେବା ଯୋଗାଇ ଜେୱର ବା ନୋଏଡା ଇଣ୍ଟରନ୍ୟାସନାଲ ବିମାନବନ୍ଦର ।

ନଜର ପକାନ୍ତୁ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର କିଛି ତଥ୍ୟ ଉପରେ…

• ଏହି ଏୟାରପୋର୍ଟର ଶିଳାନ୍ୟାସ ପରେ ୟୁପି ପ୍ରଥମ ରାଜ୍ୟ ହୋଇପାରିଛି, ଯେଉଁଠି ୫ଟି ଇଂଟରନ୍ୟାସନାଲ ଏୟାରପୋର୍ଟ ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପି ଜନତାଙ୍କୁ କୁଶୀନଗର ଇଂଟରନ୍ୟାସନାଲ ଏୟାରପୋର୍ଟ ଭେଟି ଦେଇଥିଲେ । ଏପଟେ ଅଯୋଧ୍ୟାରେ ମଧ୍ୟ ଇଂଟରନ୍ୟାସନାଲ ଏୟାରପୋର୍ଟ ନିର୍ମାଣ କାମ ଚାଲୁରହିଛି ।

• ନୋଏଡା ଇଂଟରନ୍ୟାସନାଲ ଏୟାରପୋର୍ଟ ଆଧୁନିକ ଜ୍ଞାନକୌଶଳକୁ ନେଇ ନିର୍ମାଣ କରାଯାଉଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୨ଟି ରନୱେ ନିର୍ମାଣ ହେବାକୁ ଥିବାବେଳେ, ପରେ ପରେ ସର୍ବମୋଟ ୬ଟି ରନୱେ ନିର୍ମାଣ ହେବ ।

• ଏହି ଏୟାରପୋର୍ଟ ଦେଶର ପ୍ରଥମ ଫଷ୍ଟ ନେଟ୍ ଜିରୋ ଏମିସନ୍ ଏୟାରପୋର୍ଟ ହେବ । ଅର୍ଥାତ୍ ଏହା ଦେଶର ପ୍ରଥମ ପ୍ରଦୁଷଣ ମୁକ୍ତ ଏୟାରପୋର୍ଟ ହେବାର ଗୌରବ ଅର୍ଜନ କରିବ । ଯେଉଁଠି ଯାତ୍ରୀମାନେ ସମସ୍ତ ପ୍ରକାରର ଲଗଜୁରୀ ସୁବିଧା ପାଇପାରିବେ ।

• ଏହି ଏୟାରପୋର୍ଟ ୭୨୦୦ ଏକର ଅଂଚଳରେ ନିର୍ମାଣ ହେବାକୁ ଥିବାବେେ. ୨୦୨୪ ସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହେବ ।

• ଏହି ବିମାନବନ୍ଦରର ନିର୍ମାଣ କାମ ସରିବା ପରେ ଦିଲ୍ଲୀ-ଏନସିଆର ଅଂଚଳରେ ରହୁଥିବା ଲୋକମାନେ ବେଶ ଉପକୃତ ହୋଇପାରିବେ । ତା ସହିତ ଦିଲ୍ଲୀରେ ଥିବା ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରୁ ମଧ୍ୟ ଚାପ ବେଶ କମିଯିବ ।

• ଖାଲି ସେତିକି ନୁହେଁ, ଜେୱର ଏୟାରପୋର୍ଟ ୟୁପିର ବିକାଶରେ ମଧ୍ୟ ସହାୟକ ହେବ । ଏହାଦ୍ୱାରା ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାକୁ ଥିବାବେଳେ, ନିବେଶ ମଧ୍ୟ ବୃଦ୍ଧି ପାଇବ ।

ଦେଶରେ ଏବେ ସର୍ବବୃହତ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଦିଲ୍ଲୀରେ କାର୍ଯ୍ୟକ୍ଷମ ଅଛି ଇନ୍ଦିରାଗାନ୍ଧୀ ଇଂଟରନ୍ୟାସନାଲ ଏୟାରପୋର୍ଟ । ସେଠାରେ କେବଳ ୩ଟି ରନୱେ ରହିଛି । ଏବେ ନୋଏଡାରେ ଏହି ବିଶାଳ ଏୟାରପୋର୍ଟ ନିର୍ମାଣ ହେଲେ ଏହା ଦେଶର ତଥା ଏସିଆର ସବୁଠୁ ବଡ ଏୟାରପୋର୍ଟ ହେବ ।