କନକ ବ୍ୟୁରୋ: ଭଗବାନ ଭଳି ଲୋକମାନେ ପୂଜା କରୁଥିବା ମାନସ ଦାସ କେତେ ଭୟଙ୍କର ଆଉ ନିଷ୍ଠୁର ଥିଲେ କିଛି ଦିନ ପୂର୍ବରୁ ହୁଏତ କେହି ଜାଣିନଥିଲେ । କିନ୍ତୁ ଯେତେବେଳେ ତାଙ୍କର ଆତଙ୍କରାଜ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ସେନେଇ ମୁହଁ ଖୋଲିଛନ୍ତି ନିର୍ଯାତିତ ଆଉ ଅଭିଯୋଗ କରିଛନ୍ତି ।
ଅଭିଯୋଗ ନମ୍ବର ୧
ମାନସ ଦାସଙ୍କ ଫତୁଆ ଯୋଗୁ ଫେରିଗଲା ବର , ହୋଇପାରିଲାନି ବାହାଘର । ଖୋର୍ଦ୍ଧା ବେଗୁନିଆ କୁଶପପଲ୍ଲା ଗାଁରୁ ଏପରି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି । ବର ଆସିଲା, ହେଲେ ହାତଗଣ୍ଠି ପଡ଼ିଲାନି । ବିବାହ ନକରି ଫେରିଗଲା ବର । କାରଣ ମାନବବାଦୀ ସଂଗଠନର ନିୟମ ଅନୁସାରେ ହେଉନଥିଲା ବିବାହ । ବିବାହ ହୋଇନପାରିବାରୁ ମଙ୍ଗୁଳା ରହିଥିଲା କନ୍ୟା । ୧୫ ଦିନ ପରେ ଅନ୍ୟ ସ୍ଥାନରେ ବିବାହ ହୋଇଥିଲା ।
ଅଭିଯୋଗ ନମ୍ବର ୨
ଅଗଷ୍ଟ ୨ ତାରିଖ ରାତିରେ ମାନସ ଦାସଙ୍କ ପ୍ରରୋଚନାରେ ଅଭିମାନପୁର ଗାଁର ଜଣେ ବ୍ୟକ୍ତିଙ୍କୁ ତାଙ୍କ ସଂଗଠନର ଲୋକମାନେ ହତ୍ୟା କରି ପୋଡି ଦେଇଥିବାର ସଙ୍ଗୀନ ଅଭିଯୋଗ ରହିଛି । ସତ୍ୟବ୍ରତ ନାଏକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହେବାପରେ ପିଟିପିଟି ହତ୍ୟା କରିବା ପରେ ପୋଡି ଦିଆଯାଇଥିଲା ବୋଲି କହିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏହି ହତ୍ୟାକାଣ୍ଡରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଗୁରୁଜୀ ମାନସ ଦାସଙ୍କୁ ଗିରଫ କରିନଥିଲା ।
ଅଭିଯୋଗ ନଂ ୩
ହତ୍ୟାକାଣ୍ଡର ୨୫ ଦିନ ପରେ ପୁଣି ସେହି ଗାଁର ଏକ ଅତି ଅମାନବୀୟ ଭିଡିଓ ଭାଇରାଲ ହୋଇଥିଲା । ମାନସଙ୍କ ସଂଗଠନରେ ସାମିଲ ନହେବାରୁ ବାପ-ପୁଅଙ୍କୁ ଗଡେଇ ତଡେଇ ମାଡ ମାରିଥିଲେ କିଛି ବ୍ୟକ୍ତି । ଅର୍ଦ୍ଧ ଉଲଗ୍ନ କରି ଗୋଟିଏ କୋଠରି ଭିତରେ ଗୋରୁ ଗାଇଙ୍କୁ ମାଡ ମାରିଥିଲେ । ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।
ଅଭିଯୋଗ ନଂ ୪
ଖୋର୍ଦ୍ଧା ଜିଲ୍ଲା ଝିଙ୍କିଝାରି ଗାଁର ଏହି ଯୁବକ ଦିନେ ମାନସଙ୍କ ସଙ୍ଗଠନରେ କାର୍ଯ୍ୟ କରୁଥିଲେ । ସଙ୍ଗଠନରେ ଯୋଗ ଦେବା ପରେ ମାନସ ଦାସ ତାଙ୍କୁ ଘରେ ଘରେ ବୁଲି ପ୍ରଚାର କରିବାକୁ କହିଥିଲେ । କିନ୍ତୁ ସେ ପ୍ରଚାର କରିବାକୁ ମନା କରିବାରୁ କିଭଳି ମାନସ ଦାସ ନିଜେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ମାନସଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିବାରେ ଲାଗିଛି । ଥାନାରେ ଏକାଧିକ ଅଭିଯୋଗ ବି ହୋଇଛି ।