କନକ ବ୍ୟୁରୋ: ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି ।
ଦେଶରେ ଆଜିଠୁ ଲାଗୁ ହୋଇଥିବା ନୂଆ ଆଇନରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅଧିନରେ ଏହି ଏଫଆଇଆର ରୁଜୁ କରାଯାଇଛି । ଦିଲ୍ଲୀର କମଳା ମାର୍କେଟରେ ଫୁଟ ଓଭରବ୍ରିଜ ଅବରୋଧ କରିଥିବା ଅଭିଯୋଗରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ନିଜେ ଥାନାର ସବ ଇନ୍ସପେକ୍ଟର । ପେଟ୍ରୋଲିଂ ବେଳେ ଉଠାଦୋକାନୀଙ୍କ ଦୋକାନ ଯୋଗୁୁଁ ଫୁଟ ଓଭରବ୍ରିଜ ଅବରୋଧ ହୋଇଥିବା ସବ ଇନ୍ସପେକ୍ଟର ଦେଖିବାକୁ ପାଇଥିଲେ । ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋଡର୍୍, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ନୂଆ ଆଇନ ।
ନୂଆ ବ୍ୟବସ୍ଥା ଅନୁସାରେ:
- ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ
- ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ
- ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ
- ୭ ଦିନ ଭିତରେ ମେଡିକାଲ ରିପୋର୍ଟ ପ୍ରଦାନ କରାଯିବ
- ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ
- ରାଜଦ୍ରୋହ ଶବ୍ଦକୁ ହଟାଯାଇ ଦେଶଦ୍ରୋହକୁ ସାମିଲ କରାଯାଇଛି
- ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ
- ଗିରଫ ହେବା ପରେ ଜଣେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ସ୍ଥିତି ସଂମ୍ପର୍କରେ ଜଣାଇପାରିବେ
- ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ଦିଆଯାଇଛି ଅଧିକାର
- ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ
- ବ୍ୟକ୍ତିଗତ ଭାବେ ହାଜର ନହୋଇ ଇଲେକ୍ଟ୍ରୋନିକ ମାଧ୍ୟମରେ ଏଫ୍ଆଇଆର କରିହେବ