କନକ ବ୍ୟୁରୋ: ହିନ୍ଦୁ ଧର୍ମ ମୁତାବକ, କୌଣସି ମନ୍ଦିରରେ ଦେବୀ ଦେବତାଙ୍କ ମୂତ୍ତି ସ୍ଥାପନା କରିବା ପୂର୍ବରୁ ବିଧିବିଧାନ ସହ ତାହାର ପ୍ରାଣ ପ୍ରତିଷ୍ଠା ହେବା ଜରୁରୀ । ପ୍ରାଣ ପ୍ରତିଷ୍ଠା ଅର୍ଥ ମୂର୍ତ୍ତିରେ ପ୍ରାଣ ସ୍ଥାପନା କରିବା ବା ଜୀବନ ଶକ୍ତିର ସଞ୍ଚାର କରିବା । ଫଳରେ ମୂର୍ତ୍ତି ଦେବତାରେ ବଦଳିଯାଏ । କୌଣସି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରିବା ସମୟରେ ଅନେକ ପର୍ଯ୍ୟାୟକୁ ଅତିକ୍ରମ କରିବାକୁ ପଡେ । ଏହି ପର୍ଯ୍ୟାୟ ଗୁଡିକୁ ଅଧିବାସ କୁହାଯାଏ । ହିନ୍ଦୁ ଧର୍ମର ପୁରାଣ ଓ ଗ୍ରନ୍ଥମାନଙ୍କରେ ପ୍ରାଣ ପ୍ରତିଷ୍ଠାର ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ, ପ୍ରାଣ ପ୍ରତିଷ୍ଠା ବିନା କୌଣସି ପ୍ରତିମାର ପୂଜା କରାଯାଇପାରିବ ନାହିଁ । ସେ ପର୍ଯ୍ୟନ୍ତ ପ୍ରତିମା ବା ମୂର୍ତ୍ତି ନିର୍ଜୀବ ରୁହେ । ପ୍ରାଣ ପ୍ରତିଷ୍ଠା ପରେ ସେଥିରେ ଜୀବ ନ୍ୟାସ ହୋଇ ତାହା ପୂଜା ଯୋଗ୍ୟ ହୁଏ ।

ପ୍ରାଣ ପ୍ରତିଷ୍ଠା ସମୟରେ ଏକାଧିକ ଅଧିବାସ ଅତିକ୍ରମ କରିବାକୁ ପଡେ । ଅଧିବାସ ହେଉଛି ଦିବ୍ୟ ପ୍ରକ୍ରିୟା ଯେଉଁଥିରେ ବିଭିନ୍ନ ସାମଗ୍ରୀରେ ବୁଡାଯାଏ । ଏହି ପ୍ରକ୍ରିୟା କ୍ରମରେ ମୂର୍ତ୍ତିକୁ ପ୍ରଥମେ ପବିତ୍ର ଜଳରେ ବୁଡାଇ ରଖାଯାଏ । ଏହାପରେ ମୂର୍ତ୍ତିକୁ ଶସ୍ୟ ଏବଂ ଫଳ ମଧ୍ୟରେ ରଖାଯାଏ । ପୁଣି ଏହାକୁ ମୂର୍ତ୍ତିକୁ ବିଭିନ୍ନ ଔଷଧି, କେସର ଓ ଘୃତରେ ବୁଡାଇ ରଖାଯାଏ । ଏହି ପ୍ରକ୍ରିୟା ପରେ ମୂୂର୍ତ୍ତିକୁ ବିଧିବିଧାନର ସହ ବିଭିନ୍ନ ସାମଗ୍ରୀରେ ସ୍ନାନ କରାଯାଇ ଅଭିଷେକ କରାଯାଏ । ଏହାପରେ ମନ୍ତ୍ର ଉଚ୍ଚାରଣ ସହ ଭଗବାନଙ୍କୁ ଜାଗ୍ରତ କରାଯାଏ । ଏହାପରେ ପ୍ରାଣ ପ୍ରତିଷ୍ଠାର ପୂଜା ଆରମ୍ଭ ହୁଏ । ପୂଜା ସମୟରେ ମୂୂର୍ତ୍ତିକୁ ପୂର୍ବମୁଖା କରାଯାଏ । ସମସ୍ତ ଦେବାଦେବୀଙ୍କୁ ଆବାହନ କରାଯାଇ ସେମାନଙ୍କୁ ଏହି ଶୁଭ କାର୍ଯ୍ୟକୁ ଆମନ୍ତ୍ରଣ କରାଯାଏ । ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ର ଉଚ୍ଚାରଣ କରାଯାଏ ।

ଭଗବାନଙ୍କୁ ନୂତନ ବସ୍ତ୍ର, ଆଭୂଷଣ ପିନ୍ଧାଯିବା ସହ ଶୃଙ୍ଗାର କରାଯାଇଥାଏ । ପ୍ରାଣ ପ୍ରତିଷ୍ଠା ସମୟରେ ମୂୂର୍ତ୍ତିଙ୍କୁ ଆଇନା ଦେଖାଯାଏ । ବିଶ୍ୱାସ ରହିଛି ଯେ, ଭଗବାନଙ୍କ ଆଖିରେ ଶକ୍ତି ଥାଏ ଯାହାର ପ୍ରଚଣ୍ଡତାକୁ କେବଳ ସେ ହିଁ ସହନ କରିପାରନ୍ତି । ଶେଷରେ ଆଳତି ଅର୍ଚ୍ଚନା କରାଯାଇ ନୈବେଦ୍ୟ ଅର୍ପଣ କରାଯାଏ ।