ବର୍ଷ ୨୦୧୮ ଜାନୁଆରୀରେ ଏକ ବିମାନ ଯାତ୍ରା ଉତ୍ତର ପ୍ରଦେଶ ରାଜନୀତିର ଗତିପଥକୁ କିଭଳି ବଦଳାଇ ଦେଇଥିଲା ସେ ବାବଦ ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସେଠ୍ ଏବଂ ବହୁଜନ ସମାଜ ପାର୍ଟି ସାଧାରଣ ସଂପାଦକ ତଥା ସାଂସଦ ସତୀଶ ଚନ୍ଦ୍ର ମିଶ୍ର ଗତ ବର୍ଷ ଜାନୁଆରି ମାସରେ ଗୋଟିଏ ବିମାନରେ ଦିଲ୍ଲୀରୁ ଲକ୍ଷ୍ନୌ ଫେରୁଥିଲେ। ବିମାନରେ ଦୁଇ ନେତା ଭେଟ ହେବାପରେ ଗୋରଖପୁର ଉପନିର୍ବାଚନ ସଂକ୍ରାନ୍ତରେ ଅନୌପଚାରିକ ଆଲୋଚନା ଆରମ୍ଭ ହୋଇଯାଇଥିଲା। ଗୋରଖପୁର ଉପନିର୍ବାଚନ ଜିତିବା ପାଇଁ ଯଦି ଉଭୟ ଦଳ ଏକାଠି ଲଢ଼ନ୍ତି ତେବେ ଏହା ସାରା ଦେଶ ପାଇଁ ଏକ ଉଦାହରଣ ହେବ ବୋଲି ସେମାନେ ଆଲୋଚନା କରିଥିଲେ।
ତେବେ ଏହି ଆଲୋଚନା ପରବର୍ତ୍ତୀ ସମୟରେ ୟୁପି ରାଜନୀତିର ମୋଡ଼ ବଦଳାଇ ଦେବାର କାମ କରିଥିଲା। ଉଭୟ ନେତା ଏହି ଚିନ୍ତାଧାରାକୁ ସେମାନଙ୍କ ଦଳର ମୁଖିଆଙ୍କ କାନରେ ପକାଇବାକୁ ଚେଷ୍ଟା କରିଥିଲେ। ସପା ସୁପ୍ରିମୋ ଅଖିଳେଶ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ହଠାତ୍ ଏକାଠି କରିବା ପାଇଁ ଉଦ୍ୟମ କରିବାକୁ ଏହି ଦୁଇ ନେତା ପ୍ରଥମେ କୁଣ୍ଠାବୋଧ କରିଥିଲେ। ତେବେ ବିଜେପିର ବିଜୟ ରଥକୁ ରୋକିବା ପାଇଁ ଏହା ସର୍ବଶ୍ରେଷ୍ଠ ପନ୍ଥା ବୋଲି ଅନୁଭବ ନକରି ସେମାନେ ସାହସ ବାନ୍ଧି ନିଜ ନିଜ ସୁପ୍ରିମୋଙ୍କୁ ଏହି କଥା କହିଥିଲେ। ସୌଭାଗ୍ୟର ବିଷୟ ଉଭୟଙ୍କୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା। ସେଠ୍ ଅଖିଳେଶଙ୍କ ପ୍ରସ୍ତାବ କ୍ରମେ ମାୟାବତୀଙ୍କୁ ଗୋରଖପୁର ଉପନିର୍ବାଚନ ଏକାଠି ଲଢ଼ିବାପାଇଁ ଅନୁରୋଧ କରିଥିଲେ। ଏହାର କିଛି ଦିନ ପରେ ବିଏସପି ଗୋରଖପୁର ଏବଂ ଫୁଲପୁରରେ ସପା ପ୍ରାର୍ଥୀଙ୍କୁ ଏହାର ସମର୍ଥନ ଦେଇଥିଲା ଏବଂ ଉଭୟ ଜିତିଥିଲେ। ଅଖିଳେଶ ଏହି ବିଜୟକୁ ଜାତୀୟ ରାଜନୀତିରେ ଯୁଗାନ୍ତକାରୀ ପରିବର୍ତ୍ତନ ବୋଲି କହିଥିଲେ।
ତେବେ ଏହି ମେଣ୍ଟ କେବଳ ଉପନିର୍ବାଚନରେ ସୀମିତ ଥିଲା। ପରେ ମାର୍ଚ୍ଚ ମାସରେ ରାଜ୍ୟସଭା ନିର୍ବାଚନ ସମୟରେ ଉଭୟ ସେଠ୍ ଏବଂ ମିଶ୍ର ସପା-ବସପା ମେଣ୍ଟ ପାଇଁ ପୁଣି ଥରେ ଆଲୋଚନା ଆରମ୍ଭ କରିଥିଲେ। ଉଭୟ ଦଳ ରାଜ୍ୟସଭା ଏବଂ ଉତ୍ତରପ୍ରଦେଶ ବିଧାନସଭା ପରିଷଦରେ ପରସ୍ପରର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମର୍ଥନ କରିବା ନିମନ୍ତେ ଆଲୋଚନା କରିଥିଲେ। କିନ୍ତୁ ଏହି ରଣନୀତି କାମ ଦେଇନଥିଲା। କିଛି ବିଧାୟକ ସପା ଛାଡ଼ି ବିଜେପିକୁ ଯିବାରୁ ବିଏସ୍ପି ପ୍ରାର୍ଥୀ ନିର୍ବାଚନ ହାରିଥିଲେ। ମାୟାବତୀ ଏହି ପରାୟଜକୁ ଗ୍ରହଣ କରିନପାରି ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ସେ କହିଥିଲେ। ତେବେ ବିଜେପିକୁ ହଟାଇବା ପାଇଁ ସପା-ବସପା ମେଣ୍ଟ ରହିବ ବୋଲି ମାୟାବତୀ ଘୋଷଣା କରିଥିଲେ। ଏହାପରେ ଅଖିଳେଶ ଏବଂ ମାୟାବତୀ ମେଣ୍ଟ ନେଇ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ୧୧ ଥର କଥା ହୋଇଥିଲେ। ପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା ଏବଂ ମହାମେଣ୍ଟ ସମ୍ଭବ ହୋଇଥିଲା। ଏବେ ଦୀର୍ଘ ୨୫ ବର୍ଷର ରାଜନୈତିକ ଶତ୍ରୁତାର ଅବସାନ ଘଟାଇ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି ଗୋଟିଏ ମଂଚରୁ ଉଦ୍ବୋଧନ ଦେଇ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହି ମହାମେଣ୍ଟ ପଛରେ ଥିବା ଅସଲ ଦୁଇ ଜଣ ବିନ୍ଧାଣୀ ସେଠ୍ ଏବଂ ସତୀଶ ମିଶ୍ରଙ୍କୁ ଗତକାଲି ମାୟାବତୀ ମଂଚରୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/MAYAWATI_AKHILESH_101708_730x419-m-1.jpg)
/kanak/media/post_attachments/wp-content/uploads/2019/04/mayawati-akhilesh-yadav-300x156.jpg)