ବିଶ୍ୱକପ୍ ସେମିଫାଇନାଲରେ କେମିତି ପହଞ୍ଚିବ ଟିମ୍ ଇଣ୍ଡିଆ? ଜାଣନ୍ତୁ, ପଏଣ୍ଟ ଟେବୁଲର ଗଣିତ..

2,866

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାଜିତ ହୋଇସାରିଛି ଟିମ୍ ଇଣ୍ଡିଆ । ଆଉ ଆଗାମୀ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଓ ନାମିମ୍ବିଆକୁ ଭେଟିବାକୁ ଯାଉଛି । ଯାହାକି ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ କରିବ । ତେବେ ପାକିସ୍ତାନଠୁ ପରାଜୟ ପରେ ଏବେ ଭାରତ ପାଇଁ ସେମିଫାଇନାଲ ପହଞ୍ଚିବା ରାସ୍ତା କିଛିକାଂଶରେ କଠିନ ହେବାକୁ ଯାଉଛି । ତେଣୁ ନଜର ପକାନ୍ତୁ ବିଶ୍ୱକପ ସେମିଫାଇନାଲରେ କେମିତି ପହଞ୍ଚିବ ଟିମ୍ ଇଣ୍ଡିଆ…

ପାକିସ୍ତାନଠାରୁ ଭାରତ ୧୦ ୱିକେଟରେ ହାରିସାରିଛି । ତେବେ ଆଗାମୀ ସମସ୍ତ ମ୍ୟାଚରେ ଦଳ ବିଜୟର ସ୍ୱାଦ ନ ଚାଖିଲେ ସେମିଫାଇନାଲ ସ୍ୱପ୍ନ ଅଧୁରା ରହିପାରେ । ଏପରି ସ୍ଥିତିରେ ସେମିଫାଇନାଲରେ ପହଞ୍ଚିବାକୁ ହେଲେ – ଟିମ୍ ଇଣ୍ଡିଆକୁ ଆଗାମୀ ସମସ୍ତ ଲିଗ୍ ମ୍ୟାଚ୍ ଜିତିବାକୁ ପଡିବ ।  ଅନ୍ୟପଟେ ଲିଗ୍ ପର୍ଯ୍ୟାୟରେ ଯଦି ନ୍ୟୁଜିିଲାଣ୍ଡ ପାକିସ୍ତାନକୁ ପରାସ୍ତ କରେ ଏବଂ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ରନ୍ ରେଟ୍ ଆଧାରରେ କେଉଁ ଦୁଇ ଦଳ ସେମିଫାଇନାଲ ଯିବେ ତାହା ଧାର୍ଯ୍ୟ କରାଯିବ । ଏପରି ସମୟରେ ଉନ୍ନତ ରନ୍ ରେଟ୍ ରଖିଥିବା ଦଳ ହିଁ ସେମିଫାଇନାଲ ଟିକେଟ୍ ହାତେଇଥାଏ ।

ସେହିପରି ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଦଳ ଆଫଗାନିସ୍ତାନ, ନାମିମ୍ବିଆ ଓ ସ୍କଟଲ୍ୟାଣ୍ଡକୁ ହରାଇବା ପରେ ମଧ୍ୟ ଯଦି ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ଏବଂ ନ୍ୟୁଜିଲାଣ୍ଡ ଭାରତକୁ ଲିଗ୍ ମ୍ୟାଚରେ ହରାଇ ଦିଏ । ତେବେ ଭାରତ ସେମିଫାଇନାଲରୁ ବାଦ୍ ପଡିବ । ଏପରି ସ୍ଥଳେ ପାକିସ୍ତାନ, ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ।  ତେଣୁ ଏବେ ଭାରତ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ନଚେତ୍ ଟିମ୍ ଇଣ୍ଡିଆର ସେମିଫାଇନାଲ ସ୍ୱପ୍ନ ଅଧୁରା ରହିପାରେ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପରେ ଏବେ ଟିମ୍ ଇଣ୍ଡିଆ ଆହୁରି ୪ଟି ଲିଗ୍ ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ଅକ୍ଟୋବର ୩୧ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ । ସେହିପରି ନଭେମ୍ବର ୩ରେ ଆଫଗାନିସ୍ତାନ, ୫ରେ ସ୍କଟଲ୍ୟାଣ୍ଡ ଓ ୮ରେ ନାମିମ୍ବିଆ ବିରୋଧରେ ଲିଗ୍ ମ୍ୟାଚ୍ ଖେଳିବ ବିରାଟ ବାହିନୀ ।