ମୋଦିଙ୍କ ଭଳି କେଦାରନାଥ ଧ୍ୟାନ ଗୁମ୍ଫାରେ ରାତି ବିତାଇବାକୁ ଚାହୁଁଛନ୍ତି କି ? ତେବେ ଜାଣି ନିଅନ୍ତୁ ଏହାର ଭଡା କେତେ ଓ କ’ଣ ସବୁ ସୁବିଧା ଉପଲବ୍ଧ

520

ଲୋକସଭା ନିର୍ବାଚନ ୨୦୧୯ର ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ନରେନ୍ଦ୍ର ମୋଦି ପାଦରେ ପାହାଡ ଚଢ଼ି ସାଧନା ପାଇଁ ରୁଦ୍ରା ଗୁମ୍ଫାରେ ପହଞ୍ଚିଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ସେ ଧ୍ୟାନ କରିଥିଲେ । ତେବେ ମୋଦିଜୀ ସେଠାରୁ ଧ୍ୟାନ କରି ଫେରି ଆସିଥିବା ବେଳେ ଏବେ ଗୁମ୍ଫାରେ ମିଳୁଥିବା ସୁବିଧାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅପ୍ରେଲରେ ଏହି ଗୁମ୍ଫାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହାର ନିର୍ମାଣ ନେହେରୁ ପର୍ବତାରୋହଣ ସଂସ୍ଥାନ ଦ୍ୱାରା କରାଯାଇଛି ।

୫ମିଟର ଲମ୍ବ ଏବଂ ୩ମିଟର ଚଉଡ଼ା ଥିବା ଏହି ଗୁମ୍ଫାରେ ଶୋଇବା ପାଇଁ ଖଟ, ଶୌଚାଳୟ, ବିଜୁଳି ଏବଂ ଟେଲିଫୋନ ଭଳି ଆଧୁନିକ ଜିନିଷର ବ୍ୟବସ୍ଥା କରାଯାଇଛି । ଏହି ଗୁମ୍ଫା ସମୁଦ୍ର ତଳୁ ୧୨, ୨୫୦ଫୁଟ ଉପରେ ରହିଛି । ଏହି ଗୁମ୍ଫାକୁ ଏବେ ଟ୍ରାଏଲ ହିସାବରେ ତିଆରି କରାଯାଇଥିବାବେଳେ ଆଗକୁ ଏଭଳି ୫ଟି ଗୁମ୍ଫା ତିଆରି କରାଯିବାର ବ୍ୟବସ୍ଥା କରିଛି । ୯୯୦ଟଙ୍କା ଦେଇ ଶ୍ରଦ୍ଧାଳୁମାନେ ଏହି ଗୁମ୍ଫାକୁ ବୁକ୍ କରିପାରିବେ । କେବଳ ୩ଦିନ ପାଇଁ ଏହି ଗୁମ୍ଫାକୁ ବୁକ୍ କରି ପାରିପାରିବେ ଶ୍ରଦ୍ଧାଳୁ । କିନ୍ତୁ ଦରକାର ପଡ଼ିଲେ ଏହାର ଅବଧି ବଢ଼ାଇ ଦିଆଯାଇପାରେ ।

ଗତକାଲି ରାତି ସମୟରେ ମୋଦିଜୀଙ୍କୁ ଖାଇବା ପଠାଯାଇଥିଲା । ଅଧିକ ଥଣ୍ଡା ହେତୁ ଭିତରେ ହିଟର, ଗିଜର ଏବଂ ବିଜୁଳିର ବ୍ୟବସ୍ଥା କରାଯାଇଥିଲା । ଏହା ସହ ଗୁମ୍ଫା ପାଖରେ ସୁରକ୍ଷାକର୍ମୀମାନଙ୍କର ଟେଣ୍ଟ ମଧ୍ୟ ଲଗାଯାଇଥିଲା ବୋଲି ଜଣାପଡ଼ିଛି ।