ଆପଣଙ୍କ ଆଧାର କାର୍ଡରେ ଆଉ କିଏ କିଣିଛି କି ସିମ୍ ? ପଢନ୍ତୁ କେମିତି ଜାଣିବେ ।

760

କନକ ବ୍ୟୁରୋ : ଆପଣଙ୍କ ପରିଚୟ ପତ୍ରରେ ଆଉ କିଏ କିଣିଛି କି ସିମ୍ ? କେମିତି କରିବେ ଅନୁସନ୍ଧାନ ? ଆପଣ ଜାଣିଥିବେ, ଯେ ସିମ୍ କାର୍ଡ କିଣିବା ବେଳେ, ପରିଚୟ ପତ୍ର ନିହାତି ଆବଶ୍ୟକ । ଅର୍ଥାତ ଯଦି ଆପଣ ନୂଆ ସିମ୍ କାର୍ଡଟିଏ କିଣୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଫଟୋ ଏବଂ ଆଧାରକାର୍ଡର କପି ଉକ୍ତ ସିମ୍ କମ୍ପାନୀକୁ ଦେବାକୁ ପଡିବ । କିନ୍ତୁ ବେଳେ ବେଳେ ଏପରି ମାମଲା ସାମ୍ନାକୁ ଆସିଥାଏ, ଯେ ଜଣଙ୍କ ପରିଚୟ ପତ୍ରରେ ଅନ୍ୟ ଜଣେ ସିମ୍ କାର୍ଡ ବ୍ୟବହାର କରିଥାନ୍ତି । ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିଥାଇପାରେ । ତେଣୁ ଆସନ୍ତୁ ଜାଣିବା, ଆପଣ କେମିତି ଜାଣିବେ, ଆପଣଙ୍କ ପରିଚୟ ପତ୍ରରେ ଆଉ କିଏ କିଣିଛି କି ସିମ୍ ?

ବେଳେ ବେଳେ ଦେଖାଯାଏ, ପୋଲିସ ଆଖିରେ ଧୂଳି ଦେବା ପାଇଁ, ବିଭିନ୍ନ ଅପରାଧୀମାନେ ଜାଲ୍ କାଗଜପତ୍ର ଦେଇ ଅର୍ଥାତ ଅନ୍ୟ କାହାର ପରିଚୟ ପତ୍ରରେ ସିମ୍ କାର୍ଡ କିଣିଥାନ୍ତି । ତେବେ ଆପଣ ଟେଲିକମ୍ୟୁନିକେସନର ଏକ ୱେବସାଇଟ୍ ସାହାଯ୍ୟରେ ଏହା ଜାଣିପାରିବେ ଯେ, ଆପଣଙ୍କ ଆଇଡି କାର୍ଡରେ ଆଉ କିଏ ସିମ୍ କିଣିଛି କି ? ଏହି ୱେବସାଇଟ୍ ଜରିଆରେ ଆପଣ ଜାଣିପାରିବେ, ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ କାର୍ଡ ଜାରି ହୋଇଛି । କେବଳ ଏତିକି ନୁହେଁ, ଆପଣ ବ୍ୟବହାର କରୁନଥିବା ସିମକୁ ମଧ୍ୟ ବନ୍ଦ କରିବା ପାଇଁ ଆବେଦନ କରିପାରିବେ । ଏହି ସର୍ଭିସକୁ ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଂଟ ଆଣ୍ଡ କନଜ୍ୟୁମର ପ୍ରୋଟେକ୍ସନ ବା (ଟିଏଏଫସିଓପି) ନାଁ ଦିଆଯାଇଛି ।

ତେବେ ଏହି ସର୍ଭିସ ଏବେ ପୂରା ଦେଶରେ ଉପଲବ୍ଧ ନଥିବା ବେଳେ ଆଗାମୀ ସମୟରେ ଖୁବ ଶୀଘ୍ର, ଏହାକୁ ପୂରା ଦେଶରେ ଉପଲବ୍ଧ କରାଯିବ । ଅଫିସିଆଲ୍ ୱେବସାଇଟର ସୂଚନା ଅନୁସାରେ, ଏବେ ଏହି ସର୍ଭିସକୁ କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଉପଲବ୍ଧ କରାଯାଇଛି । ଏବଂ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ସର୍ଭିସକୁ ଆପଣ କେମିତି ବ୍ୟବହାର କରିବେ ।

ପ୍ରଥମେ ଆପଣ https://tafcop.dgtelecom.gov.in/ ୱେବସାଇଟକୁ ଯାଆନ୍ତୁ ।

ଏହା ପରେ ଆପଣଙ୍କୁ ଆପଣଙ୍କ ମୋବାଇଲ୍ ନମ୍ବର ଦେଇ ଓଟିପି ପାଇଁ ରିକ୍ୱେଷ୍ଟ କରିବାକୁ ହେବ ।

ଏହା ପରେ ଆପଣଙ୍କ ମୋବାଇଲକୁ ଏକ ୬ ଅଙ୍କ ବିଶିଷ୍ଟ ଓଟିପି ଆସିବ ।

ଓଟିପି ଏଂଟର କରିବା ପରେ ଆପଣ ଜାଣିପାରିବେ ଆପଣଙ୍କ ଆଧାରକାର୍ଡରେ ଆଉ କେଉଁ କେଉଁ ନମ୍ବର ଜାରି ହୋଇଛି ।

ଯଦି କୌଣସି ସିମ୍ କାର୍ଡକୁ ନେଇ ଆପଣଙ୍କୁ ଲାଗୁଛି, ଯେ ସେହି ନମ୍ବର ଆପଣଙ୍କର ନୁହେଁ, ତେବେ ସେହି ସିମକୁ ଆପଣ ଏହି ୱେବସାଇଟ୍ ମାଧ୍ୟମରେ ବନ୍ଦ ମଧ୍ୟ କରିପାରିବେ ।