ବନ୍ୟା ଟଳିଗଲା, ହେଲେ ତଳିଆ ଅଞ୍ଚଳରେ ପଶିଲା ପାଣି । ପଢନ୍ତୁ, ରାଜ୍ୟର କେଉଁ ସ୍ଥାନରେ କିପରି ରହିଛି ବନ୍ୟା ସ୍ଥିତି…

112

କନକ ବ୍ୟୁରୋ: ବନ୍ୟା ଆଶଙ୍କା ଟଳିଯାଇଛି କିନ୍ତୁ ମହାନଦୀ ଓ ସୁବର୍ଣ୍ଣରେଖାର ଉଛୁଳା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢାଇଦେଇଛି । ଗତ ୪ରୁ ୫ଦିନ ହେଲା ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଏପରିକି ତାଙ୍କ ପାଖରେ ପ୍ରଶାସନ ପହଞ୍ଚିିନଥିବା ଅଭିଯୋଗ ବି ହୋଇଛି । ବାଲେଶ୍ୱର, କେନ୍ଦ୍ରାପଡା, ପୁରୀ ଓ ଆଠଗଡର ଅନେକ ସ୍ଥାନରେ ଏବେବି ବହୁ ସଂଖ୍ୟାରେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ଚାଷ ଜମି ଓ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି ।

ସୁବର୍ଣ୍ଣରେଖା ନଦୀ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ବ୍ଲକ ତଳିଆ ଅଞ୍ଚଳରେ ବନ୍ୟା ଆଣିଦେଇଛି । ନଦୀର ଜଳସ୍ତର କମୁଥିଲେ ମଧ୍ୟ ବନ୍ୟାପାଣି ପଶିଥିବା ଗାଁରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା । ୪ରୁ ୫ ଦିନ ହେଲା ପାଣିଘରରେ ଥିବା ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିି ପାରିନଥିବା ଅଭିଯୋଗ ହୋଇଛି । ସେପଟେ ବାଲେଶ୍ୱର ସଦର ବ୍ଲକ ବାହାବଳପୁର ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ରାସ୍ତାଟି ସଂପୂର୍ଣ୍ଣ ବୁଡି ରହିଥିବା ବେଳେ ପାଣି ସ୍ରୋତରେ ଭାସିଯାଇ, ସଂପୂର୍ଣ୍ଣ ବୁଡି ଯାଇଛି ଏକ ମାଲ ବୋଝେଇ ଟ୍ରାକ୍ଟର । ଅନ୍ୟପଟେ ବର୍ଷା କମିବା ପରେ ବ୍ରାହ୍ମଣୀରେ ଜଳସ୍ତର ବି କମିଛି । ହେଲେ ରେଙ୍ଗାଲି ଡ୍ୟାମରୁ ଜଳ ନିଷ୍କାସନ ପରେ ବ୍ରାହ୍ମଣୀ ଏବଂ ଖରସ୍ରୋତା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା, ରାଜନଗର, ଆଳି ଓ  ପଟ୍ଟାମୁଣ୍ଡାଇ ବ୍ଲକରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଆଳିର ୧୦ ଟି ଓ ପଟ୍ଟାମୁଣ୍ଡାଇର ୭ଟି ପଞ୍ଚାୟତ ପାଣି ଘେରରେ ରହିଛି ।

ସେହିପରି ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳ ଲୋକଙ୍କ ଚିନ୍ତା ବଢିଛି  । ଭୟରେ ରହିଛନ୍ତି କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଞ୍ଚଳର ଲୋକ । ଖାଲି ସେତିକି ନୁହେଁ, ଦୟା ନଦୀର ବନ୍ୟା ଜଳ ପ୍ରଭାବରେ ପୁରୀ ଜିଲ୍ଲା କଣାସ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଛି । ରାସ୍ତା ଉପରେ ଆଣ୍ଟୁଏ ଉଚ୍ଚର ପାଣି ଚାଲୁଛି । ତା ସହିତ ମହାନଦୀରେ ବନ୍ୟା ବିପଦ ଟଳିଯାଇଥିଲେ ବି ଜଳସ୍ତର ବଢ଼ିବା ପରେ ବାଙ୍କୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଣି ପଶି ଯାଇଛି । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟାଜଳ । କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଶହ ଶହ ଏକର ଚାଷ ଜମିରେ ପାଣି ମାଡି ଯାଇଛ । ଯାଜପୁରରେ ଗୋବରୀ ନଦୀର ବନ୍ୟାଜଳ ମାଡିଆସି ୫ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଖୋର୍ଦ୍ଧା ଜିଲ୍ଲା ୩ ପଞ୍ଚାୟତର ୧୦ରୁ ଅଧିକ ଗାଁ ଏବେ ପାଣି ଘେରରେ । ରାଜୁଆ ନଦୀରେ ବନ୍ୟା ପାଇଁ ହିରିମୂଳ, ଦିହଖଳା, ଓରବରସିଂ, ମଶାଣିଆ, ଓରାମି, ମାନପୁର ଗାଁରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ ।