ନକଲି ଟିକା ଚିହ୍ନିବେ କେମିତି ? ରଙ୍ଗ ଓ ଲେବଲ ଆଧାରରେ ଟିକା ଚିହ୍ନିବା ପାଇଁ ଜାରି ହେଲା ଗାଇଡ଼ଲାଇନ୍ ।

268

କନକ ବ୍ୟୁରୋ : ମହାମାରୀ ସମୟରେ ବି ଲୋକଙ୍କ ଜୀବନ ସହ ଖେଳ ଚାଲିଛି । କାରଣ ଅନ୍ତର୍ଜାତୀୟ ବଜାରରେ ମିଳୁଛି ନକଲି କରୋନା ଟିକା । କୋଭିସିଲ୍ଡ ନାଁରେ ନକଲି ଟିକା ବଜାରରେ ମିଳୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦବେଗ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସତର୍କ କରାଇ ଦେଇଛନ୍ତି । ଭାରତରେ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ଟିକାକୁ ଅନୁମତି ଦିଆଯାଇଛି । ତେଣୁ ଟିକା ନିର୍ମାତାଙ୍କ ସହ ପରାମର୍ଶ କରି ଏସବୁ ଟିକାର ରଙ୍ଗ ଓ ଲେବଲ ଆଦି ପାରାମିଟର ବିଷୟରେ ଅବଗତ କରାଇଛନ୍ତି କେନ୍ଦ୍ର ସରକାର ।

ବଜାରରେ ମିଳୁଛି ନକଲି ଟିକା । ସତର୍କ କରାଇଲେ କେନ୍ଦ୍ର ସରକାର । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ ପରେ ନକଲି ଟିକାକୁ ନେଇ ସତର୍କତା ଅବଲମ୍ବନ କଲେ କେନ୍ଦ୍ର ସରକାର । ବଜାରରେ ମିଳୁଥିବା ନକଲି କରୋନା ଟିକାଠାରୁ ସାବଧାନ କରାଇଲେ କେନ୍ଦ୍ର ସରକାର । ଭାରତରେ ମିଳୁଥିବା କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍-ଭି ଟିକାକୁ ଅନୁମତି ମିଳିଥିବାବେଳେ ଏହାର ପାରାମିଟର ବିଷୟରେ ସବୁ ବିବରଣୀ ବୁଝିବାକୁ ରାଜ୍ୟ ସରକାର ଗୁଡିକୁ ସକର୍କ କରାଯାଇଛି । କାରଣ ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାରେ ନକଲି କୋଭିସିଲ୍ଡ ଟିକା ବିକ୍ରି ହେଉଥିବାନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି । ଆମ ଦେଶରେ ମଧ୍ୟ ନକଲି ଟିକା ବିକ୍ରି ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏସବୁ ଅଭିଯୋଗର ତଦନ୍ତ ଚାଲିଛି ଏବଂ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଭାରତରେ ମିଳୁଥିବା କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍-ଭି ଟିକା ଅସଲି ନା ନକଲି କିପରି ଜାଣିବେ ନଜର ପକାନ୍ତୁ ।

କୋଭିସିଲ୍ଡ ଟିକା
– ଅସଲି କୋଭିସିଲ୍ଡ ଟିକାରେ ଗାଢ ସବୁଜ ରଙ୍ଗରେ ଲେଖାଯାଇଛି ଲେବଲ
– ଟିକା ଭାଏଲର ସିଲ୍ ମଧ୍ୟ ଗାଢ ସବୁଜ ରଙ୍ଗର
– ଭଲଭାବେ ପଢିହେବା ପରି ଧଳା ପଟି ଉପରେ ଲେଖାଯାଇଛି ଟିକାର ନାଁ
– ଟିକା ନିର୍ମାତା ସିରମ ଇନଷ୍ଟିଚ୍ୟୁଟର ନାଁ ମଧ୍ୟ ସାମାନ୍ୟ ଉପରକୁ ତେରେଛା ଭାବେ ଲେଖାଯାଇଛି

କୋଭାକ୍ସିନ ଟିକା
– କୋଭାକ୍ସିନ ଟିକାର ଲେବଲରେ ରହିଛି ଅତି ବାଇଗଣି ରଶ୍ମୀରେ ଦେଖାଗଲା ଭଳି ଟେକ୍ସଟ୍
– କୋଭାକ୍ସିନ ଲେବଲରେ କେବଳ ବିନ୍ଦୁରେ ରହିଛି କିଛି ଟେକ୍ସଟ
– ଅତି ନିରିଖି ଦେଖିଲେ ଟିକାର ଲୋଗୋରେ ଏହି ଟେକ୍ସଟ ଜଣାପଡିବ
– କୋଭାକ୍ସିନର ଏକ୍ସ ଅକ୍ଷରରେ ଏକ ହୋଲୋଗ୍ରାଫିକ ଇଫେକ୍ଟ ରହିଛି

ସ୍ପୁଟନିକ-ଭି
– ରୁଷିଆ ନିର୍ମିତ ସ୍ପୁଟନିକ-ଭି ଟିକାର ଗୋଟିଏ ପ୍ୟାକେଟରେ ୫ଟି ଆମ୍ପୁଲ ରହିଛି
– ପ୍ୟାକେଟର ଅଗରେ ଓ ପଛପଟେ କେବଳ ଇଂରାଜୀରେ ଟିକାର ଲୋଗୋ ରହିଛି
– ବାକିସବୁ ସୂଚନା ରୁଷିଆ ଭାଷାରେ ଦିଆଯାଇଛି

ଏବେ ଆମ ଦେଶରେ ୩ ପ୍ରକାର ଟିକା ଦିଆଯାଇଥିବାବେଳେ ଆଗକୁ ଜାଇଡସ କାଡିଲା ସମେତ ଆଉ ୩ ପ୍ରକାର ଟିକା ଆସିବାକୁ ଯାଉଛି । ଦେଶରେ ପ୍ରାୟ ୬୮ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇସାରିଲାଣି । ତେଣୁ ନକଲି ଟିକାପ୍ରତି ସାବଧାନ ରହିବା ଜରୁରୀ ବୋଲି କେନ୍ଦ୍ର ସରକାର କହିଛନ୍ତି ।