ନିଫା ଭାଇରସର ଲକ୍ଷଣ ଏବଂ ଶରୀରକୁ ଏହି ଭୁତାଣୁ ଆକ୍ରାନ୍ତ କଲେ କେମିତି ରଖିବେ ନିଜର ଧ୍ୟାନ । ଜାଣନ୍ତୁ

758

ଲୋକଙ୍କ ମନରେ କରୋନାର ତୃତୀୟ ଲହରର ଡ଼ର ଥିବାବେଳେ ଏବେ ନିଫା ଭାଇରସ୍ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି । ଏହି ଭୁତାଣୁରେ ଆକ୍ରାନ୍ତ ହୋଇ କେରଳର କୋଝିକୋଡ଼୍ ଅଞ୍ଚଳର ଜଣେ ୧୨ ବର୍ଷର କିଶୋରୀଙ୍କ ମୃତ୍ୟୁ ମଧ୍ୟ ହୋଇଗଲାଣି । ଝିଅଟି ସହିତ ସଂପର୍କରେ ଆସିଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ନିଫା ଭାଇରସ୍ , ଏହାର ଲକ୍ଷଣ କ’ଣ ଏବଂ ଏଥିରୁ କେମିତି ରଖିବେ ନିଜର ଧ୍ୟାନ ।

ହୁ’ ମୁତାବକ , ଏହି ଭାଇରସ୍ ଶରୀରରେ ଏସିମ୍ପୋମେଟିକ୍ ଇନଫେକ୍ସନରୁ ଆରମ୍ଭ କରି ଏକ୍ୟୁଟ୍ ରେସ୍ପିରେଟରୀ ଇନଫେକ୍ସନ୍ ତଥା ଘାତକ ଇନ୍ସେଫଲାଇଟିସ୍ ପ୍ରସ୍ତୁତ କରିଥାଏ । ଏହି ଭୁତାଣୁ ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ବାଦୁଡ଼ି ଏବଂ ଘୁଷୁରୀଙ୍କ ଠାରୁ ଏହି ଭୁତାଣୁ ସଂକ୍ରମଣ ହୋଇଥାଏପାରେ ବୋଲି ସୂତ୍ରରୁ ଜଣାପଡ଼ିଛି । ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଭୁତାଣୁ ଆକ୍ରାନ୍ତ କରିପାରେ ।

କେମିତି ସଂକ୍ରମିତ ହୁଏ ନିଫା ଭାଇରସ୍ ?
ସିଙ୍ଗାପୁର ଓ ମାଲେସିଆ ଭଳି ଦେଶର ଲୋକମାନେ ସିଧାସଳଖ ଘୁଷୁରୀର ସମ୍ପର୍କରେ ଆସୁଥିବାରୁ ସେଠାରେ ଏହି ଭୁତାଣୁ ଦିନକୁ ଦିନ ବଢିବାରେ ଲାଗିଛି । ଏହାଛଡ଼ା ଖଜୁରୀର କଞ୍ଚାରସ ଯାହା ବାଦୁଡ଼ିଙ୍କ ମୂତ୍ର ଏବଂ ଲାଳରେ ଦୂଷିତ ହୋଇଥାଏ ତାହାକୁ ମଧ୍ୟ ଭୁତାଣୁ ସଂକ୍ରମଣ ପାଇଁ ଦାୟୀ କୁହାଯାଉଛି ।

ଲକ୍ଷଣ : ଭୁତାଣୁରେ ସଂକ୍ରମିତ ହେଲେ ରୋଗୀକୁ ଜ୍ୱର , ମୁଣ୍ଡବ୍ୟଥା , ଶ୍ୱାସପ୍ରଶ୍ୱାସରେ ଅସୁବିଧା,ମାଂସପେଶୀରେ ବ୍ୟଥା ,ବାନ୍ତି ଏବଂ ଗଳାଦରଜ ହେଲା ଭଳି ଲକ୍ଷଣ ଦେଖାଯାଏ । ଏହାଛଡ଼ା ରୋଗୀକୁ ମୁଣ୍ଡ ବୁଲାଇବା ,ମୂର୍ଚ୍ଛିତ ହେବା , ମନ ପରିବର୍ତ୍ତନ ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଏଥିରେ ଅବହେଳା କଲେ ରୋଗୀ ଗମ୍ଭୀର ସ୍ଥିତିରେ କୋମାକୁ ମଧ୍ୟ ଯାଇପାରେ । ୫ ରୁ ୧୪ ଦିନ ଭିତରେ ଏହି ଭୁତାଣୁର ଲକ୍ଷଣ ସବୁ ଶରୀରରେ ଦେଖାଯାଏ । କିନ୍ତୁ କିଛି ମାମଲାରେ ଏହା ୪୫ ଦିନ ପର୍ଯ୍ୟନ୍ତ ରହିଯାଏ ଯାହା ଶରୀର ପାଇଁ ଖୁବ୍ ଘାତକ । ତେବେ ଆରଟିପିସିଆର୍ ଟେଷ୍ଟ୍ ରେ ଭୁତାଣୁର ଚିହ୍ନଟ କରିପାରିବେ ।

ଚିକିତ୍ସା : ଏବେ ପର୍ଯ୍ୟନ୍ତ ନିଫା ଭୁତାଣୁର କୌଣସି ଚିକିତ୍ସା ମିଳିପାରିନାହିଁ । ତେବେ ବାଦୁଡ଼ି ଏବଂ ଘୁଷୁରୀଙ୍କ ସଂପର୍କରେ ନ ଆସିବାପାଇଁ ଯଥା ସମ୍ଭବ ଚେଷ୍ଟା କଲେ ଏହି ଭୁତାଣୁରୁ ବଂଚିପାରିବେ । ଗଛରୁ ପଡ଼ିଥିବା ଫଳକୁ ସିଧା ନ ଖାଇ ଭଲଭାବରେ ଧୋଇ ଖାଆନ୍ତୁ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବା ଭଲ । ସଂକ୍ରମିତଙ୍କ ଶରୀରରୁ ନିର୍ଗତ ତରଳ ପଦାର୍ଥ ତଥା ଡ୍ରପଲେଟସରୁ ବି ନିଜକୁ ବଂଚାନ୍ତୁ ।