କନକ ବ୍ୟୁରୋ : ଜିତିଲେ ଯୋଗୀ, ହାରିଲେ ମୌର୍ଯ୍ୟ । ମୁଖ୍ୟମନ୍ତ୍ରୀ ଜିତିଗଲେ କିନ୍ତୁ ଉପ-ମୁଖ୍ୟମନ୍ତ୍ରୀ ହାରିଗଲେ । ଗତକାଲି ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟେ ଦଳର କର୍ମୀଙ୍କୁ ଯେତିକି ଖୁସି ଆଣି ଦେଇଛି ତାହା ଠାରୁ ଅଧିକ କଷ୍ଟ ଦେଇଛି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରାଜୟ । ସିରାଥୁ ଆସନରୁ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ମାତ୍ ଦେଇଛନ୍ତି ସମାଜବାଦୀ ପାର୍ଟିର ପ୍ରାର୍ଥୀ ପଲ୍ଲବୀ ପଟେଲ । ପଲ୍ଲବୀଙ୍କ ଠାରୁ ୭୩୩୭ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି କେଶବ । ପଲ୍ଲବୀଙ୍କୁ ୧୦୬୨୭୮ ଖଣ୍ଡ ଭୋଟ ମିଳିଥିବା ବେଳେ କେଶବଙ୍କୁ ମିଳିଥିଲା ୯୮୯୪୧ ଖଣ୍ଡ ଭୋଟ । ଏପରିିିକି ପ୍ରଥମ ରାଉଣ୍ଡକୁ ଛାଡିଦେଲେ ବାକି ସବୁ ରାଉଣ୍ଡରେ ପଲ୍ଲବୀ ଆଗୁଆ ରହିଥିଲେ । ତେବେ କିଏ ଏହି ପଲ୍ଲବୀ ଯିଏ କେଶବଙ୍କ ଭଳି ହେଭିୱେଟ ଚେହେରାଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଥିଲେ ।

Advertisment

ପଲ୍ଲବୀ ପଟେଲ ଉତ୍ତରପ୍ରଦେଶ ରାଜନୀତିରେ ଜଣାଶୁଣା ଚେହେରା ନୁହଁନ୍ତି ସତ କିନ୍ତୁ ଏବେ ପଲ୍ଲବୀଙ୍କୁ ନେଇ ସବୁଠି ଚର୍ଚ୍ଚା । କିନ୍ତୁ ଏହି ଚର୍ଚ୍ଚା ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏତେଟା ହେଉନଥିଲା । କାରଣ ନିର୍ବାଚନର ମାତ୍ର ୨ ସପ୍ତାହ ପୂର୍ବରୁ ହିଁ ପଲ୍ଲବୀଙ୍କୁ ପ୍ରାର୍ଥୀ କରିଥିଲେ ଅଖିଳେଶ । ଆଉ ତାହା ବି ପୁଣି କେଶବଙ୍କ ଭଳି ହେଭିୱେଟଙ୍କ ବିରୋଧରେ । ପ୍ରଥମରୁ ତ ଏହି ଲଢେଇ ଏକପାଖିଆ ଲାଗୁଥିଲା । କିନ୍ତୁ ଏହି ଲଢେଇକୁ ରୋଚକ କରିଥିଲେ ପଲ୍ଲବୀ । ବିଭିନ୍ନ ମୁଦ୍ଦା ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ପଲ୍ଲବୀ । ବେରୋଜଗାର ଭଳି ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ମହିଳାଙ୍କ ସହ ସମ୍ପର୍କ ବଢାଇଥିଲେ ଏବଂ ଅସହାୟ ଓ ବୁଲା ପଶୁ ପକ୍ଷୀଙ୍କୁ ନେଇ ପଲ୍ଲବୀ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଥିଲେ ତାହାକୁ ଅଟକାଇବା କେଶବଙ୍କ ପକ୍ଷରେ ସମ୍ଭବ ନଥିଲା । ଏପରିକି ପଲ୍ଲବୀଙ୍କ ପାଇଁ ସମାଜବାଦୀ ପାର୍ଟିର ଦୁଇ ଜଣାଶୁଣା ଚେହେରା ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

publive-imageପଲ୍ଲବୀଙ୍କ ଆଉ ଏକ ପରିଚୟ ହେଉଛି ବିଜେପି ସରକାରରେ ସାମିଲ ଥିବା ଅନୁପ୍ରିୟା ପଟେଲଙ୍କ ଭଉଣୀ । ତାଙ୍କ ବାପା ସୋନେଲାଲ ଉତ୍ତରପ୍ରଦେଶ ରାଜନୀତିର ବଡ ଚେହେରା ଥିବା ବେଳେ ମାୟାବତୀଙ୍କ ଅତି ବିଶ୍ୱସ୍ତ ଭାବେ ଜଣାଶୁଣା ଥିଲେ । ସୋନେଲାଲ ହିଁ ଅପନା ଦଳର ପ୍ରତିଷ୍ଠା କରିଥିଲେ । ୨୦୦୯ରେ ସୋନେଲାଲଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କୃଷ୍ଣା ପଟେଲ ପାର୍ଟିର ମଙ୍ଗ ସମ୍ଭାଳିଥିଲେ । ତେବେ ୨୦୧୪ରେ ମିର୍ଜାପୁରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଅନୁପ୍ରିୟା ଦଳର ବିଦ୍ରୋହୀ ସାଜିଥିଲେ । ପରେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଦଳରୁ ବିଦା କରିଥିଲେ କୃଷ୍ଣା । ଆଉ ଏହାପରେ ୨୦୧୬ରେ ଅନୁପ୍ରିୟା ପଟେଲ ନିଜର ନୂଆ ଦଳ ଅପନା ଦଳ(ଏସ) ଗଠନ କରିଥିଲେ । ଅନ୍ୟପଟେ ପୁରୁଣା ଅପନା ଦଳର ମଙ୍ଗ ଏବେ ବି କୃଷ୍ଣା ପଟେଲଙ୍କ ପାଖରେ ଥିବା ବେଳେ ତାଙ୍କର ଝିଅ ପଲ୍ଲବୀ ମଧ୍ୟ ଏହି ଦଳରେ ସାମିଲ ଅଛନ୍ତି ।