ମୋଦି କ୍ୟାବିନେଟର ମହିଳା ବ୍ରିଗେଡ୍ : ଏହି ୬ ମହିଳା ମନ୍ତ୍ରୀ କରିବେ ଦେଶବାସୀଙ୍କ ପ୍ରତିନିଧିତ୍ୱ

249

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗୁରୁବାର ଦିନ ଶପଥ ନେଲେ । ଯେଉଁଥିରେ ଅମେଠିରୁ ସାଂସଦ ହୋଇଥିବା ସ୍ମୃତି ଇରାନୀଙ୍କ ସମେତ ୬ ମହିଳା ମନ୍ତ୍ରୀମାନେ ଶପଥ ନେଇଛନ୍ତି । ନୂଆ ସରକାରରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ଗତ ସରକାରର ତୁଳନାରେ କମ୍ ଅଛି । କିନ୍ତୁ ୨୦୧୯ରେ ଅଧିକ ମହିଳା ସାଂସଦ ହୋଇ ଆସିଛନ୍ତି । ମୋଦିଙ୍କ ନେତୃତ୍ୱାଧିନ ଗତ ସରକାରରେ ୯ ମହିଳା ମନ୍ତ୍ରୀ ସାମିଲ ଥିଲେ, ଯେବେକି ୨୦୧୯ର କ୍ୟାବିନେଟରେ ମାତ୍ର ୬ଜଣ ମହିଳାଙ୍କୁ ମନ୍ତ୍ରୀ କରାଯାଇଛି । ଏବର୍ଷ ଲୋକସଭା ନିର୍ବାଚନରୁ ସୁଷମା ସ୍ୱରାଜ ଦୂରେଇ ରହିଲେ । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୦୧୯ ଲୋକସଭା ନିର୍ବାଚନରେ ଭାଗ ନେଇନଥିଲେ । ଉମା ଭାରତୀ ଏଥର ନିର୍ବାଚନୀ ମୈଦାନକୁ ଆସିନଥିଲେ ସେଥିପାଇଁ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଲା ନାହିଁ । ଏଠି ଆମେ ମୋଦି କ୍ୟାବିନେଟର ମହିଳା ବ୍ରିଗେଡ ବିଷୟରେ ଚର୍ଚ୍ଚା କରୁଛେ । ଆସନ୍ତୁ ନଜର ପକାଇବା ମୋଦି କ୍ୟାବିନେଟର ୬ ମହିଳା ମନ୍ତ୍ରୀଙ୍କ ଉପରେ ।

୧. ସ୍ମୃତି ଇରାନୀ : ସ୍ମୃତି ଇରାନୀ ଅମେଠି ଲୋକସଭା ଆସନରୁ ୫୫ ହଜାର ଭୋଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ । ଏବର୍ଷ ଇରାନୀଙ୍କୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି ।

୨. ନିର୍ମଳା ସୀତାରମଣ : ଗତ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ନିର୍ମଳା ଓ ସେ ରାଜ୍ୟସଭା ସଦସ୍ୟ ମଧ୍ୟ । ଏଥର ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ରକ୍ଷା ମନ୍ତ୍ରାଳୟ ସମ୍ଭାଳିବା ପୂର୍ବରୁ ସୀତାରମଣ ୨୦୧୪ରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟର ସ୍ୱତନ୍ତ୍ର ବିଭାଗ ସମ୍ଭାଳିଥିଲେ । ଏହି ବିଭାଗ ସମ୍ଭାଳିବା ପୂର୍ବରୁ ସେ ସୁଷମା ସ୍ୱରାଜଙ୍କ ପରେ ଦଳର ଦ୍ୱିତୀୟ ମହିଳା ପ୍ରବକ୍ତା ରହିଥିଲେ ।

୩. ନିରଞ୍ଜନ ଜ୍ୟୋତି : ଉତ୍ତର ପ୍ରଦେଶ ଫତେହପୁରର ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି । ଜ୍ୟୋତି ଅତ୍ୟନ୍ତ ଗରୀବ ପରିବାରରୁ ଆସିଛନ୍ତି ।

୪. ରେଣୁକା ସିଂହ : ଛତିଶଗଡ ସରଗୁଜାରୁ ନିର୍ବାଚିତ ହୋଇଥିବା ରେଣୁକା ସିଂହ ସରୁତା କଂଗ୍ରେସ ନେତା ଖେଲସାୟ ସିଂହଙ୍କୁ ୧ଲକ୍ଷ ୫୭ ହଜାର ଭୋଟରେ ହରାଇଛନ୍ତି । ରେଣୁକାଙ୍କୁ ଆଦିବାସୀ ମାମଲାର ରାଜ୍ୟମନ୍ତ୍ରୀ ଦାୟିତ୍ୱ ମିଳିଛି ।

୫. ଦେବଶ୍ରୀ ଚୌଧୁରୀ : ପଶ୍ଚିମବଙ୍ଗର ରାୟଗଞ୍ଜରୁ ସାଂସଦ ଦେବଶ୍ରୀ ଚୌଧୁରୀଙ୍କୁ ମନ୍ତ୍ରୀପରିଷଦରେ ସାମିଲ କରାଯାଇଛି । ଏଥର ଦେବଶ୍ରୀଙ୍କୁ ମହିଳା ଏବଂ ବାଳ ବିକାଶ କଲ୍ୟାଣର ରାଜ୍ୟ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି ।

୬. ହରସିମରତ କୌର : ଏଥର ମହିଳା ମନ୍ତ୍ରୀଙ୍କ ମଧ୍ୟରେ ଭଟିଣ୍ଡାର ସାଂସଦ ହରସିମରତ କୌରଙ୍କୁ ସ୍ଥାନ ମିଳିଛି । ହରସିମରତ କୌର ବାଦଲ ଅକାଳୀ ଦଳରୁ ଭଟିଣ୍ଡାର ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କୁ ଏଥର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ମିଳିଛି ।