‘ଫେସ୍-ଆପ୍’କୁ ସାବଧାନ ! ବୁଢା ହେବାର ଚିତ୍ର ଦେଇ ଚୋରି କରିପାରେ ସବୁ ତଥ୍ୟ । ସତର୍କ ପାଇଁ ବିଶେଷଜ୍ଞ ପରାମର୍ଶ

3,291

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଚାଲିଛି ବୁଢା ହେବାର ପ୍ରତିଯୋଗିତା । ସେଲିବ୍ରିଟିଙ୍କ ବୃଦ୍ଧାବସ୍ଥା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ସମସ୍ତଙ୍କୁ ଘାରିଛି ବୁଢା ହେବାର ନିଶା । ସତ ସତିକା କିମ୍ବା ବୟସରେ ବୁଢା ହେବାର ନିଶା ଘାରିନି । ଯୁବ ଅବସ୍ଥାରେ ଥାଇ ବୁଢା ହେଲେ କେମିତି ଦିଶିବେ ସେହି ନିଶା ସମସ୍ତଙ୍କୁ ଘାରିଛି । ତେଣୁ ଏବେ ସମସ୍ତେ ନିଜ ଫଟୋକୁ ବୁଢା କରି ନିଜ ନିଜ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି ।

ବଲିଉଡ ସୁପରହିଟ ଯୋଡି ରଣବୀର-ଦୀପିକା, ଅର୍ଜୁନ କପୁର, ବରୁଣ ଧୱନ ଏବଂ ବିରାଟ କୋହଲିଙ୍କ ବୁଢା ହେବାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବା ପରେ ସମସ୍ତେ ନିଜ ନିଜ ମୋବାଇଲରେ ଫେସ ଆପ୍ ଡାଉନଲୋଡ କରି ନିଜ ବୟସ୍କ ଚେହେରାକୁ ଦେଖିପାରୁଛନ୍ତି ଆଉ ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଛାଡୁଛନ୍ତି । ତେବେ ଏହି ଆପ ଯେତିକି ଲୋକାଦୃତି ପାଉଛି ସେତିକି ତାର ଗୋପନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫେସଆପ ବ୍ୟବହାର ଦ୍ୱାରା ଆପଣଙ୍କ କିଛି ଅସୁବିଧା ହେବ ନାହିଁ ତ ? ଯଦି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ କମ୍ପାନି ସର୍ଭରକୁ ଚାଲିଯାଏ ତେବେ ଆପଣଙ୍କ ପ୍ରତି ବିପଦ ନାହିଁ ତ ?

ମିଳିଥିବା ସୂଚନା ଅନୁସାରେ ଋଷିଆରେ ଡେଭେଲପ ହୋଇଥିବା ଏହି ଫେସଆପକୁ ଆପଣ ନିଜ ମୋବାଇଲରେ ଡାଉନଲୋଡ କରିବା ସହ ଏହାକୁ ବ୍ୟବହାର କରିପାରିବେ । କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋବାଇଲରେ ଥିବା ସମସ୍ତ ଫଟୋ ଏବଂ ଡାଟା ଫେସଆପ ନିକଟକୁ ଚାଲିଯିବ । ଆପଣ ଫେସଆପକୁ ଡିଲିଟ କଲେ ମଧ୍ୟ ନିଆଯାଇଥିବା ଫଟୋ ଏବଂ ଡାଟା ଗୁଗୁଲ ଏବଂ ଆମାଜନ ଅକ୍ତିଆରରେ ରହିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ମୋବାଇଲରୁ ଯାଇଥିବା ଫଟୋ ଏବଂ ଡାଟା ବିଶ୍ୱର ସେହି ଦେଶମାନଙ୍କୁ ପଠାଯାଇପାରିବ ଯେଉଁଠାରେ ଫେସଆପ ବ୍ୟବହାର କରାଯାଉଛି । ଫେସଆପ କମ୍ପାନିକୁ ବ୍ୟବହାରକାରୀ ସମସ୍ତ ଫଟୋ ଏବଂ ଡାଟା ନେବାପାଇଁ ଅନୁମତି ଦେଉଥିବାରୁ କମ୍ପାନି ଏ ସବୁର ବ୍ୟବହାର କରିପାରିବ । ଯାହାକି ଆପଣଙ୍କ ପ୍ରାଇଭେସୀ ଉପରେ ଆଂଚ ଆଣିବାର ଆଶଙ୍କା ମଧ୍ୟ ରହିଛି । ବୋଲି ସାଇବର ଏକ୍ସପର୍ଟମାନେ କହିଛନ୍ତି ।

ତେବେ ୨୦୧୭ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଏହି ଫେସଆପ ଏଯାଏଁ ଏକ ହଜାର ଲକ୍ଷ ଲୋକଙ୍କ ବୟସ୍କ ଫଟୋ ତିଆରି କରିସାରିଛି । ଫେସଆପ ହେଉ କିମ୍ବା ଅନ୍ୟ କୌଣସି ଆପ ଯଦି ଆପଣ ଏହାର ଡାଉନଲୋଡ କରି ବ୍ୟବହାର କରୁଛନ୍ତି ତେବେ ସତର୍କ ରୁହନ୍ତୁ । କାରଣ କେତେବେଳେ ବି ଚୋରି ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ।