ଦୁଇଥର ବିଧାୟକ ପରେ ଏବେ ଉତ୍ତରାଖଣ୍ଡର ସବୁଠାରୁ କମ ବୟସରେ ମୁଖ୍ୟମନ୍ତ୍ରୀ ହେଲେ ପୁଷ୍କରସିଂ ଧାମୀ । ଜାଣନ୍ତୁ ରାଜନୀତିରେ କିଭଳି ରହିଛି ପୁଷ୍କରଙ୍କ ଛବି

446

କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୪୬ ବର୍ଷିୟ ପୁଷ୍କରସିଂ ଧାମୀ । ରାଜ୍ୟରେ ୪ ମାସ ମଧ୍ୟରେ ଧାମୀ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ୪ ମାସ ପୂର୍ବରୁ ତ୍ରୀବେନ୍ଦ୍ର ସିଂଙ୍କ ଇସ୍ତଫା ପରେ ତୀରଥସିଂ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏବେ ତୀରଥ୍ ସିଂ ରାୱତଙ୍କ ଇସ୍ତଫା ପରେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମୀଙ୍କ ନାମ ଘୋଷଣା କରାଯାଇଛି ।

କହିରଖୁ କି ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଜଣ ମୁଖ୍ୟମନ୍ତ୍ରୀ ଶପଥ ନେଇ ସାରିଛନ୍ତି । ହେଲେ ଏବେ ସବୁଠାରୁ କମ ବୟସର ମୁଖ୍ୟମନ୍ତ୍ରୀ ଦେଖିବ ଉତ୍ତରାଖଣ୍ଡ । ପୁଷ୍କରସିଂ ଧାମୀ ଉ଼ଦ୍ଦମସିଂ ନଗର ଖଟିମା ବିଧାନସଭାରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୪୬ ବର୍ଷିୟ ଧାମୀ ବିଜେପିର ଜଣେ ଟାଣୁଆ ଯୁବନେତା । ସେ ସେପ୍ଟେମ୍ବର ୧୬ ତାରିଖ ୧୯୭୫ ମସିହାରେ ରାଜ୍ୟର ସୀମାନ୍ତ ଜିଲ୍ଲା କୁହାଯାଉଥିବା ପିଥୋରାଗଡର ଟୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରର ଅଧିକାଂଶ ପୁରୁଷ ସେନାରେ ଚାକିରି କରିଥିବା ବେଳେ ରାଜନୀତିରେ ପାଦ ଥାପିଥିଲେ ପୁଷ୍କର । ଧାମୀଙ୍କର ପ୍ରାରମ୍ଭିକ ଶିକ୍ଷା ଗାଁ ସ୍କୁଲରେ ହୋଇଥିବା ବେଳେ ଲଖଲଓ ୟୁନିଭରସିଟିରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମ୍ୟାନେଜମେଣ୍ଟ କୋର୍ଷରେ ଧାମୀ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି । ଧାମୀଙ୍କୁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ ଗୋଆ ଓ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଅବସ୍ଥାପିତ ଭଗତସିଂ କୁସିୟାରୀଙ୍କ ପାଖଲୋକ ବୋଲି କୁହାଯାଇଥାଏ । ହେଲେ ରାଜନୀତିରେ ପୁଷ୍କର ଏକ ନିର୍ବିବାଦୀୟ ନେତା ଭାବେ ବେସ୍ ପରିଚିତ ।

ହେଲେ ଉତ୍ତରାଖଣ୍ଡରେ ଏବେ ଯେଭଳି ଭାବେ ରାଜନୀତି ଚାଲିଛି ତାହା ମଧ୍ୟରେ ପୁଷ୍କର ରାଜ୍ୟର ସର୍ବଶ୍ରେଷ୍ଠ ପଦ ସମ୍ଭାଳିବା ଏତେ ସହଜ କଥା ନୁହେଁ । ହେଲେ ଦଳର ନିଷ୍ପତ୍ତିକୁ ଗ୍ରହଣ କରି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ପୁଷ୍କର ଦଳପାଇଁ କେତେ ସଫଳତା ସାଉଣ୍ଟିବେ ତାହା ସମୟ କହିବ ।