ପୱନ ଜହ୍ଲାଦର ଏମିତି ଏକ ସତ, ଯାହା ବୋଧହୁଏ ଆପଣ ଜାଣିନାହାନ୍ତି । ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ଥିବା କହିଲେ ପୱନ । 

1,187

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି ହେବା ପରେ ସେମାନଙ୍କୁ ଫାଶୀ ଦେବାକୁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଜାନୁଆରୀ ୨୨ରେ ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ମୃତ୍ୟୁ ପରୱାନା ଜାରି କରାଯାଇଛି । ଆଉ ଏହି ଖବର ସାମ୍ନାକୁ ଆସିବା ସବୁଠୁ ଅଧିକ ଖୁସି ହୋଇଛନ୍ତି ପୱନ ଜହ୍ଲାଦ । ପୱନ କହିଛନ୍ତି, ଏହି ୪ ଯୌନରାକ୍ଷସଙ୍କୁ ଫାଶୀ ଦେଲେ ମୋତେ ଶାନ୍ତି ମିଳିବ । ଆଉ ଏଥିପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । କେବଳ ସରକାରୀ ଆଦେଶ ମିଳିବା ମାତ୍ରେ ତିହାର ଅଭିମୁଖେ ଯାତ୍ରା କରିବି ବୋଲି କହିଛନ୍ତି ପୱନ ।  ତେବେ ପୱନ ପ୍ରଥମ ଥର ପାଇଁ କାହାକୁ ଫାଶୀ ଦେବାକୁ ଯାଉଛନ୍ତି ।

ମେରଠର ବାସିନ୍ଦା ପୱନଙ୍କ ପୂର୍ବ ଚାରି ପିଢି ମଧ୍ୟ ଜହ୍ଲାଦ ଭାବେ କାର୍ଯ୍ୟ କରିଛନ୍ତି । ଦୀର୍ଘ ବର୍ଷ ହେବ ପୱନଙ୍କ ପରିବାର ଏହି କାର୍ଯ୍ୟ କରି ଆସୁଛନ୍ତି । ବାପା ଓ ଦାଦାଙ୍କ ମୃତ୍ୟୁ ପରେ ପୱନ ଏହି ବୃତ୍ତିକୁ ଆପଣାଇ ନେଇଥିଲେ । ଛୋଟ ବେଳୁ ବାପା ଓ ଦାଦାଙ୍କ ଠାରୁ ଫାଶୀ ଦେବାର ପ୍ରକ୍ରିୟା ବାବଦରେ ଶୁଣିଥିଲେ ମଧ୍ୟ ଏଯାଏଁ କାହାକୁ ଫାଶୀ ଦେବାର ସୁଯୋଗ ପାଇନାହାନ୍ତି ପୱନ । ବାପା ଓ ଦାଦା ଅନେକ ଅଭିଯୁକ୍ତଙ୍କୁ ଫାଶୀ ଦେଇଥିବା ବେଳେ କସାବକୁ ମଧ୍ୟ ଫାଶୀ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ପୱନଙ୍କ ବାପା । କିନ୍ତୁ କସାବକୁ ଫାଶୀ ଦେବା ପୂର୍ବରୁ ପୱନଙ୍କ ବାପା ମୃତ୍ୟୁ ବରଣ କରିଥିଲେ ।

ପୱନ ଜହ୍ଲାଦ ସିନା କାହାକୁ ଫାଶୀ ଖୁଣ୍ଟରେ ଚଢାଇ ନାହାନ୍ତି କିନ୍ତୁ ବାପା ଓ ଦାଦାଙ୍କୁ ଫାଶୀ କାମରେ ସାହାଯ୍ୟ କରିଛନ୍ତି । ଦାଦା କାଳୁ ଜହ୍ଲାଦ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତୱନ୍ତ ସିଂ ଓ କେହର ସିଂଙ୍କୁ ଫାଶୀ ଦେଇଛନ୍ତି । ୫୬ ବର୍ଷୀୟ ପୱନ କହିଛନ୍ତି, ୩ ବର୍ଷ ପୂର୍ବରୁ ଯେତେବେଳେ ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଫାଶୀ ଦିଆଯିବାକୁ ସ୍ଥିର ହୋଇଥିଲା ସେତେବେଳେ ଫାଶୀ ଦେବାକୁ ମୋତେ ବଛାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଫାଶୀଦଣ୍ଡକୁ ଘୁଞ୍ଚାଇ ଦିଆଯାଇଥିଲା ।

ଫାଶୀ ପ୍ରକ୍ରିୟାକୁ ନେଇ ପୱନ କହିଛନ୍ତି,  ଫାଶୀ ଦିଆଯିବା ପୂର୍ବରୁ ପ୍ରସ୍ତୁତି କରିବାକୁ ପଡିଥାଏ । ଅଭିଯୁକ୍ତଙ୍କ ଓଜନର ବାଲି ବସ୍ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଏଭଳି ପ୍ରସ୍ତୁତି କରିବାକୁ ପଡିଥାଏ । ବାରମ୍ବାର ଏଭଳି କରାଯିବା ପଛର ମୁଖ୍ୟ କାରଣ ହେଉଛି, ଫାଶୀ ଦିଆଯିବା ସମୟରେ ଯେପରି କୌଣସି ତ୍ରୁଟି ନହୁଏ । ଜହ୍ଲାଦ ଭାବେ କାମ କରୁଥିବା ପୱନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୫୦୦୦ ଟଙ୍କା ମିଳିଥାଏ । ଏହାଛଡା ପୱନ ସାଇକେଲରେ ବୁଲି ବୁଲି ଲୁଗା ବିକ୍ରି କରି ନିଜର ପରିବାର ପୋଷିଥାନ୍ତି । ତେବେ ପୱନଙ୍କ ପରେ ତାଙ୍କ ପୁଅ ଜହ୍ଲାଦ ଭାବେ କାମ କରିବାକୁ ଚାହୁଁନାହାନ୍ତି । ଏବେ ପୱନଙ୍କୁ ମିଶାଇ ଦେଶରେ ୨ ଜଣ ଜହ୍ଲାଦ ରହିଛନ୍ତି ।