କନକ ବ୍ୟୁରୋ: ସୋସିଆଲ୍ ମିଡିଆରେ କେବେ ନା କେବେ ଆପଣ ଏହି ଚେହେରା ନିଶ୍ଚୟ ଦେଖିଥିବେ । ବିଶେଷ କରି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ମିମସରେ । ଏହି ଚେହେରା ଆପଣଙ୍କୁ କେବେ ନା କେବେ ହସାଇଥିବ ଆଉ ତାକୁ ଆପଣ ସେଆର୍ କରିଥିବେ । ଆଉ ସେଆର୍ କଲାବେଳେ, ଏହା ଗୋଟିଏ ଛୋଟ ଛୁଆର ମଜାଳିଆ ଢଙ୍ଗ ବୋଲି ଭାବୁଥିବେ । ହେଲେ ପ୍ରକୃତ କଥା କହିଲେ ଆପଣ ନିଶ୍ଚୟ ତାଜୁବ ହେବେ ।
ଆପଣ ଦେଖୁଥିବା ଏହି ଛୋଟ ଛୁଆଟି ଛୁଆ ନୁହେଁ ବରଂ ଜଣେ ୩୯ ବର୍ଷୀୟ ଲୋକ । ଆପଣ ସେଆର୍ କରୁଥିବା ଏହି ଛୁଆର ମିମ୍ସ ପଛରେ ଜଣେ ଜଣାଶୁଣା ଅଭିନେତା ଅଛନ୍ତି ତାହା ଆପଣ ବୋଧହୁଏ ଜାଣିନାହାନ୍ତି । ଓସିତା ଇମେ , ବର୍ତମାନ ସମୟରେ ତାଙ୍କୁ ମିମ୍ସ ଦୁନିଆର ମହାରାଜା କହିଲେ ବି ଭୁଲ ହେବନି । କାହିଁକି ନା ଭାଇରାଲ ହେଉଥିବା ମିମ୍ସ ଭିତରେ ତାଙ୍କ ଚେହେରା ହିଁ ସବୁଠୁ ଅଧିକ ଦେଖିବାକୁ ମିଳେ । ହେଲେ ମଜାକିଆ ଏହି ଛୋଟ ଛୁଆର ଚେହେରା ଭିତରେ ଜଣେ ୩୯ ବର୍ଷୀୟ ଲୋକ ଅଛନ୍ତି ତା ଆଜି ବି ଅନେକଙ୍କୁ ଅଜଣା ।
ଓସିତା ଇମେ ଜଣେ ନାଇଜେରିୟ ଫିଲ୍ମ ଅଭିନେତା । ତାଙ୍କର ଜନ୍ମ ୧୯୮୨ ମସିହା ନାଇଜେରିଆର ଏକ ଛୋଟ ସହରରେ ହୋଇଥିଲା । ତାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ଜଣେ ଲୋକପ୍ରିୟ ଅଭିନେତା । ହେଲେ ଏବେକାର ସୋସିଆଲ୍ ମିଡିଆ ଜମାନାରେ ସେ ଜଣେ ଲୋକପ୍ରିୟ ମିମସ୍ ଷ୍ଟାର ପାଲଟିଯାଇଛନ୍ତି । ଆପଣ ଦେଖୁଥିବା ଅନେକ ମିମସ ଭିଡିଓ, ଓସିତା ଇମେଙ୍କ ୨୦୦୨ ମସିହାରେ ରିଲିଜ୍ ହୋଇଥିବା ‘ଓକି ନା ଓକାବା’ ଏବଂ ‘ଷ୍ଟବର୍ନ ଫାଇଲ’ ଫିଲ୍ମର କିଛି କିଛି ଅଂଶ । ଯେଉଁଥିରେ ଦୁଇ ଭାଇ ନିଜ ଗାଁ ଏବଂ ସ୍କୁଲରେ କେମିତି ଉତ୍ପାତ ମତାଉଛନ୍ତି ତାହା ଦେଖିବାକୁ ମିଳିବ ।
ବହୁବର୍ଷ ଧରି ଅଭିନେତା ରହିଲେ ମଧ୍ୟ ଗତ କିଛି ବର୍ଷ ହେଲା ଓସିତା ଇମେ ହଠାତ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଲେ । ବିଶ୍ୱବିଖ୍ୟାତ ବିଭିନ୍ନ ଷ୍ଟାର ତାଙ୍କର ଭିଡିଓକୁ ସୋସିଆଲ୍ ମିଡିଆରେ ସେଆର୍ କଲେ । ଫେସବୁକଠାରୁ ଆରମ୍ଭ କରି ହ୍ୱାଟ୍ସଆପ, ଟୁଇଟରରେ ତାଙ୍କର ମିମସ୍ ଭାଇରାଲ୍ ହେବାରେ ଲାଗିଥିଲା । ଯାହା ଆଜି ତାଙ୍କୁ ବିଶ୍ୱର ଜଣେ ଲୋକପ୍ରିୟ ଚେହେରା ବନେଇସାରିଛି ।
ଓସିତା ଇମେ ତାଙ୍କ ଅଭିନୟ ପାଇଁ ମଧ୍ୟ ଅନେକ ସମ୍ମାନ ପାଇଛନ୍ତି । ସେ ପାଖାପାଖି ୧୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବାବେଳେ ତାଙ୍କୁ ଆଫ୍ରିକା ଫିଲ୍ମ ଆୱାର୍ଡରେ ଲାଇଫ୍ ଟାଇମ ଆଚିଭମେଟଂ ପୁରସ୍କାର ବି ଦିଆଯାଇଛି । ୨୦୧୧ରେ ନାଇଜେରିଆ ରାଷ୍ଟ୍ରପତି ଗୁଡଲକ୍ ଜନାଥନ ଅଭିନେତା ଓସିତା ଇମେଙ୍କୁ ତାଙ୍କ ଅଭିନୟ ପାଇଁ ସମ୍ମାନିତ କରିଥିଲେ ।