କନକ ବ୍ୟୁରୋ : ଆରମ୍ଭ ହୋଇଛି ଏସିଆ କପ୍ କ୍ରିକେଟ । ଏସିଆ ମହାଦେଶର ଶ୍ରେଷ୍ଠ ୬ଟି ଦଳ ମଧ୍ୟରେ ଟ୍ରଫି ହାତେଇବା ପାଇଁ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏସବୁ ଭିତରେ ସମସ୍ତଙ୍କ ନଜର ରହିଛି ସେପ୍ଟେମ୍ବର ୧୯ରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଉପରେ । ତେବେ ଭାରତ ନିଜର ଏସିଆ କପର ଅଭିଯାନ ହଂକଂ ବିରୋଧରେ ଆରମ୍ଭ କରିବ । ଲିଗ୍ ପର୍ଯ୍ୟାର‌୍ୟର ପ୍ରଥମ ମ୍ୟାଚରେ ହଂକଂକୁ ଭେଟିବ ରୋହିତଙ୍କ ଧୂରନ୍ଧର । ତେବେ ସବୁଠୁ ବଡ କଥା ହେଉଛି ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ବିରୋଧେରେ ଖେଳିବେ ଓଡିଆ ପୁଅ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଓଡିଆ ପୁଅ ଅଂଶୁମାନ ରଥଙ୍କୁ ଏସିଆ କପରେ ଭାରତ ବିପକ୍ଷରେ ଦେଖିବାକୁ ମିଳିବ ।

Advertisment

publive-imageଚଳିତ ଥର ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରି କରିଛି ହଂକଂ ଟିମ୍ । ଆଉ ଏହି ଟିମକୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି ହଂକଂ କ୍ରିକେଟ ଟିମର ଅଧିନାୟକ ତଥା ଓଡିଆ ପୁଅ ଅଂଶୁମାନ ରଥ । ୨୦ ବର୍ଷୀୟ ଅଂଶୁମାନଙ୍କ ଅଧିନାୟକତ୍ୱରେ ହଂକଂ ଟିମ୍ ୬ଷ୍ଠ ଦଳ ଭାବେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲା ।ଯୋଗ୍ୟତା ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଜିତି ୨୦୦୮ ପରେ ପୁଣିଥରେ ଏସିଆ କପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଆଉ ଏହି ସଫଳତାର ଶ୍ରେୟ ସମ୍ପୂର୍ଣ୍ଣ ଭାବେ ଅଧିନାୟକ ଅଂଶୁମାନ ରଥଙ୍କୁ ଦିଆଯାଉଛି ।

publive-imageଅଂଶୁମାନ ହଂକଂର ଜାତୀୟ ଦଳ ପକ୍ଷରୁ ଖେଳୁଥିଲେ ମଧ୍ୟ ସେ ଜଣେ ଓଡିଆ ଏକଥା ଅନେକ କ୍ରିକେଟପ୍ରେମୀ ହୁଏତ ଜାଣିନଥିବେ । ଅଂଶୁମାନଙ୍କର ହଂକଂରେ ଜନ୍ମ ହୋଇଛି ସତ । ସେଠାରେ ସେ ବଢିଛନ୍ତି କିନ୍ତୁ ପ୍ରକୃତ କଥା ହେଲା ତାଙ୍କ ବାପା-ମା ହେଉଛନ୍ତି ମୂଳତଃ ଓଡିଶାର । ଅଂଶୁମାନଙ୍କ ବାପା-ମା ୯୦ ଦଶକରେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ହଂକଂ ଚାଲିଯାଇଥିଲେ ଓ ପରେ ପରେ ସେହିଠାରେ ହିଁ ରହିଯାଇଥିଲେ । କିନ୍ତୁ ହଂକଂରେ ଜନ୍ମ ନେଇଥିଲେ ମଧ୍ୟ ଓଡିଶାକୁ ଅନେକ ଥର ଆସିଛନ୍ତି ଅଂଶୁମାନ । ଏପରିକି ଛୁଟି ମିଳିଲେ ଭୁବନେଶ୍ୱରରେ ରହୁଥିବା ଜେଜେବାପା-ଜେଜେ ମାଙ୍କ ନିକଟକୁ ଆସିଥାନ୍ତି ଅଂଶୁମାନ । ଏପରିକି ବେଶ ସହଜରେ ସେ ଓଡିଆ କହିପାରନ୍ତି । ଅଂଶୁମାନ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଦେଖି କ୍ରିକେଟର ହେବାର ସ୍ଵପ୍ନ ଦେଖିଥିଲେ। ମାତ୍ର ୬ ବର୍ଷ ବୟସରେ ସେ ୨୦୦୩ ବିଶ୍ଵ କପରେ ସଚିନଙ୍କ ବ୍ୟାଟିଂ ଦେଖି ଏତେ ପ୍ରଭାବିତ ହୋଇଯାଇଥିଲେ ଯେ କ୍ରିକେଟର ହେବାକୁ ସଂକଳ୍ପ ନେଇଥିଲେ।

publive-imageଅଂଶୁମାନଙ୍କ ବୟସ ମାତ୍ର ୨୦ ବର୍ଷ। ମାତ୍ର ହଂକ କଂଗରେ ତାଙ୍କର ତୂଳନା ଧୋନୀଙ୍କ ସହ କରାଯାଏ। ମାହିଙ୍କ ପରି ସେ ମଧ୍ୟ ଜଣେ ଓ୍ଵିକେଟ୍ କିପର। ବହୁତ କମ ବୟସରେ ତାଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଅଂଶୁମାନ ଏ ପର‌୍ୟ୍ୟନ୍ତ ନିଜ ଦଳ ପାଇଁ ମୋଟ୍ ୧୬ଟି ଦିନିକିଆ ମ୍ୟାଚ୍ ଖେଳି ୫୨.୫୭ ହାରରେ ୭୩୬ ରନ କରିଛନ୍ତି। ତାଙ୍କ ନାମରେ ଏକ ଶତକ ମଧ୍ୟ ରହିଛି ଏବଂ ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ୧୪୩ ରହିଛି। ଏସିଆ କପ ଯୋଗ୍ୟତା ପର‌୍ୟ୍ୟାୟ ମ୍ୟାଚରେ ସେ ହେଉଛନ୍ତି ଦ୍ଵିତୀୟ ସର୍ବାଧିକ ସ୍କୋରର। ସେହିପରି ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୩୨୧ ରନ କରିଛନ୍ତି ଅଂଶୁମାନ । ତେଣୁ ଭାରତ ବିପକ୍ଷରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ମ୍ୟାଚରେ ଅଂଶୁମାନ କେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ଏବେ ନଜର ରହିବ ।