ଆମେରିକାରେ ରହିଛି ଏକ ଅଭେଦ୍ୟ ଦୁର୍ଗ । ହ୍ୱାଇଟ୍ ହାଉସଠୁ ବି ଅଧିକ ଏହାର ସୁରକ୍ଷା ଦାୟିତ୍ୱ

335

କନକ ବ୍ୟୁରୋ: ଗୋଟିଏ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦେଶର ସବୁଠାରୁ ସୁରକ୍ଷିତ ଛାତ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଏମିତି ଏକ କୋଠା ବିଷୟରେ କହିବୁ ଯାହା କୌଣସି ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀଙ୍କ ବାସଭବନ ହୋଇନଥିଲେ ବି ତାକୁ ଭେଦ କରିବା କାଠିକର ପାଠ । ଅଭେଦ୍ୟ ଦୁର୍ଗ, ସବୁଠାରୁ ଶକ୍ତ ଏବଂ ଅତ୍ୟାଧୁନିକ କୌଶଳରେ ନିର୍ମାଣ ହୋଇଛି ଏମିତି ଏକ କୋଠା ଯାହା ବିଷୟରେ ଆପଣ ଜାଣିଲେ ତାଜୁବ୍ ହୋଇଯିବେ ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ଲୁଚି ରହିଥିବା ଏକ ରହସ୍ୟମୟ କୋଠାର କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ । କାରଣ ବିଶ୍ୱର ସବୁଠାରୁ ସୁରକ୍ଷିତ ଛାତ କୁହାଯାଉଥିବା ହ୍ୱାଇଟହାଉସ ଠାରୁ ବି ଏହି କୋଠା ବେଶ୍ ସୁରକ୍ଷିତ । ଯେଉଁଠି କୋଟି କୋଟି ଟଙ୍କାର ସୁନା ଗହଣା ଆଉ ମୂଲ୍ୟବାନ ଜିନିଷ ସାଇତା ହୋଇ ରଖାଯାଇଛି । ତାକୁ ସୁରକ୍ଷିତ ରଖିବା ପାଇଁ ଆମେରିକୀୟ ସେନା ଦିନରାତି କଡ଼ାପହରା ଦେଉଛନ୍ତି । ଆଉ ସେ ରହସ୍ୟମୟ କୋଠାର ନାଁ ହେଉଛି ‘ଫର୍ଟ ନକ୍ସ’ । କୁହାଯାଏ ଆମେରିକାର ସବୁଠୁ ସୁରକ୍ଷିତ ଘରମାନଙ୍କ ଭିତରୁ ଏହା ଗୋଟିଏ । ଏହାର ସୁରକ୍ଷା ପାଇଁ ହେଲିକପ୍ଟରଠାରୁ ଆରମ୍ଭ କରି ପ୍ରାୟ ୩୦ ହଜାର ଆମେରିକୀୟ ସୈନ୍ୟ ନିୟୋଜିତ ହୋଇଛନ୍ତି । ତା ସହ ଏହା ଉପରେ ଆଧୁନିକ ସିସିଟିଭି କ୍ୟାମେରାର ମଧ୍ୟ ୨୪ ଘଣ୍ଟିଆ ନଜର ରହିଥାଏ ।

ତେବେ ଆପଣ ଭାବୁଥିବେ କାହିଁକି ଏହି କୋଠାକୁ ଏତେ ସୁରକ୍ଷା ଭିତରେ ରଖାଯାଇଛି । ୟା ଭିତରେ ଏମିତି କଣ ଅଛି ଯେ ଏହି କୋଠାକୁ ଏତେ ସୁରକ୍ଷା ଦିଆଯାଉଛି । ଏହାର ଉତ୍ତର ହେଲା, ଏହି ଅଭେଦ୍ୟ କୋଠା ଭିତରେ ପାଖାପାଖି ୪୨ ଲକ୍ଷ କିଲୋରୁ ଅଧିକ ଓଜନର ସୁନା ଗଚ୍ଛିତ କରି ରଖାଯାଇଛି । କୁହାଯାଏ ଆମେରିକାରେ ଯେିତିକି ସୁନା ଅଛି ତା ଭିତରୁ ପ୍ରାୟ ଅଧା ସୁନା ଏହି କୋଠା ଭିତରେ ହିଁ ଅଛି । ଯେଉଁ କାରଣରୁ ଏହି କୋଠାକୁ ଏକ ଅଭେଦ୍ୟ ଦୁର୍ଗ ଭାବେ ଗଢାଯାଇଛି । ଖାଲି ସେତିକି ନୁହେଁ କୋଟି କୋଟି ଟଙ୍କାର ସୁନା ସହିତ ଏହି କୋଠା ଭିତରେ ଆହୁରି ବି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଛି । ଆମେରିକା ସ୍ୱାଧୀନତାର ଘୋଷଣା ପତ୍ର ଠାରୁ ଆରମ୍ଭ କରି ଆମେରିକା ସମ୍ବିଧାନର ଅସଲ କପିକୁ ଏହି କୋଠା ଭିତରେ ସାଇତି କରି ରଖାଯାଇଛି । ଯେଉଁ କାରଣରୁୁ ଆମେରିକାର ଟ୍ରେଜେରୀ ବିଭାଗ ଏହାକୁ ଏପରି ଏପରି କଡା ସୁରକ୍ଷା ଭିତରେ ରଖିଛି ।

୧୯୩୬ ମସିହାରେ ଏହି କୋଠାକୁ ନିର୍ମାଣ କରାଯାଇଥିଲା । ଏହାର ଚାରିପାଖରେ ଗ୍ରାନାଇଟରେ ପାଚେରୀ ନିର୍ମାଣ ହୋଇଛି । ଯାହାକୁ ପାର୍ କରିବା କୌଣସି ଲୁଟେରା ପାଇଁ କାଠିକର ପାଠ ହୋଇପାରେ । ଏହାସହ ଏହି ଘରର କବାଟ ଗୁଡିକ ୨୦ ଟନରୁ ଅଧିକ ଓଜନର ହୋଇଥିବାବେଳେ ଏହାକୁ ଭାଙ୍ଗିବା କାହା ପାଇଁ ବି ମୁସ୍କିଲ୍ ହୋଇପାରେ । ଭୂମିକମ୍ପ ହେଉଁ ବା କିଛି ବି ପ୍ରାକୃତିକ ବିପଦ ଏହାର କୌଣସି ବି ପ୍ରଭାବ ଏହା ଉପରେ ପଡିବନି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ଆଜି ବି ଏହି କୋଠା ଭିତରେ କେଉଁଠି ସୁନା ଅଛି ଆଜି ବି ତା ଅନେକ ଲୋକଙ୍କୁ ଅଜଣା । ଏହି କୋଠାକୁ ଖୋଲିବା ପାଇଁ ଏକ ସ୍ୱତନ୍ତ୍ର ପାସୱାଡ୍ ରହିଛି । ଆଉ ଏହି ପାସୱାଡ ଦୁଇ ଭାଗ ହୋଇ ଦୁଇ ଜଣ ଲୋକଙ୍କ ପାଖରେ ଅଛି । ଏହି ଦୁଇ ଜଣ ଲୋକ କିଏ ତାହା ସେମାନେ ନିଜେ ହିଁ ଜାଣିନଥାନ୍ତି । ଯେଉଁ କାରଣରୁ ଏହାକୁ ବିଶ୍ୱର ଏକ ସୁରକ୍ଷିତ କୋଠା ବୋଲି କୁହାଯାଏ ।