ଅମିତ ରୋହିଦାସଙ୍କ ସଫଳତା ପଛର ସୂତ୍ରଧର ଗୁରୁ ବିଜୟ ଲାକ୍ରା । ୩୦ରୁ ଅଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଦେଇଛନ୍ତି ପ୍ରଶିକ୍ଷଣ ।
କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରେ ଏଭଳି ଅନେକ ଗୁରୁ ଅଛନ୍ତି, ଯେଉଁମାନେ ଯୋଗ୍ୟ ଶିଷ୍ୟ ତିଆରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶିକ୍ଷା ହେଉ କି କ୍ରୀଡ଼ା କ୍ଷେତ୍ର, ସବୁଥିରେ ଜିଲ୍ଲାର ଗୁରୁମାନଙ୍କର ବଳିଷ୍ଠ ଉପସ୍ଥିତି ଅନୁଭୂତ ହୁଏ। ତେବେ କ୍ରୀଡ଼ା ବିଶେଷକରି ସୁନ୍ଦରଗଡ ଜିଲ୍ଲାର ହକି ଗୁରୁମାନଙ୍କର ଉପଲବ୍ଧି ବିଶ୍ବ ବିଦିତ। ଏହି ହକି ଗୁରୁଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବିଜୟ ଲାକ୍ରା। ସଦ୍ୟ ସମାପ୍ତ ଟୋକିଓ ଅଲିମ୍ପିକ୍ର ପଦକ ବିଜେତା ଅମିତ ରୋହିଦାସଙ୍କୁ ପ୍ରଶିକ୍ଷଣ ଦେଇଥିବା ତଥା ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଅନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି କରିଥିବା ବିଜୟ ଲାକ୍ରା ଏବେ ବି କୋଚିଂରେ ବ୍ୟସ୍ତ। ପାନପୋଷ କ୍ରୀଡ଼ା ଛାତ୍ରାବାସର ଯୁବ ହକି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଅନ୍ତର୍ଜାତୀୟ ଖେଳାଳି ଗଢ଼ି ତୋଳିବାରେ ସେ ବ୍ରତୀ ଅଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ସଉନାମୁରା ଗାଁ ବିଶ୍ବ କ୍ରୀଡ଼ା ଜଗତରେ ଏକ ପରିଚିତ ନାଁ। କାରଣ ଏହି ଗାଁରେ ମହାନ ହକି ତାରକା ଦିଲୀପ ତିର୍କୀ, ଅଲିମ୍ପିଆନ ଅମିତ ରୋହିଦାସଙ୍କ ଭଳି ଖେଳାଳି ଜନ୍ମ ନେଇଥିଲେ। କେବଳ ଏତିକି ନୁହେଁ, ଏହି ଗାଁରେ ଜନ୍ମ ନେଇଥିଲେ ହକି କୋଚ୍ ବିଜୟ ଲାକ୍ରା। ପିଲାଟି ଦିନରୁ ହକି ପ୍ରତି ଆକର୍ଷିତ ହୋଇଥିଲେ ବିଜୟ। ଗାଁର ଧୂଳିମାଟିରେ ହକି ଅଭ୍ୟାସ କରିଥିଲେ। ନିଷ୍ଠାପର ପରିଶ୍ରମ ବଳରେ ସେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଏକାଧିକ ଜାତୀୟ ପ୍ରତିଯୋଗିତାରେ ରାଜ୍ୟର ପ୍ରତିନିଧିତ୍ବ କରି ଦଳ ପାଇଁ ସଫଳତା ଆଣିଥିଲେ। ସେ ହେଉଛନ୍ତି ଏଭଳି ଜଣେ ଖେଳାଳି, ଯିଏ ଦୁଇ ଦୁଇଟି ରାଜ୍ୟରୁ ପ୍ରତିନିଧିତ୍ବ କରିଥିଲେ। ୧୯୯୦ ମସିହାରେ ପଶ୍ଚିମବଙ୍ଗ ଏଜି ଅଫିସ୍ରେ ନିଯୁକ୍ତି ପାଇଥିବାରୁ ପଶ୍ଚିମବଙ୍ଗ ଦଳର ମଧ୍ୟ ପ୍ରତିନିଧିତ୍ବ କରିଥିଲେ।
୧୯୮୪ରୁ ୧୯୯୨ ମସିହା ପର୍ଯ୍ୟନ୍ତ ସେ ବହୁ ଜାତୀୟ ପ୍ରତିଯୋଗିତାରେ ପଡ଼ିଆକୁ ଓହ୍ଲାଇଥିଲେ। କ୍ରୀଡ଼ା ଜୀବନର ଶେଷ ଆଡ଼କୁ ସେ ପ୍ରଶିକ୍ଷଣ ଆଡ଼କୁ ମନ ବୋଳାଇଥିଲେ। ଏଣୁ ଏନ୍ଆଇଏସ୍(କୋଲକାତା)ରେ ହକି କୋଚିଂ ଶିକ୍ଷା ଗ୍ରହଣ କରିଥିଲେ। ସେଠାରେ ଡିପ୍ଲୋମା ଶିକ୍ଷା ସମାପ୍ତ ହେବାପରେ ଓଡ଼ିଶା ଫେରିଆସିଥିଲେ। ପରେ ୧୯୯୩ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରବାସରେ ପ୍ରଶିକ୍ଷକଭାବେ ଯୋଗଦେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ, ପ୍ରାୟ ୨୮ ବର୍ଷ ହେଲା ପଡ଼ିଆରେ ଯୁବ ପ୍ରତିଭା କୋଚିଂ ଦେବାରେ ବ୍ରତୀ ଅଛନ୍ତି।
ବିଜୟ ଲାକ୍ରା କେବଳ ଅଲିମ୍ପିଆନ ଅମିତ ରୋହିଦାସଙ୍କୁ ପ୍ରଶିକ୍ଷଣ ଦେଇନାହାନ୍ତି, ବରଂ ତାଙ୍କର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ଦ୍ବାରା ପ୍ରଶିକ୍ଷିତ ହୋଇଥିବା ଅନ୍ତର୍ଜାତୀୟ ପୁରୁଷ ଖେଳାଳି ହେଉଛନ୍ତି ବିକାଶ ଟପ୍ପୋ, ରୋଶନ ମିଞ୍ଜ୍, ଅମର ଦୀପ ଏକ୍କା, ସମୀର ବାଖଲା, ଦୀପସାନ ତିର୍କୀ, ଷ୍ଟାନଲୀ ଭିକ୍ଟର ମିଞ୍ଜ, ସୁଶାନ୍ତ ତିର୍କୀ, ସୁଶୀଳ ଲାକ୍ରା, ପ୍ରତାପ ଲାକ୍ରା, ବିପିନ କିଶୋର କେର୍କେଟା, ଆଶିଷ ଟପ୍ନୋ, ସୁମନ ବେକ, ସୁମିତ ଟପ୍ପୋ, ସୁଦୀପ ଚିରମାକୋ, ସାହୀଲ ନାୟକ, ଆକାଶ ଏକ୍କା, ଅମନ ବିରାସ ତିର୍କୀ। ସେହିଭଳି ମହିଳା ଅନ୍ତର୍ଜାତୀୟ ଖେଳାଳି ହେଉଛନ୍ତି ଆଗ୍ନେସୀଆ ଲୁଗୁନ, ପୌଲୀନା ସୁରୀନ, ଆନ୍ନାରୀତା କେର୍କେଟା, ସରିତା ଲାକ୍ରା, ଶୁଭଦ୍ରା ପ୍ରଧାନ, ବୀନିତା ଟପ୍ପୋ, ନିଳିମା କୁଜୁର, ରୀନାକାନ୍ତି ଏକ୍କା, ଅଞ୍ଜନା ବାର୍ଲା, ସରିତା ହନୁମାନ, ସୁମିତ୍ରା ତିର୍କୀ ଓ ଆଶ୍ରିତା ଲାକ୍ରା। ଏହାବାଦ୍ ତାଙ୍କ ଦ୍ବାରା ପ୍ରଶିକ୍ଷତ ଶତାଧିକ ଜାତୀୟ ଖେଳାଳି ମଧ୍ୟ ରାଜ୍ୟ ର ପ୍ରତିନିଧିତ୍ବ କରିସାରିଲେଣି।