କନକ ବ୍ୟୁରୋ : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗାମୀ ୧୩ରେ ହେବ ନିଟ ପରୀକ୍ଷା । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ପୂର୍ବରୁ ଭୁବନେଶ୍ୱର ସର୍କିଟ ହାଉସରେ ପରୀକ୍ଷା ପରିଚାଳନାକୁ ନେଇ ଆଜି ବୈଠକ ବସିଥିଲା । ଖୋର୍ଦ୍ଧ ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଏଥିରେ ଯୋଗ ଦେଇଥିଲେ ଏଡିଏମ, ନିଟ ରାଜ୍ୟ ସଂଯୋଜକଙ୍କ ସହ ବରିଷ୍ଠ ଅଧିକାରୀ । ପରୀକ୍ଷାର ସୁପରିଚାଳନା ନେଇ ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ, ଜେଇଇ ମେନ ଭଳି ନିଟ ପାଇଁ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ ରହିବ । ଅସୁସ୍ଥ ଥିବା ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ୨ ଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ ପିନ୍ଧି ପରୀକ୍ଷା ପରିଚାଳନା କରିବେ ।

Advertisment

ବାହାରୁ ଆସୁଥିବା ପିଲାଙ୍କ ପାଇଁ ରାଜଧାନୀରେ ୬ଟି ରହଣୀ କେନ୍ଦ୍ର କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭୁବନେଶ୍ୱରରେ ମୋଟ ୩୧ଟି ପରୀକ୍ଷା କେନ୍ଦ୍ରକୁ ୯ଟି ଜୋନରେ ବିଭକ୍ତ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଛାତ୍ରଛାତ୍ରୀଙ୍କୁ ସୁରଖୁରୁରେ ପରୀକ୍ଷା କେନ୍ଦ୍ରରେ ପହଂଚାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି ।