ଲକ୍ଷ୍ନୌ ଦଳକୁ ବଡ ଝଟକା । ଆଇପିଏଲରୁ ବାଦ୍ ପଡିଲେ କେ ଏଲ୍ ରାହୁଲ । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବି ପଡିପାରନ୍ତି ବାଦ୍

120

କନକ ବ୍ୟୁରୋ: ଆଇପିଏଲ୍ ଭିତରେ ଲକ୍ଷ୍ନୌ ଦଳକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ କେ ଏଲ ରାହୁଲ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ରାହୁଲ ଆଇପିଏଲରୁ ବାଦ୍ ପଡିବା ନେଇ ନିଜେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ଟୁଇଟ୍ କରି ସୂଚନା ଦେଇଥିବାବେଳେ, କେ ଏଲ୍ ରାହୁଲ ବାଦ୍ ପଡିବା ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି ।

ଲକ୍ଷ୍ନୌ ଦଳ ପକ୍ଷରୁ କୁହାଯାଇଛି ଯେ, ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଥିବା କେ ଏଲ ରାହୁଲ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ଅନୁପସ୍ଥିତି ଦଳ ନିଶ୍ଚୟ ଅନୁଭବ କରିବ । ତେବେ ଖୁବଶୀଘ୍ର ରାହୁଲ ସୁସ୍ଥ ହେବା ସହିତ, ପଡିଆକୁ ଫେରନ୍ତୁ ବୋଲି ଲକ୍ଷ୍ନୌ ଦଳ ପକ୍ଷରୁ କୁହାଯାଇଛି ।

କୁହାଯାଉଛି ରାହୁଲଙ୍କ ୨୦୨୩ ମସିହାର କ୍ରିକେଟ୍ ସଫର ଶେଷ ହୋଇଯାଇଛି । ଚଳିତ ବର୍ଷ ସେ ଆଉ କ୍ରିକେଟ୍ ଖେଳିନପାରନ୍ତି । ମୁମ୍ବାଇରେ ତାଙ୍କର ସ୍କାନ୍ ଶେଷ ହୋଇସାରିଛି । ଯାହା ପରେ ବିସିସିଆଇ ଏବେ ଏହି ଘଟଣାରେ ଦେଖାରଖା କରୁଛି । ତେବେ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ, ଗୋଟିଏ ଚୌକାକୁ ବଞ୍ଚେଇବାକୁ ଯାଇ ଆହତ ହୋଇଥିଲେ ରାହୁଲ । ହଠାତ୍ ତାଙ୍କ ଗୋଡ ରହିଯିବା ସହିତ, ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ତୁରନ୍ତ ସେ ପଡିଆରୁ ପଳାଇଯିବା ସହିତ, ରେଷ୍ଟ ନେଇଥିଲେ । ତେବେ ବ୍ୟାଟିଂ ବେଳକୁ ରାହୁଲ ଓପନିଂ ନଆସି, ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆଉ ବ୍ୟାଟିଂ କରିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ହେଲେ ଏବେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି ।

ଖାଲି ଆଇପିଏଲ୍ ନୁହେଁ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ମଧ୍ୟ ବାଦ୍ ପଡିପାରନ୍ତି ରାହୁଲ । ଗତ ୩ ତାରିଖରେ ତାଙ୍କର ସ୍କାନ୍ ହେଇଥିବାରୁ, ସ୍କାନର ରିପୋର୍ଟ ଏପର୍ଯ୍ୟନ୍ତ ଆସିନି । ତେଣୁ ରିପୋର୍ଟ ଆସିବା ପରେ ହିଁ, ରାହୁଲ କେତେ ମାସ କ୍ରିକେଟଠାରୁ ଦୂରରେ ରହିବେ , ସେନେଇ ପକ୍କା ହେଇଯିବ । ତେବେ ଜାତୀୟ ଗଣମାଧ୍ୟମର ଖବର ମୁତାବକ, ଅଷ୍ଟ୍ରେଲିଆ ସହ ହେବାକୁ ଥିବା ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ମିସ୍ କରିପାରନ୍ତି ରାହୁଲ ।

ରାହୁଲ ଆହତ ହୋଇ ଦଳରୁ ବାଦ୍ ପଡିବା ପରେ ଲକ୍ଷ୍ନୌ ଦଳ ତାଙ୍କ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାଁ ଘୋଷଣା କରିନି । ଟୁଣ୍ଣାମେଣ୍ଟର ପଏଣ୍ଟ ଟେବୁଲରେ ଏବେ ଲକ୍ଷ୍ନୌ ଦଳ ୨ ନମ୍ବରରେ ଥିବାବେଳେ, ପ୍ଲେ ଅଫ୍ ରେସରେ ଅଛି । ତେଣୁ ରାହୁଲ ଦଳରୁ ବାଦ୍ ପଡିବା ଦଳରେ କେତେ ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେଇଯିବ । ଅନ୍ୟପଟେ ଭାରତୀୟ ଦଳ କଥା ଯଦି କହିବା, ତେବେ ରାହୁଲ ଯଦି ଟେଷ୍ଟ ଚାମ୍ପିୟନସିପରୁ ବାଦ୍ ପଡନ୍ତି, ତେବେ ତାଙ୍କ ବଦଳ ଖେଳାଳି କିଏ ହେବ, ତାହା ହିଁ ବଡ ପ୍ରଶ୍ନ । ଆସନ୍ତା ୨୧ ତାରିଖରେ ଆଇପିଏଲ ଶେଷ ହେବା ପରେ, ୨୩ ତାରିଖରେ ଇଂଲଣ୍ଡ ବାହାରିବ ଟିମ୍ ଇଣ୍ଡିଆ । ତେଣୁ ଏହା ପୂର୍ବରୁ ରାହୁଲଙ୍କ ରିପ୍ଲେସମେଣ୍ଟ ଘୋଷଣା ହୋଇପାରେ । ତେବେ ରାହୁଲ ଜାଗାରେ କେଉଁ ଖେଳାଳି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିମରେ ସ୍ଥାନ ପାଉଛି ତାହା ଦେଖିବାକୁ ବାକି ରହିଲା ।