ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା, ଚିକିତ୍ସା ପାଇଁ ଲଣ୍ଡନ ପହଞ୍ଚିଲେ ରାହୁଲ । ବୁମରାଙ୍କୁ ନେଇ ବଡ ଅପଡେଟ ଦେଲା ଟିମ୍ ମ୍ୟାନେଜମେଣ୍ଟ ।

508

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ମ ତଥା ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା । ଆସନ୍ତା ମାର୍ଚ୍ଚ ୭ରୁ ଖେଳାଯିବ ୫ମ ଟେଷ୍ଟ । ତେବେ ୫ମ ଟେଷ୍ଟ ରାହୁଲ ଖେଳିବେ କି ନାହିଁ ତାହା ଉପରେ ସସପେନ୍ସ ଲାଗି ରହିଛି । କାରଣ ଆହତ କାରଣରୁ ରାହୁଲଙ୍କୁ ପୂର୍ବରୁ ବିଶ୍ରାମ ଦିଆଯାଇଛି । ସେହିଭଳି ଶେଷ ଟେଷ୍ଟରେ ଅନେକ ଖେଳାଳୀଙ୍କ ବିଶ୍ରାମ ଦେଇପାରେ ଟିମ୍ ମ୍ୟାନେଜମେଣ୍ଟ । କାରଣ ଶେଷ ମ୍ୟାଚ୍ ପୂର୍ବରୁ ସିରିଜ ଜିତି ସାରିଛି ଟିମ୍ ଇଣ୍ଡିଆ । ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବାକୁ ଏହି ମ୍ୟାଚରେ ବିଜୟୀ ହେବାକୁ ଚାହିଁବ ଟିମ୍ ଇଣ୍ଡିଆ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚିକିତ୍ସା ପାଇଁ ରାହୁଲ ବିଦେଶ ଗସ୍ତ କରିଛନ୍ତି । ପାଖାପାଖି ସପ୍ତାହେ ହେବ ରାହୁଲଙ୍କର ଚିକିତ୍ସା ଚାଲିଛି । ତୃତୀୟ ଟେଷ୍ଟ ପୂର୍ବରୁ ରାହୁଲ ଶତପ୍ରତିଶତ ଫିଟ୍ ହୋଇନଥିଲେ ମଧ୍ୟ ଦଳରେ ତାଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ପୁଣିଥରେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିଲା ବିସିସିଆଇ । ରାହୁଲଙ୍କ ଜଂଘର ମାଂସପେଶୀରେ ଗତବର୍ଷ ସର୍ଜରୀ ହୋଇଥିଲା । ଏବେ ସେହି ସ୍ଥାନରେ କଷ୍ଟ ଅନୁଭବ କରୁଛନ୍ତି ରାହୁଲ । ଚିକିତ୍ସା ଜାରି ରହିଥିବାରୁ ରାହୁଲ କେବେ ସୁଦ୍ଧା ଲଣ୍ଡନରୁ ଫେରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଚଳିତ ସିରିଜରେ ରାହୁଲ ପ୍ରଥମ ଟେଷ୍ଟରେ ୮୬ ଓ ୨୨ ରନର ଇନିଂସ ଖେଳିଥିଲେ । ଏହାପରେ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏହାପରେ ଆଉ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି ରାହୁଲ । ସେହିଭଳି ରାଞ୍ଚିରେ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଧର୍ମଶାଳା ଟେଷ୍ଟରେ ପୁଣିଥରେ ଫେରିବେ ବୁମରା । କିନ୍ତୁ କିଛି ଖେଳାଳୀଙ୍କୁ ଶେଷ ମ୍ୟାଚରେ ବିଶ୍ରାମ ଦେବାକୁ ଚିନ୍ତା କରୁଛି ଟିମ୍ ମ୍ୟାନେଜମେଣ୍ଟ ।