କନକ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ଦିଲ୍ଲୀ ଟେଷ୍ଟ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ସେତେବେଳେ ଏହି ଟିମରେ କୌଣସି ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିନଥିଲା । କେବଳ ଜୟଦେବ ଉନାଦକତ ରଣଜୀ ଟ୍ରଫି ଫାଇନାଲ ଖେଳିବା ପରେ ଦଳ ସହ ପୁଣିଥରେ ଯୋଗ ଦେଇଥିଲେ । ହେଲେ କିଛି ସମୟ ପରେ ହିଁ ସେହି ଟିମରେ କେ ଏଲ ରାହୁଲଙ୍କ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାହିଁକି ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ଦଳରେ କେ ଏଲ ରାହୁଲଙ୍କୁ ଉପ-ଅଧିନାୟକ ପଦରେ ରଖାଯାଇନଥିଲା ।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ କେ ଏଲ ରାହୁଲ ଦଳର ଉପ-ଅଧିନାୟକ ରହିିଥିଲେ । ହେଲେ ତୃତୀୟ ଓ ଚତୁର୍ଥ ଟେଷ୍ଟରେ କିନ୍ତୁ ସେପରି ହେଇନି । ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରାହୁଲଙ୍କଠାରୁ ଏବେ ଉପ-ଅଧିନାୟକ ପଦ ମଧ୍ୟ ଛଡେଇ ନିଆଯାଇଛି । ତେବେ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ହଟାଇବାକୁ ମଧ୍ୟ ଅନେକ ଦାବି ଉଠୁଥିଲା, ହେଲେ ଏହାପରେ ବି କେବଳ ପଦ ଛଡେଇ, ଟିମରେ ରାହୁଲଙ୍କୁ ଜାଗା ଦେଇଛି ମ୍ୟାନେଜମେଣ୍ଟ ।

କେ ଏଲ୍ ରାହୁଲ ଏହା ପୂର୍ବରୁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ମଧ୍ୟ ଉପ-ଅଧିନାୟକ ରହିଥିଲେ । ହେଲେ ଖରାପ ଫର୍ମ କାରଣରୁ ତାଙ୍କୁ ସେ ପଦରୁ ମଧ୍ୟ ହଟିବାକୁ ପଡିଥିଲା । ତେଣୁ ବର୍ତ୍ତମାନ ଟେଷ୍ଟ ଫର୍ମାଟରେ ମଧ୍ୟ ସେହି ସମାନ ଘଟଣା ଦେଖିବାକୁ ମିଳିପାରେ । ଦିନ ଥିଲା ରୋହିତଙ୍କ ପରେ ରାହୁଲ ହିଁ ଦଳର କମାଣ ଧରିବେ ବୋଲି କଥା ଉଠିଥିଲା । ହେଲେ ଖରାପ ଫର୍ମ ଯୋଗୁ ସେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିସାରିଛି ।

କେ ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ବାହାର କରିବା ପରେ ଦିନିକିଆ ଓ ଟି-୨୦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ ଦଳ ପାଇଁ କିଛି ମ୍ୟାଚରେ ନେତୃତ୍ୱ ବି ନେଇଥିଲେ । ଏଥିରେ ସଫଳ ହେବା ପରେ ଏବେ ପାଣ୍ଡ୍ୟା ନିୟମିତ ଭାବେ ଦିନିକିଆ ଓ ଟି-୨୦ ଦଳର ଉପ-ଅଧିନାୟକ ଓ ଅଧିନାୟକ ପଦରେ ରହିଆସୁଛନ୍ତି ।

ଜାଣିରଖିବା ଉଚିତ୍ ଯେ, ଗଲା ଦୁଇ ବର୍ଷ ଧରି କେ ଏଲ ରାହୁଲଙ୍କ ବ୍ୟାଟରୁ ସେଭଳି କୌଣସି ବଡ ଇଂନିସ୍ ଦେଖିବାକୁ ମିଳିନି । ଟି-୨୦ ଓ ଦିନିକିଆରେ ତାଙ୍କର ବ୍ୟାଟିଂ ସାମାନ୍ୟ ଭଲ ଥିଲେ ହେଁ, ଟେଷ୍ଟରେ କିନ୍ତୁ ସେ କୌଣସି କମାଲ କରିପାରୁନାହାଁନ୍ତି । ଏମିତି ଧିମା ବ୍ୟାଟିଂ କାରଣରୁ ରାହୁଲଙ୍କ ପ୍ରଭାବ ଟିମ୍ ଇଣ୍ଡିଆ ଉପରେ ମଧ୍ୟ ପଡୁଥିବା ଦେଖିବାକୁ ମିଳୁଛି ।