କୋହଲିଙ୍କ ପରେ କିଏ ହେବ ବାଙ୍ଗାଲୋରର କ୍ୟାପଟେନ? ଧୋନୀଙ୍କ ସାଥୀ ଖେଳାଳୀ ଦେଲେ ସଂକେତ ।

320

କନକ ବ୍ୟୁରୋ : ଆଇପିଏଲ ପାଇଁ ନଭେମ୍ବର ୩୦ ତାରିଖରେ ରିଟେନ ପ୍ରକ୍ରିୟା ଶେଷ ହେବ । ଆଉ ଏହାର ଦିନ କେଇଟା ପରେ ଆଇପିଏଲର ଆଗାମୀ ସିଜିନ ପାଇଁ ମହାନିଲାମୀ ଅନୁଷ୍ଠିତ ହେବ । ଖାସକରି ଚଳିତ ମହାନିଲାମୀରେ ଅନେକ ବଡ ବଡ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି । ଏପରିକି ମହାନିଲାମୀରୁ କିଛି  ଫ୍ରାଞ୍ଚାଇଜ ବଡ ବଡ ଚେହେରାଙ୍କୁ ଦଳରେ ସାମିଲ କରିବେ । ଯେଉଁମାନେ ଦଳର ନେତୃତ୍ୱ ନେବେ । ଖାସକରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଭଳି ଜଣେ ଖେଳାଳୀଙ୍କୁ ମହାନିଲାମୀରୁ କିଣିବାକୁ ଚାହିଁବ ଯିଏ ଆଗାମୀ କିଛି ସିଜିନ ପାଇଁ ଦଳର ମଙ୍ଗ ଧରିବ । କାରଣ ବାଙ୍ଗାଲୋର ଦଳର ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି । ଯେହେତୁ ଡିଭିଲିୟର୍ସ ମଧ୍ୟ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇ ସାରିଛନ୍ତି ତେଣୁ କୋହଲିଙ୍କ ବଦଳରେ ଦଳ କାହାକୁ ଅଧିନାୟକ ଦାୟିତ୍ୱ ଦେବ ତାହା ଏଯାଏଁ ସ୍ଥିର ହୋଇନାହିଁ ।

ବାଙ୍ଗାଲୋର ଅଧିନାୟକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଖେଳାଳୀ ଏସ୍ ବ୍ରଦିନାଥ ବଡ ବୟାନ ଦେଇଛନ୍ତି । ଟ୍ୱିଟରରେ ବଦ୍ରିନାଥଙ୍କୁ ଟ୍ୟାଗ କରି ଜଣେ ୟୁଜର୍ସ ବାଙ୍ଗାଲୋର ଅଧିନାୟକ କିଏ ହେବ ବୋଲି ପଚାରିଥିଲେ । ଆଉ ଏହାର ଉତ୍ତରରେ ବାଙ୍ଗାଲୋରର ବଦ୍ରିନାଥ କହିଥିଲେ, ବାଙ୍ଗାଲୋରର ମଙ୍ଗ କେ.ଏଲ ରାହୁଲ ଧରିପାରନ୍ତି । କେ.ଏଲ ରାହୁଲଙ୍କ ନାଁକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି କାରଣ ମହାନିଲାମୀ ପୂର୍ବରୁ ରାହୁଲଙ୍କୁ ପଞ୍ଜାବ ରିଲିଜ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ରାହୁଲଙ୍କୁ ନିଜ ଦଳରେ ବାଙ୍ଗାଲୋର ସାମିଲ କରିପାରେ ବୋଲି କୁହାଯାଉଛି । ଏହାଛଡା ଭାରତୀୟ ଟିମରେ କୋହଲିଙ୍କ ସହ ରାହୁଲ ଖେଳି ଆସୁଥିବାରୁ ଦଳର ସନ୍ତୁଳନ ମଧ୍ୟ ଭଲ ରହିବ ବୋଲି କୁହାଯାଉଛି ।

କେବଳ ବାଙ୍ଗାଲୋର ନୁହେଁ ରାହୁଲଙ୍କୁ ନିଜ ଦଳରେ ସାମିଲ କରିବାକୁ ନୂଆ କରି ଆଇପିଏଲରେ ସାମିଲ ହୋଇଥିବା ଦୁଇଟି ଫ୍ରାଞ୍ଚାଇଜ ମଧ୍ୟ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । କାରଣ ଗତ ୪ଟି ଆଇପିଏଲ ସିଜିନରେ ରାହୁଲ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି ।