ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ । ଧୱନଙ୍କୁ ହଟାଇ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ବିସିସିଆଇ ।

167

କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ । ଏହି ସିରିଜ ପାଇଁ ପୂର୍ବରୁ ଧୱନଙ୍କୁ ଅଧିନାୟକ ଘୋଷିତ କରାଯାଇଥିବା ବେଳେ ଏବେ ଏହି ସିରିଜର ନେତୃତ୍ୱ ଭାର କେ.ଏଲ ରାହୁଲଙ୍କୁ ଦେଇଛି ବିସିସିଆଇ । ଅଥାର୍ତ ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ । ଆଉ ଏହାସହ ଦୀର୍ଘ ଦିନ ପରେ ପୁଣିଥରେ କ୍ରିକେଟ ପଡିଆକୁ ଫେରିବେ ରାହୁଲ । ଆସନ୍ତା ଅଗଷ୍ଟ ୧୮ରୁ ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଶିଖର ଧୱନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି ।

୨୦୨୨ ଆଇପିଏଲ ପରଠାରୁ ଆହତ କାରଣରୁ କ୍ରିକେଟ ପଡିଆକୁ କମବ୍ୟାକ୍ କରିନଥିଲେ ରାହୁଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ସିରିଜ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ହିଁ ଆହତ କାରଣରୁ ସିରିଜରୁ ବାଦ ପଡିଥିଲେ ରାହୁଲ । ଯେଉଁଥିପାଇଁ ପନ୍ତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ରାହୁଲଙ୍କୁ ବାଦ୍ ଦିଆଯାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ରାହୁଲଙ୍କୁ କରୋନା ହୋଇଥିଲା । ଏହା ପରଠାରୁ ଜାତୀୟ କ୍ରିକେଟ ଏକାଡେମୀରେ ଝାଳବୁହା ପରିଶ୍ରମ କରୁଥିଲେ ରାହୁଲ । ଫିଟନେସ୍ ଟେଷ୍ଟ ପାସ୍ କରିବା ରାହୁଲଙ୍କୁ ଜିମ୍ବାୱେ ବିପକ୍ଷ ସିରିଜରେ ସ୍ଥାନ ମିଳିଛି ।

ତେବେ ବିସିସିଆଇର ଏଭଳି ନିଷ୍ପତ୍ତିକୁ ନେଇ କ୍ରିକେଟ ପ୍ରଂଶସକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶିଖର ଧୱନଙ୍କ ଠାରୁ ଏଭଳି ଭାବେ ଅଧିନାୟକ ଭାର ଛଡାଇ ନେବା ଉଚିତ୍ ନୁହେଁ ବୋଲି କ୍ରିକେଟ ପ୍ରଂଶସକ କହିଛନ୍ତି ।