କୋହଲି କିମ୍ବା ରୋହିତ ନୁହଁନ୍ତି, ବରଂ ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳୀ ପାକିସ୍ତାନ ପାଇଁ ଘାତକ ସାଜିବେ । ଜାଣନ୍ତୁ କଣ କହିଲେ ପୂର୍ବତନ ଅଷ୍ଟ୍ରେଲୀୟ ଦୁର୍ଦ୍ଦଷ ବ୍ୟାଟସମ୍ୟାନ୍?

1,740

କନକ ବ୍ୟୁରୋ : ଆସନ୍ତା ୨୪ରେ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେବେ ଏହାପୂର୍ବରୁ ଅଭ୍ୟାସ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ପାକିସ୍ତାନ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବଡ ସ୍କୋର କରି ମଧ୍ୟ ପରାଜିତ ହୋଇଛି । ତେବେ ମ୍ୟାଚକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ଟିମର ବ୍ୟାଟିଂ ପରାମର୍ଶଦାତା ମାଥ୍ୟୁ ହେଡେନ ବଡ ବୟାନ ଦେଇଛନ୍ତି । ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଗତ କିଛି ବର୍ଷ ହେବ ଭାରତୀୟ କ୍ରିକେଟରଙ୍କ ଉପରେ ନଜର ରଖିଛନ୍ତି ମାଥ୍ୟୁ । ଆଉ ଯେତେବେଳେ ପାକିସ୍ତାନ ଟିମ୍ ସହ ହେଡେନ ଯୋଡି ହୋଇଛନ୍ତି ସେତେବେଳେ କହିଛନ୍ତି, ବିଶ୍ୱକପରେ ରାହୁଲ ଓ ରିଷଭ ବେଶ ଭଲ ପ୍ରଦର୍ଶନ କରିପାରନ୍ତି । ହେଡେନ କହିଛନ୍ତି, ରାହୁଲଙ୍କ ପ୍ରଦର୍ଶନ ଉପରେ ତାଙ୍କର ନଜର ରହିଛି, ପାକିସ୍ତାନ ପାଇଁ ରାହୁଲ ବଡ ସଙ୍କଟ ଭାବେ ଉଭା ହୋଇପାରନ୍ତି । ଟି-୨୦ ଫର୍ମାଟରେ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଭାରତକୁ ଫ୍ରଣ୍ଟଫୁଟରେ ରଖିବ । ସେହିଭଳି ରିଷଭ ପନ୍ତ ମଧ୍ୟ ଯେକୌଣସି ବୋଲରଙ୍କ ଆକ୍ରମଣ କରି ମନୋବଳ ଭାଙ୍ଗିବାରେ ମାହିର ।

ଭାରତ-ପାକିସ୍ତାନ ମ୍ୟାଚରେ ନେତୃତ୍ୱ ନେବାର ଦକ୍ଷତା ବେଶ ତ୍ତଗୁରୁତ୍ୱପୂର୍ଣ୍ଣ । କାରଣ ୟୁଏଇରେ ଭୁଲ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ପାକିସ୍ତାନର ବାବର ଆଜମଙ୍କ ଉପରେ ଚାପ ରହିବ । କାରଣ ଟିମ୍ ଇଣ୍ଡିଆ ବାବରଙ୍କୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ । ତେଣୁ ବାବରଙ୍କୁ ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ନିଜକୁ ପ୍ରମାଣିତ କରିବାକୁ ହେବ ।