ପଞ୍ଚଭୂତରେ ବିଲୀନ ହେଲେ କଣ୍ଠଶିଳ୍ପୀ କେକେ । ଓଦା ଆଖିରେ ବିଦାୟ ଦେଲେ ପ୍ରଶଂସକ ଓ ସାଥୀ ।

251

କନକ ବ୍ୟୁରୋ: ହଜାର ହଜାର ସଂଖ୍ୟକ ପ୍ରଶଂସକଙ୍କ ଗହଣରେ ସବୁଦିନ ପାଇଁ ଅଲବିଦା କହିଲେ ଲୋକପ୍ରିୟ ଗାୟକ କେକେ । ମୁମ୍ବାଇର ବର୍ସୋଭା ମୁକ୍ତିଧାମ ଶଶ୍ମାନ ଘାଟରେ କେକେଙ୍କୁ ଶେଷ ବିଦାୟ ଦିଆଯାଇଛି । ପଞ୍ଚଭୂତରେ କେକେଙ୍କ ମରଶରୀର ଲୀନ ହେଉଥିବା ସମୟରେ ସ୍ଥାନୀୟ ଅଂଚଳ ବେଶ ଭାବବିହ୍ୱଳ ହୋଇଉଠିଥିଲା । ବୁଧବାର କୋଲକାତାରୁ ମୁମ୍ବାଇ ଆସି ପହଁଚିଥିଲା କେକେଙ୍କ ପାର୍ଥିବ ଶରୀର । ଭର୍ସୋବା ପାର୍କ କମ୍ପଲେକ୍ସରେ ଥିବା ବାସଭବନରେ ଶେଷ ଦର୍ଶନ ପାଇଁ କେକେଙ୍କ ମରଶରୀରକୁ କିଛି ଘଣ୍ଟା ପାଇଁ ରଖାଯାଇଥିଲା । ଗୁରୁବାର ସକାଳୁ ପ୍ରଶଂସକ ଓ କଳାଜଗତର ଅନେକ ବ୍ୟକ୍ତିବିଶେଷ ସେଠାରେ ପହଁଚି କେକେଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ମଙ୍ଗଳବାର କୋଲାକାତାର ଏକ କଲେଜରେ ଲାଇଭ କନସର୍ଟ ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ କେକେ । ପରେ ଶୋ ସାରି ସେ ନିଜ ହୋଟେଲକୁ ଯାଇଥିଲେ ଓ ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଘଟଣାକୁ ଅସ୍ୱାଭାବିକ କହି କୋଲକାତା ପୁଲିସ ମାମଲା ରୁଜୁ କରିଛି । ସେପଟେ ଶବବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କେକେଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବ କୁହାଯାଉଛି । ଏଥିସହ ତାଙ୍କ ଫୁସଫୁସ ଓ ବୃକ୍ ଜଟିଳ ସମସ୍ୟା ମଧ୍ୟ ରହିଥବା ଶବବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି ।

ସୋସିଆଲ ମିଡିଆରେ ଭାଇାରାଲ ହେଉଥିବା ଭିଡିଓ ଓ ଫଟୋ ମଧ୍ୟରେ ରହିଛି କିଭଳି କେକେ ଲାଇଭ ପରଫରମାନ୍ସ ସମୟରେ ଅସହଜ ମନେ କରୁଛନ୍ତି? କିଭଳି ଭୀଷଣ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି? ବାରମ୍ବାର ରୁମାଲରେ ଝାଳ ପୋଛିଥିଲେ ଓ ପାଣି ପିଇଥିଲେ? ଆୟୋଜକଙ୍କୁ ଅନେକବାର ଏସି କମ ଚାଲୁଥିବା ଅଭିଯୋଗ କରିଥିଲେ? ଶୋ ସରିବା ପରେ ତୁରନ୍ତ ସେଠାରୁ ସେ ହୋଟେଲକୁ ବାହାରିଥଲୋ ହୋଟେଲ ଲବିର ସିସିଟିଭି ଫୁଟେଜରେ ଚାଲି ଚାଲି ଯାଉଥିବା ଭିଡିଓ ଦେଖିବାକୁ ମିଳିଛି । ଲିପ୍ଟରେ ଅଧିକ ଅସୁସ୍ଥ ହୋଇ ମୁଣ୍ଡପୋତି ରହିଥିବା ଫଟୋ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି ।

ଶବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ କରାଯାଇଛି ସତ କିନ୍ତୁ ପ୍ରଶଂସକ ନିଜ ପ୍ରିୟ ଗାୟକଙ୍କ ଏଭଳି ହଠାତ ଆରପାରିକୁ ଚାଲିଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କେକେ ସେହି ସୁମଧରୁ କଣ୍ଠ,ନିଆରା ବ୍ୟକ୍ତିତ୍ୱ ଓ ସଂର୍ଘଷ ଭିତରେ ସଫଳତାର କାହାଣୀ ସବୁଦିନ ପାଇଁ ମନେ ରହିବ । ଅଲବିଦା କେକେ ।