କନକ ବ୍ୟୁରୋ : ଆଜି ପଞ୍ଜାବ କିଙ୍ଗସ୍ ଓ କୋଲକାତା ନାଇଡ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳ ପାଇଁ ବିଜୟ ଜରୁରୀ । ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚ୍ ଖେଳି ୫ଟିରେ ବିଜୟ ସହ ମୋଟ୍ ୧୦ ପଏଂଟ ହାସଲ କରିଛି । ପଏଂଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି କୋଲକାତା । ସେହିପରି ୧୧ ମ୍ୟାଚ୍ରୁ ୮ ପଏଣ୍ଟ୍ ପାଇ ଟେବୁଲର ସପ୍ତମ ସ୍ଥାନରେ ଥିବା ପଞ୍ଜାବ ଦଳ ଏହି ମ୍ୟାଚ୍ ଜିତିଲେ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିବ । ହାରିଲେ ପ୍ଲେ ଅଫ୍ ଖେଳିବା ସ୍ବପ୍ନ ପ୍ରାୟତଃ ଅଟକିଯିବ । ତେଣୁ ଏହା କେଏଲ୍ ରାହୁଲ ନେତୃତ୍ବାଧୀନ ପଞ୍ଜାବ ପାଇଁ ବଡ଼ ମ୍ୟାଚ୍ ରହିବ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତ ମ୍ୟାଚ୍ ପରାଜୟ ପରେ ରାହୁଲ ମାନିଥିଲେ ଯେ ତାଙ୍କ ଦଳ ଚାପରେ ଭଲ ଖେଳିପାରୁନି ଏବଂ ଭଲ ଲଢ଼େଇ ପାଇଁ ଆମକୁ ଆହୁରି ସଂଗଠିତ ହେବାକୁ ପଡ଼ିବ ।
ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରୁଥିଲା ବେଳେ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ବିଫଳ ହେବାରୁ ଦଳ ବଡ଼ ସ୍କୋର କି ପଶ୍ଚାତ୍ଧାବନ କରିପାରୁନି । ‘ୟୁନିଭର୍ସ ବସ୍’ କ୍ରିସ ଗେଲ୍ ୧୦ ମ୍ୟାଚ୍ରୁ ମାତ୍ର ୧୯୩ ରନ୍ କରିଛନ୍ତି । ଯାହା ଦଳ ପାଇଁ ଆହୁରି ଏକ ଦୁଃଖଦ ବିଷୟ । ଗେଲ୍ଙ୍କ ପରି ୱେଷ୍ଟ୍ଇଣ୍ଡିଜ୍ର ଆଉ ଜଣେ ବିସ୍ଫୋରକ ବ୍ୟାଟର୍ ନିକୋଲାସ ପୂରନଙ୍କ ବ୍ୟାଟ୍ ମଧ୍ୟ ଶାନ୍ତ ରହିଛି । ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଏମ୍ ଶାହରୁଖ ଖାନ ଓ ଦୀପକ ହୁଦା ପାଇଥିବା ସୁଯୋଗକୁ ମଧ୍ୟ ସଦ୍ଉପଯୋଗ କରିପାରିନାହାନ୍ତି। ପଞ୍ଜାବର କଚଟି ସ୍ପିନର ରବି ବିଷ୍ଣୋଇ ବିପକ୍ଷ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇବାର ସିଦ୍ଧହସ୍ତ । ଅଭିଜ୍ଞ ମହମ୍ମଦ ସାମି ଓ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ୱିକେଟ୍ ନେଉଛନ୍ତି ହେଲେ ଗତ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଶେଷ ଓଭରଗୁଡ଼ିକରେ ଅଧିକ ରନ୍ ବ୍ୟୟ କରିଥିଲେ । ଯାହା ପଞ୍ଜାବ ପାଇଁ ଆଉ ଏକ ଚିନ୍ତା ପାଲଟିଛି ।
ଅନ୍ୟପକ୍ଷରେ କେକେଆର୍ ପାଇଁ ଆଇପିଏଲ୍ର ନୂଆ ତାରକା ଭେଙ୍କଟେଶ ଆୟରଙ୍କ ଭୟଶୁନ୍ୟ ଷ୍ଟ୍ରୋକ୍ ଦଳକୁ ଆଗରେ ରଖିଛି । ତେବେ ଦ୍ରୁତ ବୋଲରଙ୍କ ବିପକ୍ଷରେ ଭଲ ଖେଳୁଥିବା ଆୟର କିନ୍ତୁ ସ୍ପିନ୍ ବିପକ୍ଷରେ ଖେଳିବାରେ ଅସୁବିଧାରେ ପଡ଼ୁଛନ୍ତି । ଏହାକୁ ନଜରରେ ରଖି ସ୍ପିନ୍ ବୋଲରଙ୍କ ବିପକ୍ଷରେ ଚମତ୍କାର ଖେଳୁଥିବା ନୀତୀଶ ରାଣାଙ୍କୁ ଆଗରେ ପଠାଇବାର ଯୋଜନା କରିଛି । ସ୍ପିନ୍ ବିପକ୍ଷରେ ଭଲ ଖେଳିବାରେ ନୀତୀଶ ମଧ୍ୟ ଅଧିନାୟକ ଇଅନ ମୋର୍ଗାନଙ୍କଠୁ ଆଗରେ ରହିଛନ୍ତି । ବୋଲିଂରେ ଦୁଇ ସ୍ପିନର ସୁନିଲ ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀ ଭଲ କରୁଛନ୍ତି । ନାରାୟଣ ମଧ୍ୟ ଉଭୟ ବ୍ୟାଟ୍ ଓ ବଲ୍ରେ ନିଜର ଚମକ ଦେଖାଉଛନ୍ତି । ଗତ ମ୍ୟାଚ୍ରେ ଦିଲ୍ଲୀ ବିପକ୍ଷରେ ବିଜୟ ପାଇଥିବା କେକେଆର୍ର ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଏହି ମ୍ୟାଚ୍ ବିଜୟ ହିଁ ଦଳର ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ରଖିଥିଲା ।
ସମ୍ଭାବ୍ୟ କୋଲ୍କାତା ନାଇଟ୍ ରାଇଡର୍ସ ଏକାଦଶ: ଶୁବମନ ଗିଲ, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ଇଅନ ମୋର୍ଗାନ (ଅଧିନାୟକ), ନୀତୀଶ ରାଣା, ଦିନେଶ କାର୍ତ୍ତିକ, ସୁନିଲ ନାରାୟଣ, ଲୋକି ଫର୍ଗୁସନ, ଟିମ ସାଉଦି/ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ ।
ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ୍, ଏଦେନ ମର୍କରାମ, ନିକୋଲାସ ପୂରନ, ଦୀପକ ହୁଦା, ହରପ୍ରୀତ ବ୍ରାର, ନାଥନ ଏଲିସ, ମହମ୍ମଦ ସାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ।