କ୍ୟାପଟେନ ମୋର୍ଗାନଙ୍କ ହାତ ଛାଡିଲା କୋଲକାତା, ଜାଣନ୍ତୁ ବିସ୍ଫୋରକ ଅଲରାଉଣ୍ଡର ରସେଲଙ୍କୁ ଟିମରେ ରଖିବାକୁ କେତେ ଟଙ୍କା ଖର୍ଚ୍ଚ କଲା କେକେଆର ।

392

କନକ ବ୍ୟୁରୋ : ୨୦୨୧ ଆଇପିଏଲରେ ସବୁ ଦଳକୁ ଚକମା ଦେଇ ଫାଇନାଲ ଖେଳିଥିବା କୋଲକାତା ନାଇଟ ରାଇଡର୍ସ ୨୦୨୨ ଆଇପିଏଲ ପାଇଁ ସମରସଜ୍ଜା ଆରମ୍ଭ କରିଛି । ଆଉ ଏଥିପାଇଁ ମହାନିଲାମୀ ପୂର୍ବରୁ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିଛି ଦଳ । ଦୁଇ ଭାରତୀୟ ଓ ଦୁଇ ବିଦେଶୀ ଖେଳାଳୀଙ୍କୁ ରିଟେନ କରିଛି ଦଳ । ଆଉ ସବୁଠୁ ବଡ କଥା ହେଲା କୋଲକାତା ରିଟେନ କରିଥିବା ୪ ଜଣ ଖେଳାଳୀ ହେଉଛନ୍ତି ଟି-୨୦ ସ୍ପେଶାଲିଷ୍ଟ । ଭାରତୀୟ ଖେଳାଳୀ ଭାବେ ଭେଙ୍କଟେଶ ଆୟର ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳ ୮ କୋଟି ଲେଖାଏଁ ଟଙ୍କାରେ ରିଟେନ କରିଛି । ସେହିଭଳି ପ୍ରଥମ ପସନ୍ଦର ଖେଳାଳୀ ଭାବେ ବିସ୍ଫୋରକ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ଦଳ ୧୨ କୋଟି ଟଙ୍କାରେ ରିଟେନ ରଖିଛି । ସେହିଭଳି ଟି-୨୦ରେ ଯାଦୁଗରୀ ସ୍ପିନର ସୁନୀଲ ନାରାୟଣଙ୍କୁ ୬ କୋଟି ଟଙ୍କାରେ ରିଟେନ ରଖିଛି ଦଳ ।

ଅନ୍ୟପଟେ କୋଲକାତା ଅଧିନାୟକ ଇଆନ ମୋର୍ଗାନଙ୍କ ହାତ ଛାଡିଛି । ସେହିଭଳି ଶୁଭମାନ ଗିଲ,ପାଟ କମିନ୍ସ, ନୀତିଶ ରାଣା, ଦିନେଶ କାର୍ତ୍ତିକ, ସକିବ ଅଲ ହାସନ, ଟିମ୍ ସାଉଦି, ଲକି ଫର୍ଗ୍ୟୁସନଙ୍କ ଭଳି ଷ୍ଟାର ଖେଳାଳୀଙ୍କୁ ରିଲିଜ କରିଛି । ତେଣୁ ଆସନ୍ତା ଆଇପିଏଲରେ କାହା ହାତରେ ନେତୃତ୍ୱ ଭାର ଦେବ ତାହା ଉପରେ ସମସ୍ତଙ୍କର ନଜର ରହିବ । ଯେହେତୁ ଦଳ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିବାକୁ ମାତ୍ର ୩୪ କୋଟି ଟଙ୍କା ଖର୍ଚ୍ଚ କରିଛି ତେଣୁ ଦଳ ହାତରେ ଏବେ ମଧ୍ୟ ଆହୁରି ୫୬ କୋଟି ଟଙ୍କା ରହିଛି । ଏଭଳି ସ୍ଥଳେ କୋଲକାତା କେଉଁ ଖେଳାଳୀଙ୍କୁ ଆସନ୍ତା ଆଇପିଏଲ ମହାସମରକୁ ଓହ୍ଲଉଛି ତାହା ଦେଖିବା ବାକି ରହିଲା ।