ଅଧିନାୟକ ମୋର୍ଗାନଙ୍କ ହାତ ଛାଡିପାରେ କେକେଆର! ଜାଣନ୍ତୁ କାହାକୁ ରିଟେନ କରିବାର ରହିଛି ଅଧିକ ସମ୍ଭାବନା?

152

କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ଖୁବଶୀଘ୍ର ମହାନିଲାମୀ ହେବ । ତେବେ ଏହାପୂର୍ବରୁ ଆଜି ରିଟେନ ପ୍ରକ୍ରିୟା ଶେଷ ହେବ । ଆଜି ରିଟେନ ଖେଳାଳୀଙ୍କ ତାଲିକା ପ୍ରକାଶ ପାଇବ । ବିସିସିଆଇକୁ ପ୍ରତି ଫ୍ରାଞ୍ଚାଇଜ ରିଟେନ ଖେଳାଳୀଙ୍କ ତାଲିକା ପ୍ରଦାନ କରିବେ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଲକାତାର ଅଧିନାୟକ ଥିବା ଇଅନ ମୋର୍ଗାନଙ୍କୁ ରିଲିଜ କରିପାରେ ଦଳ ।

ମହାନିଲାମୀ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ୪ ଜଣ ଖେଳାଳୀଙ୍କୁ ରିଟେନ କରିବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । ଯେଉଁ ତାଲିକାରେ ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟର ରହିଥିବା ଚର୍ଚ୍ଚା ହେଉଛି । ଅଥାର୍ତ କୋଲକାତା ରିଟେନ ପ୍ରକ୍ରିୟାରେ ୪୨ କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା କୁହାଯାଉଛି । ଏଭଳିସ୍ଥଳେ ଦଳ ଇଆନ ମୋର୍ଗାନ, ଦିନେଶ କାର୍ତ୍ତିକ, ଶୁଭମାନ ଗିଲଙ୍କ ଭଳି ଖେଳାଳୀଙ୍କୁ ରିଲିଜ କରିପାରେ ଦଳ । ତେଣୁ ମୋର୍ଗାନଙ୍କୁ ରିଲିଜ କରିବା ପରେ ଅଧିନାୟକ ଖୋଜିବା ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜିଂ ହୋଇପାରେ ।

ଇଆନ ମୋର୍ଗାନଙ୍କ ପ୍ରଦର୍ଶନ ଚଳିତ ଆଇପିଏଲ-୨୦୨୧ରେ ଏତେଟା ଖାସ ନଥିଲା । ଏପରିକି ପ୍ରଥମ ପର୍ଯ୍ୟାୟରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଥିଲା । ମୋର୍ଗାନଙ୍କ ବ୍ୟତୀତ ଅନ୍ୟ ଖେଳାଳୀଙ୍କ ପ୍ରଦର୍ଶନ ଆଧାରରେ ଦଳ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ମୋର୍ଗାନ ୧୭ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ମାତ୍ର ୧୩୩ ରନ କରିବାକୁ ସକ୍ଷମ ହୋଇଥିଲେ । ତେଣୁ ମୋର୍ଗାନଙ୍କୁ କେବଳ ଅଧିନାୟକ ପଦ ଦେଇ ଦଳରେ ରଖିବାକୁ ଚାହିଁନପାରେ କେକେଆର ।