ବଡ ହୃଦୟ ଦେଖାଇଲେ ବିଦେଶୀ କ୍ରିକେଟର । ଅକ୍ସିଜେନ ପାଇଁ ଭାରତକୁ ଦାନ କଲେ ୩୮ ଲକ୍ଷ ଟଙ୍କା ।

377

କନକ ବ୍ୟୁରୋ: ଯେତେବେଳେ କରୋନାର ଭୟବହତା ସାରା ଦେଶକୁ ଗ୍ରାସିଛି । ଚାରିଆଡେ ଖାଲି ଚିତ୍କାର ଶୁଭୁଛି । କେଉଁଠି ଅକ୍ସିଜେନର ଅଭାବ, ତ କେଉଁଠି ହସ୍ପିଟାଲ ବେଡ ପାଇଁ ହାହାକାର । କିଏ ନିଜ ବାପାକୁ ହରାଇଲାଣି ତ କିଏ ମାଆକୁ ଆଉ କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଲାଣି । ଅକ୍ସିଜେନ ଅଭାବକୁ କରୋନା କରାଳ ରୂପ ସାରା ଦେଶକୁ ଏକ ପ୍ରକାର ଶ୍ମଶାନ ସଜେଇ ଦେବାକୁ ବସିଥିବାବେଳେ ଭାରତକୁ ସାହାଯ୍ୟର କରିବାକୁ ଆଗେଇ ଆସିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ପ୍ୟାଟ କୁମିନ୍ସ । ଅକ୍ସିଜେନ ପାଇଁ ପିଏମ କେୟାର ଫଣ୍ଡକୁ କମିନ୍ସ ଦାନ କରିଛନ୍ତି ୫୦ ହଜାର ୟୁଏସ ଡଲାର, ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୩୮ ଲକ୍ଷ ଟଙ୍କା ।

ପ୍ୟାଟ କମିନ୍ସ ଏବେ ଭାରତରେ ଆଇପିଏଲ ଖେଳୁଛନ୍ତି । କମିନ୍ସ କୋଲକାତା ନାଇଟ ରାଇଡର୍ସ ଦଳରେ ସାମିଲ ହୋଇଛନ୍ତି । ଆଉ ଏହି ସମୟରେ ସେ ଭାରତର ଏହି ବିପଦ ବେଳର କଷ୍ଟକୁ ହୃଦୟଙ୍ଗମ କରିଛନ୍ତି । ସେଥିପାଇଁ ତ ଅନେକ ଖେଳାଳି କରୋନା ଯୋଗୁଁ ଆଇପିଏଲ ଛାଡୁଥିବା ବେଳେ ପ୍ୟାଟ କମିନ୍ସ କିନ୍ତୁ ସହଯୋଗର ହାତ ବଢାଇଛନ୍ତି ।

ପ୍ୟାଟ କମିନ୍ସ ଟ୍ୱିଟ କରି ଏହି ଘୋଷଣା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ଭାରତ ଏଭଳି ଏକ ଦେଶ ଯେଉଁଠି ଗତ କିଛି ବର୍ଷ ହେବ ମତେ ବହୁତ ଭଲ ପାଇବା ମିଳିଛି । ମୁଁ ଜାଣିଛି ଭାରତରେ କିଛି ଦିନ ହେବ କରୋନା ଭୟଙ୍କର ରୂପ ନେଇଛି । ଆଉ ଏଥିପାଇଁ ହସ୍ପିଟାଲରେ ବେଡ ଓ ଅକ୍ସିଜେନର ଅଭାବ ମଧ୍ୟ ଦେଖିବାକୁ ମିଳିଛି । ତେଣୁ ମୁଁ ପିଏମ କେୟାର ଫଣ୍ଡକୁ ୩୮ ଲକ୍ଷ ଟଙ୍କା ସହାୟତା କରିବାକୁ ଚାହୁଁଛି । ଏହାସହ ମୋ ସାଥୀ ଖେଳାଳିଙ୍କୁ ବି ଅନୁରୋଧ କରୁଛି ସେମାନେ ବି ଆଗକୁ ଆସନ୍ତୁ ।

କରୋନାର ଦ୍ୱିତୀୟ ଲହର ଭିତରେ ଭାରତରେ ଚାଲିଛି ଆଇପିଏଲ । ହେଲେ ସୁରକ୍ଷିତ ପରିବେଶ ଆଉ ସତର୍କତା ଭିତରେ ଖେଳାଯାଉଛି ଆଇପିଏଲ । କିନ୍ତୁ ଏତେ ସୁରକ୍ଷା ପରେ ବି ଆଇପିଏଲକୁ ଡରାଉଛି କରୋନା ଭୟ । ତେଣୁ ଗୋଟିଏ ପରେ ଗୋଟିଏ ଖେଳାଳୀ ଆଇପିଏଲ ଛାଡି ଦେଉଛନ୍ତି । ରବିଚନ୍ଦ୍ରନ ଅଶ୍ୱିନୀ, ଆଡାମ ଜାମ୍ପା, କେନ ଚିଚାର୍ଡସନ ଓ ଆଣ୍ଡ୍ରୁ ଟାଇ କରୋନା ଯୋଗୁଁ ଆଇପିଏଲରୁ ଓହରି ସାରିଛନ୍ତି ।

ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ଦିନକୁ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଏତେ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ହସ୍ପିଟାଲରେ ବେଡର ଅଭାବ ଦେଖିବାକୁ ମିଳୁଛି । ହେଲେ ଏହାରି ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ ।