କନକ ବ୍ୟୁରୋ : ପାକିସ୍ତାନରେ ହାଇଭୋଲଟେଜ ଡ୍ରାମା । ମ୍ୟାଚ୍ ଆରମ୍ଭ ହେବାକୁ ଆଉ କିଛି ମିନିଟ୍ ଥାଏ । ଷ୍ଟାଡିୟମ ପୂରା ପ୍ରସ୍ତୁତ ଥାଏ । ଟିଭିକୁ ଚାହିଁ ବସିଥାନ୍ତି ଦର୍ଶକ । କାରଣ ପାକିସ୍ତାନ-ନ୍ୟୁଜିଲାଣ୍ଡ ଭିତରେ ହେବାକୁ ଯାଉଥିଲା ମ୍ୟାଚ୍ । ଆଉ ତାହା ବି ପୁଣି ପାକିସ୍ତାନରେ । କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ପୂରା ସିରିଜକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ସୁରକ୍ଷା କାରଣରୁ ପାକିସ୍ତାନରେ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲା କିୱି ଟିମ୍ । ଆଉ କିୱି ଟିମର ଏଭଳି ନିଷ୍ପତ୍ତି ଫଳରେ ୩ ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବାତିଲ ହୋଇଛି । ଆଉ ଏହାସହ କିୱି ଟିମ୍ ଆଜି ନ୍ୟୁଜିଲାଣ୍ଡ ଫେରିଯିବାକୁ ନିଷ୍ପତ୍ତି ନେଇଛି ।
ଉଭୟ ଟିମ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉ ସେଥିପାଇଁ ପାକିସ୍ତାନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଥିଲା । କାରଣ ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ମାଟିକୁ ମ୍ୟାଚ୍ ଖେଳିବାକୁ ଆସିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଯେତେବେଳେ ମ୍ୟାଚ୍ ନ ଖେଳିବାକୁ ନ୍ୟୁଜିଲାଣ୍ଡ ଟିମ୍ ନିଷ୍ପତ୍ତି ନେଇଥିଲା ସେତେବେଳେ ପୁଣିଥରେ ମ୍ୟାଚ୍ ପାଇଁ ମନାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଆଗକୁ ଆସିଥିଲେ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି କଥା ହେବା ପରେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଫଳରେ ଶେଷ ମୁହୂର୍ତ୍ତରେ ପୂରା ସିରିଜକୁ ରଦ୍ଦ କରିଥିଲା ନ୍ୟୁଜିଲାଣ୍ଡ ।
Earlier today, the New Zealand cricket board informed us that they had been alerted to some security alert and have unilaterally decided to postpone the series.
PCB and Govt of Pakistan made fool proof security arrangements for all visiting teams. 1/4
— Pakistan Cricket (@TheRealPCB) September 17, 2021
ନ୍ୟୁଜିଲାଣ୍ଡ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିରିଜ ରଦ୍ଦ କରିଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାସହ ପିସିିବି କହିଛି, ପାକିସ୍ତାନ ଓ ପିସିବି ପକ୍ଷରୁ ନ୍ୟୁଜିଲାଣ୍ଡ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏପରିକି କିୱି ଟିମର ସୁରକ୍ଷା ଅଧିକାରୀ ମଧ୍ୟ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସିରିଜ ସ୍ଥଗିତ ହେବା ଦ୍ୱାରା କ୍ରିକେଟପ୍ରେମୀ ନିଶ୍ଚୟ ନିରାଶ ହେବେ ।
ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ଅଧିକାରୀଙ୍କ କହିବା ଅନୁଯାୟୀ, ଆମକୁ ଯେଉଁ ପରାମର୍ଶ ମିଳୁଥିଲା ତାହାକୁ ଦୃଷ୍ଟିରେ ରଖି ଏହି ସିରିଜ ଖେଳିବା ସମ୍ଭବ ନଥିଲା । ପିସିବି ପାଇଁ ଏହା ବହୁତ ବଡ ଝଟକା, କିନ୍ତୁ ଖେଳାଳୀଙ୍କ ସୁରକ୍ଷା ଆମ ପାଇଁ ସର୍ବୋପରି । ତେଣୁ ସିରିଜ ରଦ୍ଦ କରିବା ଆମ ପାଇଁ ଏକମାତ୍ର ବିକଳ୍ପ । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୦୩ରେ ପାକିସ୍ତାନ ଗସ୍ତରେ ଆସି ମ୍ୟାଚ୍ ଖେଳିଥିଲା । ଆଉ ଏହାପରେ ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତରେ ଆସି ସିରିଜ ଖେଳିନାହିଁ ।
୨୦୦୯ରେ ପାକିସ୍ତାନରେ ଶ୍ରୀଲଙ୍କା ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କୌଣସି ଟିମ୍ ପାକିସ୍ତାନରେ ଖେଳିବାକୁ ଚାହୁଁନାହନ୍ତି । ଆଉ ଏହା ପଛର ସବୁଠୁ ବଡ କାରଣ ହେଉଛି ସୁରକ୍ଷା । ସେତେବେଳେ ହୋଇଥିବା ଆକ୍ରମଣରେ ଶ୍ରୀଲଙ୍କାର କିଛି ଖେଳାଳୀ ଆହତ ହୋଇଥିବା ବେଳେ ପାକିସ୍ତାନ ପୋଲିସର ୬ ଜଣ ଯବାନଙ୍କ ସମେତ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିପାଇଁ ସିରିଜ ଅଧାରୁ ପାକିସ୍ତାନରୁ ଫେରି ଆସିଥିଲା ଶ୍ରୀଲଙ୍କା ଟିମ୍ ।