କନକ ବ୍ୟୁରୋ : କଟକରେ ଗୁଡି ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ଆକ୍ସନମୋଡରେ ପୋଲିସ । ଗୁଡି ସୂତା ପାଇଁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଜଗତପୁର ଅଞ୍ଚଳର ଗୁଡି ବ୍ୟବସାୟୀ ସେକ ଅନୱରଙ୍କୁ ଗିରଫ କରିଛି ପୋଲିସ । ଯୁବକଙ୍କ ମୃତ୍ୟୁ ପରେ ଆଜି ଗୁଡି ଦୋକାନରେ ଚଢାଉ କରିଥିଲା ପୋଲିସ । ଆଉ ଚଢାଉ ସମୟରେ ଗୁଡି, ନଟେଇ ଓ ସୂତା ଜବତ କରିଥିଲା ଜଗତପୁର ପୋଲିସ ।
ଗୁଡି ସୂତାରେ ଯୁବକଙ୍କ ମୃତ୍ୟୁ ପରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ପୋଲିସ । ଯେଉଁମାନେ ଏହିଭଳି ଗୁଡି ସୂତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗୁଡି, ନଟେଇ, ମାଞ୍ଜା ସୂତା ଜବତ କରି ଏସବୁ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖାଯାଇଥିବା କହିଛନ୍ତି କଟକ ଡିସିପି ।
ଗତକାଲି ଗୁଡି ମଞ୍ଜା ସୁତାରେ କଟି ବାଇକରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । କଟକ ଜଗତପୁର ଅଂଚଳରେ ଏଭଳି ଅଘଟଣ ଘଟିଥିବାବେଳେ ମୃତ ଯୁବକ କଟକ ଭୟରପୁର ଅଂଚଳର ଜୟନ୍ତ ସାମଲ ବୋଲି ଜଣାପଡିଥିଲା । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକରେ ତାଙ୍କ ସ୍ତ୍ରୀଙ୍କ ସହ ଶଶୁର ଘର ଯାଉଥିଲେ । ଜଗତପୁର ପୀରବଜାର ଅଂଚଳରେ ଯାଉଥିବା ବେଳେ ଗୁଡି ଉଡାଇବା ବ୍ୟବହାର ହେଉଥିବା ମଞ୍ଜା ସୁତା ତାଙ୍କ ବେକରେ ଗୁଡେଇ ହୋଇଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ଜୟନ୍ତଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କଟକ ପରେ ପୁରୀରେ ମଧ୍ୟ ସମାନ ଧରଣର ଅଘଟଣ ଘଟିଛି । ଔଷଧ କିଣିବାକୁ ଆସିଥିବା ବେଳେ ଗୁଡି ସୁତା ଲାଗି କଟିଗଲା ବେକ । ସଙ୍କଟାପନ୍ନ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅସୁସ୍ଥ ପୁଅ ପାଇଁ ବଡଦାଣ୍ଡକୁ ଔଷଧ କିଣିବାକୁ ଆସିଥିବା ବେଳେ ଘଟିଲା ଅଘଟଣ । କୁଣ୍ଢାଇବେଣ୍ଟ ସାହିର ଭଂଜବିହାରୀ ପାତ୍ରଙ୍କ କଟିଗଲା ବେକ । ଡାକ୍ତରଖାନା ଛକ ସ୍ଥିତ ମାଳିଯାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତି କରାଯାଇଛି । ତେବେ ଏହି ଘଟଣା ପରେ ପୁରୀରେ ମାଞ୍ଜା ସୂତା ବିକ୍ରି ବ୍ୟାନ୍ କରାଯାଇଛି ।