ରାତି ପାହିଲେ ମକର ସଂକ୍ରାନ୍ତି । କଟକରେ ଜମିଛି ଗୁଡି ବ୍ୟବସାୟ । ଆକର୍ଷଣର କେନ୍ଦ୍ର ସାଜିଛି ବିଭିନ୍ନ ଡିଜାଇନର ଗୁଡି । ସେପଟେ ମାଞ୍ଜା ସୂତା ବିକ୍ରୀ ଉପରେ ପୁଲିସର କଟକଣା

246

କନକ ବ୍ୟୁରୋ: ରାତି ପାହିଲେ ମକର ସଂଙ୍କ୍ରାନ୍ତି । ଏଥିପାଇଁ କଟକରେ ଜମିଛି ଗୁଡି ବ୍ୟବସାୟ । ମାର୍କେର୍ଟରେ ଦେଖିବାକୁ ମିଳୁଛି ବିଭିନ୍ନ ଭେରାଇଟିର ଜରି ଏବଂ ପ୍ରିଣ୍ଟେଡ ଡିଜାଇନର ଗୁଡି । ବିଭିନ୍ନ କ୍ୟାପସନ ଲେଖାଥିବା ଗୁଡି ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ଭଲ ଚାହିଦା ଥିବା କୁହନ୍ତି ବ୍ୟବସାୟୀ । ଅନ୍ୟପଟେ ବେଆଇନ ମାଞ୍ଜା ସୂତା ବିକ୍ରି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ।

କଟକରେ ଗୁଡି ଉଡା ପରମ୍ପରା ବେଶ ପୁରୁଣା । କଟକ ସହର ଏବଂ ଗୁଡିଉଡାକୁ ନେଇ ରହିଛି ଅନେକ ଇତିହାସ । ମକର ସଂଙ୍କ୍ରାନ୍ତି ଆସିଲେ ମନେପଡେ ଗୁଡିଉଡା । ବୁଧବାର ମକର ସଂଙ୍କ୍ରାନ୍ତି ହୋଇଥିବାରୁ କଟକର ଚୌଧୁରୀ ବଜାରରେ ବିକ୍ରି ହେଉଛି ଭଳି କି ଭଳି ଗୁଡି । ବିଭିନ୍ନ ଡିଜାଇନର ଗୁଡିରେ ଲେଖା ହୋଇଛି ନୂଆ ନୂଆ କ୍ୟାପସନ । ଡ୍ରାଗନ ଠାରୁ ଆରମ୍ଭ କରି ଆପନା ଟାଇମ୍ ଆୟେଗା, ସବ୍ ଗୋଲମାଲ ହେ, ପବଜୀ, ୟୁନିକର୍ଣ୍ଣ ମ୍ୟାଜିକ, ଜଙ୍ଗଲ ବୁକ୍, ହାପି ବାର୍ଥ ଡେ ଟୁ ୟୁ ଲେଖା ଥିବା ଗୁଡିର ଅଧିକ ଚାହିଦା ରହିଛି । ଏହାସହ ବିଗ୍ ବି ଅଭିତାଭ ବଚ୍ଚନଙ୍କ ଚର୍ଚ୍ଚିତ ଟିଭି ସୋ କୈନ୍ ବନେଗା କରୋଡପତି ଏବଂ ସଲମନ୍ ଖାନଙ୍କ “ଭାରତ” ଫିଲ୍ମର ପୋଷ୍ଟର ଥିବା ଗୁଡି ବି ବଜାରରେ ମିଳିଛି । ଗୁଡି ଗୁଡିକର ଦର ୫ ଟଙ୍କାରୁ ୧୦ ଟଙ୍କା ରହିଛି । ଗୁଡି ଦିଲ୍ଲୀ ଏବଂ କୋଲକାତାରୁ ଆଣି କଟକରେ ବିକ୍ରୀ କରୁଛନ୍ତି ବ୍ୟବସାୟୀ ।

କଟକରେ ଗୁଡି ଉଡାର ଅନେକ ତିକ୍ତ ଇତିହାସ ରହିଛି । ଗୁଡି ଉଡାଇବା ସମୟରେ ମାଞ୍ଜା ସୂତାରେ କଟି ଲୋକଙ୍କ ଜୀବନ ମଧ୍ୟ ଯାଇଛି । ତେଣୁ ହାଇକୋର୍ଟ ମାଞ୍ଜା ସୂତା ବିକ୍ରୀ ଏବଂ ଗୁଡି ଉଡାଇବା ଉପରେ କଟକଣା ଜାରି କରିଛନ୍ତି । ମାଞ୍ଜା ସୂତା ବିକ୍ରୀ କିମ୍ବା ଗଚ୍ଛିତ ଥିବା ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ । ଖବର ମିଳିବା ମାତ୍ରେ ଚଢାଉ କରିବା ପାଇଁ ସବୁ ଥାନାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି କଟକ ଡିସିପି । ଏହାସହ ରାସ୍ତାରେ ଗୁଡି ନଉଡାଇ ଛାତ କିମ୍ବା ଖୋଲା ସ୍ଥାନରେ ଗୁଡି ଉଡାଇବାକୁ ପରାମର୍ଶ ଦେଇଛି ଡିସିପି ଅଖିଳେଶ୍ୱର ସିଂ । ତେବେ କଟକରେ ଗୁଡିଉଡା ଏକ ପରମ୍ପରା ନୁହେଁ ପର୍ବରେ ପରିଣତ ହୋଇଯାଇଛି । ତେଣୁ ଗୁଡି ଉଡାଇ ଆନନ୍ଦ ଉଲ୍ଲାସରେ ପାଳିବାକୁ ସଜବାଜ ହୋଇଛନ୍ତି କଟକବାସୀ ।