ରାଜନୀତିରେ ‘ରୋଷେଇ’ ତାତି: ଯିଏ ଶିଖିଛି ସେ ସିପିଙ୍କ ସପକ୍ଷରେ ଯାଉଛି, ଯିଏ ଶିଖିନି ସିଏ ରାଜନୀତି ଛୁଙ୍କ ମାରୁଛି । ପ୍ରଶ୍ନ ଉଠୁଛି କିଏ କରିବ ରୋଷେଇ…?

255

କନକ ବ୍ୟୁରୋ: ଯେଉଁ ପୁରୁଷଙ୍କୁ ରୋଷେଇ ଜଣାନାହିଁ, ତାଙ୍କୁ ବିବାହ କରିବାକୁ ଯୁବତୀମାନେ ସିଧା ମନା କରିଦେବା ଉଚିତ । ପୋଲିସ କମିଶନରଙ୍କ ଏଭଳି ମନ୍ତବ୍ୟ ପରେ ତାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା । ଯେଉଁଠି ଦେଖିବ ସେହି ପ୍ରସଙ୍ଗ ଉଠାଇ ସମସ୍ତେ ଚର୍ଚ୍ଚା ଆଲୋଚନା କରୁଛନ୍ତି । ତେବେ ସିପିଙ୍କ ମନ୍ତବ୍ୟକୁ ନେଇ ପଛରେ ପଡି ନାହାନ୍ତି ନେତା ରାଜନେତା । ରୋଷେଇ ସପକ୍ଷରେ ଓ ବିପକ୍ଷରେ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଅଧିକ ଫର୍ଚ୍ଚା କରିଛନ୍ତି ।

ତେବେ ଅନେକ ନେତା କହିଛନ୍ତି, ସମାଜରେ ପୁରୁଷ-ମହିଳା ସମାନ , ତେଣୁ ଉଭୟ ରୋଷେଇ ଶିଖିବା ଉଚିତ । ଆଉ କିଛି କହିଛନ୍ତି, ରୋଷେଇ ଶିଖିବା ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରେ, ଏହା କାହାପାଇଁ ବାଧ୍ୟତାମୂଳକ ହେବା ଉଚିତ ନୁହେଁ ।

ଆସିକା ସାଂସଦ ପରୀ ମାଆ ପୁରୁଷଙ୍କ ରୋଷେଇ ସପକ୍ଷରେ ମତ ରଖିଛନ୍ତି । ପ୍ରମିଳା କହିଛନ୍ତି କି ସବୁଦିନ ମାଆ ମାନେ ରାନ୍ଧୁଛନ୍ତି ଦିନେ ଅଧେ ପୁଅମାନେ ରୋଷେଇ କରି ଖାଇବାକୁ ଦିଅନ୍ତୁ ଆଉ ସମସ୍ତଙ୍କୁ ସହଯୋଗ କରନ୍ତୁ । ସେପଟେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ କାହାକୁ ରୋଷେଇ ପାଇଁ ବାଧ୍ୟ କରାଯାଇ ପାରେନା ବୋଲି କହିଛନ୍ତି । ରୋଷେଇ କରିବା ପସନ୍ଦର ଜିନିଷ, ନିଜ ଉପରେ ନିର୍ଭର କରେ । ରୋଷେଇ ଜାଣିଥିଲେ ହେଁ ଜଣେ ଝିଅ ସେ ପୁଅକୁ ବାହା ହେବ, ଏ କଥାକୁ ସହଯେ ଗ୍ରହଣ କରିପାରି ନାହାନ୍ତି ଚନ୍ଦ୍ରାଣୀ । ପୁରୁଷ-ମହିଳା ସାଙ୍ଗରେ ଚାଲନ୍ତୁ, କେହି କାହା ପଛରେ କି ଆଗରେ ଚାଲନ୍ତୁ ନାହିଁ କହି ସିପିଙ୍କ ରୋଷେଇ ଫର୍ମୁଲାର ଉତ୍ତର ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ତେବେ ରୋଷେଇ ଫର୍ମୁଲା ନେଇ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ମୁଁ ତ ରୋଷେଇ ଶିଖିନି କିନ୍ତୁ ମୋତେ ଝିଅ ମିଳିଗଲା… ମୋତେ କେବଳ ଚିକେନ ମସଲା ଆସେ ବୋଲି ସମ୍ବିତ କହିଛନ୍ତି ।
ମନ୍ତ୍ରୀ ନବ ଦାସଙ୍କୁ ବି ଆସେ ରୋଷେଇ । ଅଣ୍ଡା ଆମଲେଟ ସହ ଭାତ, ଡାଲମା କରିଆସେ ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ । ସେପଟେ ରୋଷେଇ ଶିଖିବା ନେି ସିଧାସିଧା ମନା କରିଦେଇଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ମତେ ରୋଷେଇ ଆସେନି କି ମତେ ମୋ ବାପାମାଆ ଶିଖାଇ ନାହାନ୍ତି । ଖାଲି ବଣଭୋଜି ହେଲେ ଟିକେ କୁକୁଡା ମାଉଁସ କଷେଇ ଦିଏ । ତାହା ବି ପୁଣି ସିଝା, ଅଧାସିଝା । କେଉଁଦିନ ଲୁଣିଆ ବି ହୋଇଥିବ । ସେଇୟାକୁ ଆମେ ଖାଇ ଦେଉ ବୋଲି ସୁର କହିଛନ୍ତି ।

ଗୋଟିଏ ପଟେ ରୋଷେଇକୁ ନେଇ ରାଜନେତାମାନେ ଭିନ୍ନ ଭିନ୍ନ କଥା କହୁଥିବା ବେଳେ ସୋସିଆଲ ମିଡିଆ ଅନେକ ଯୁବକ ରୋଷେଇକୁ ନେଇ ନିଜ ମତ ରଖିଛନ୍ତି । ତେବେ ସିପିଙ୍କ ଉଦ୍ଦେଶ୍ୟନେ କିଏ କିଏ ଲେଖିଛନ୍ତି କି, ଆମକୁ ରୋଷେଇ ଆସେନି, ଝିଅ ମିଳିବ ତ ? ନାରୀଙ୍କୁ ସ୍ୱାବଲମ୍ବୀ କରିବାକୁ ପୋଲିସ କମିଶନରଙ୍କ ଏଭଳି ମନ୍ତବ୍ୟକୁ କେହି କେହି କଟାକ୍ଷ କରୁଥିବା ବେଳେ ଅନେକ ଲୋକ ମଧ୍ୟ ମନ୍ତବ୍ୟ ସପକ୍ଷରେ ସ୍ୱର ଉଠାଇଛନ୍ତି । ସିପିଙ୍କ କଥାକୁ ପ୍ରଶଂସା କରିଛନ୍ତି । ସେ ଯାହା ବି ହେଉନା କାହିଁକି ବର୍ତ୍ତମାନ ସବୁ ଗଣମାଧ୍ୟମ ଓ ସବୁ ଖଟି ସ୍ଥାନରେ ସିପିଙ୍କ ରୋଷେଇ ଉବାଚକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି ।