କନକ ବ୍ୟୁରୋ : ଛାତ ଉପରେ ଚାଷ । ବିଭିନ୍ନ ପ୍ରକାର ପନିପରିବା ସହ ମାଛ ଚାଷ କରିଛନ୍ତି ସେମିଳିଗୁଡ଼ାର ନନ୍ଦ କିଶୋର ସାହୁ । ଟମାଟୋ, ବାଇଗଣ, ଭେଣ୍ଡି, ଲାଉ, କାକୁଡି, ଶାଗ, ଷ୍ଟ୍ରବେରୀ ସହ ଗୋଟେ ପୋଖରୀ କରି ସେଥିରେ ମାଗୁର, ରୋହି ଓ ଭାକୁର ମାଛ ଚାଷ କରିଛନ୍ତି । ରସୁଣ ଓ ପିଆଜ ବି ଲଗାଇଛନ୍ତି । ଜଣେ ସଫଳ କିଚେନ ଗାର୍ଡେନର ଭାବେ ପରିଚୟ ତିଆରି କରିଛନ୍ତି । ଏଥିରେ ପତ୍ନୀ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Advertisment

ସେମିଳିଗୁଡ଼ା ସହରର ଶାସ୍ତ୍ରୀ ନଗର ଅଂଚଳର ବାସିନ୍ଦା ନନ୍ଦ କିଶୋର । ପ୍ରଥମେ କୁଲି ବୃତି, ପରେ ରୋଷେଇ ଏବଂ କୁକୁଡା ଚାଷ କରି ଛାତ ଘରଟିଏ କରିଛନ୍ତି । ସେହି ଛାତ ଉପରେ କିଚେନ୍ ଗାର୍ଡେନ୍ କରି ଚର୍ଚ୍ଚାକୁ ଆସିଛନ୍ତି । ଖରା ଦାଉରୁ କିଚେନ୍ ଗାର୍ଡେନର ସୁରକ୍ଷା ପାଇଁ ଫଟା ଜରି, ଝୋଟ ଅଖା ବ୍ୟବହାର କରିଥାନ୍ତି । ଏହାସହ ପୋଖରୀ ପାଣିକୁ ସ୍ୱାଭାବିକ ଗରମ ରଖିବା ପାଇଁ ପରିତ୍ୟକ୍ତ ଥର୍ମକୁଲ ବ୍ୟବହାର କରନ୍ତି । ବର୍ଷ ସାରା ଘର ପାଇଁ ପନିପରିବା ଓ ମାଛ କିଚେନ୍ ଗାର୍ଡେନରୁ ଭରଣ କରିଥାନ୍ତି ନନ୍ଦ କିଶୋର । ବଳକା ପରିବାକୁ ବିକି ଏକ ଟିଣ ଡବାରେ ସାଇତି ରଖନ୍ତି । ପରେ ବିଭିନ୍ନ ବସ୍ତିକୁ ଯାଇ ଗରିବ ଲୋକଙ୍କୁ ସେହି ସଂଚିତ ଅର୍ଥ ବାଂଟିଥାନ୍ତି । ପାଂଚ ବର୍ଷ ହେଲା ନନ୍ଦ କିଶୋର ଏହି କାମରେ ଲାଗିଛନ୍ତି ।

ଅଭାବକୁ ଅତିପାଖରୁ ଦେଖିଥିବା ବ୍ୟକ୍ତି ଜଣଙ୍କ ବସ୍ତି ବାସିନ୍ଦାଙ୍କ କଲ୍ୟାଣ ପାଇଁ କାମ କରି ଆତ୍ମତୃପ୍ତି ଲାଭ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଗକୁ ଅଧିକ ଅର୍ଥ ସଂଚୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପଠାଇବା ପାଇଁ ମନସ୍ତ କରିଛନ୍ତି ନନ୍ଦ କିଶୋର ।