ଜଙ୍ଗଲ ଜମି ଜବରଦଖଲ ମୁକ୍ତ କର ! କିସ୍ ଦ୍ୱାରା ବ୍ୟବହୃତ ୧୮ ଏକର ଜମିରେ ବାଡ଼ ବୁଲାଅ

50

କନକ ବ୍ୟୁରୋ : କିଟ୍ ଓ କିସ୍ ମାଡ଼ି ବସିଥିବା ୧୮ ଏକର ଗ୍ରାମ୍ୟ ଜଙ୍ଗଲ ଜମିକୁ ଅବରୋଧ ମୁକ୍ତ କର । ଖାଲି ଏତିକି ନୁହେଁ, ଏହି ଜମି ଚାରିପାଖରେ ବାଡ଼ ବୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସ୍ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ । ଏନ୍ଜିଟି-କୋଲକତାଙ୍କ ଏହି ରାୟ ଦ୍ୱାରା କିସ୍ ବ୍ୟବହାର କରୁଥିବା ୧୮ ଏକର ଜମିରେ ଏହାର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଖେଳିପାରିବେ ନାହିଁ । ଅର୍ଥାତ କିସ୍ ଆଉ ଏହି ଜମିକୁ ବ୍ୟବହାର କରିପାରିବ ନାହିଁ ।

ଏ ହେଉଛି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍-ଏନ୍ଜିଟି-କୋଲକାତାର ୨୧ ତାରିଖ ଆଦେଶର ନକଲ । ଆଦେଶରେ କୁହାଯାଇଛି-ଚନ୍ଦକା, ପଥରଗାଡ଼ିଆ ଅଂଚଳରେ କିସ୍ ଅବରୋଧ କରିଥିବା ୧୮ ଏକର ଜମି ଗ୍ରାମ୍ୟ ଜଙ୍ଗଲ କିସର । ଯାହାକୁ ରାଜ୍ୟ ସରକାର ସ୍ୱୀକାର ବି କରିସାରିଛନ୍ତି । ତୁରନ୍ତ ଏହାକୁ ଅବରୋଧ ମୁକ୍ତ କର ।

ତେବେ ଏହାରି ଭିତରେ କିସ୍ ଏନଜିଟିରେ ଯୁକ୍ତି ବାଢିଥିଲା । କହିଥିଲା, ଏହାର ଆଦିବାସୀ ଛାତ୍ରଛାତ୍ରୀ ମାନେ ଜମିକୁ ଖେଳପଡ଼ିଆ ଭାବେ ବ୍ୟବହାର କରୁଛନ୍ତି । କୈାଣସି ପ୍ରକାରର ଅବରୋଧ ହୋଇନାହିଁ । ହେଲେ ଏହାର କୈାଣସି ପ୍ରଭାବ ଏନଜିଟିଙ୍କ ରାୟ ଉପରେ ପଡିନି । କୋର୍ଟ କହିଛନ୍ତି, ଜଙ୍ଗଲ ଜମିକୁ ଚିହ୍ନଟ କରି ଚାରିପଟେ ପାଚେରୀ ବୁଲାଅ । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଚନ୍ଦକା ଡିଏଫ୍ଓଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ରିବୁନାଲ୍ କିସ୍-ଜଙ୍ଗଲ ଜମି ଅବରୋଧ ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୨୭ ତାରିଖକୁ ରଖିଛନ୍ତି । ଗତ ବର୍ଷ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଓଡ଼ିଶା ଜମି ଅବରୋଧ ନିରୋଧ ଆଇନ ଅନୁଯାୟୀ ୨୦୧୧ ମସିହାରେ ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । କିସ୍ ପକ୍ଷରୁ ଏ ନେଇ ପ୍ରତିକ୍ରିୟା ମିଳିନାହିଁ । ତେବେ ଆଗକୁ ରାଜ୍ୟ ସରକାର ଟ୍ରିବୁନାଲ୍ ନିର୍ଦ୍ଦେଶକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-