କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନରେ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । କିଶୋରଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ଆପାତତଃ ନିଆଯାଇଛି ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଲେ, ଆମେ ସବୁ ତାଙ୍କ ପାଇଁ ଲଢିବୁ । କିଶୋର ପୂର୍ବରୁ କଂଗ୍ରେସ ଟିକେଟରୁ ବିଧାୟକ ହେବା ସହ ମନ୍ତ୍ରୀ ରହି ସାରିଛନ୍ତି । ଅନ୍ୟପଟେ କିଶୋରଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଟିକେଟ ଦେଇ ବ୍ରଜରାଜନଗର ବାଜି ଜିତିବାକୁ କଂଗ୍ରେସ ଚାହୁଁଥିବା କୁହାଯାଉଛି । ଯେହେତୁ ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ ରହିଥିଲା ତେଣୁ ପୁଣି ଏହି ଆସନରେ କମବ୍ୟାକ କରିବାକୁ କିଶୋରଙ୍କୁ ପ୍ରାର୍ଥୀ କରିପାରେ ଦଳ ।
ଅନ୍ୟପଟେ ଉଭୟ ବିଜେପି ଓ ବିଜେଡି ବ୍ରଜରାଜନଗରରେ କାହାକୁ ପ୍ରାର୍ଥୀ କରିବେ ତାହା ଉପରୁ ଏଯାବତ ପରଦା ହଟିନି । ବିଜେଡି ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଲି ଦାସ ଓ ସ୍ୱଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନବୀନ କାହା ନାଁରେ ମୋହର ମାରିବେ ତାହା ଏଯାବତ ସ୍ପଷ୍ଟ ହୋଇନି । ସେହିଭଳି ବିଜେପିରେ ମଧ୍ୟ ସମାନ ସ୍ଥିତି । ବିଜେପିର ଅନେକ ଆଶାୟୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ରେସରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ସୁଜିତ ସିଂ ସବୁଠୁ ଆଗରେ ରହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପିର ଗୋଟିଏ ଗୋଷ୍ଠୀ ରାଧାରାଣୀଙ୍କ ସମର୍ଥନରେ ବାହାରିଥିବା ବେଳେ ଅନ୍ୟ ଗୋଷ୍ଠୀ ସୁଜିତଙ୍କୁ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବାର ଚର୍ଚ୍ଚା ହେଉଛି । ଯେହେତୁ ରାଧାରାଣୀ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ତେଣୁ ତାଙ୍କ ବଦଳରେ ଯୁବ ଚେହେରା ସୁଜିତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି ଏହି ଗୋଷ୍ଠୀ କହି ଆସୁଛି । ଆଉ ଏସବୁ ଭିତରେ ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀତ୍ୱ କାର୍ଡ ଖୋଲି ନାହାନ୍ତି । ଯାହା ବ୍ରଜରାଜନଗର ରାଜନୀତିକୁ ରୋଚକ କରିଛି ।