୨୫ ବର୍ଷ ପୂର୍ବେ ନରେନ୍ଦ୍ର ମୋଦିଙ୍କ ସହ ଯାଇଥିଲେ ଆମେରିକା, ଆଜି ମୋଦିଙ୍କ ନୂଆ ସରକାରରେ ହୋଇପାରନ୍ତି ମନ୍ତ୍ରୀ । ଜାଣନ୍ତୁ କିଶନ ରେଡ୍ଡୀ କିଏ

657

ବରିଷ୍ଠ ବିଜେପି ନେତା ଓ ସିକନ୍ଦରାବାଦରୁ ସାଂସଦ ଜି, କିଶନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାରରେ ମନ୍ତ୍ରୀ ହୋଇପାରନ୍ତି । ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଶନ ରେଡ୍ଡୀଙ୍କୁ ଫୋନ୍ କଲ୍ ମଧ୍ୟ ଯାଇଛି । କୁହାଯାଉଛି କି, ତେଲେଙ୍ଗାନାରେ ପ୍ରଥମ ଥର ବିଜେପି ୪ଟି ଲୋକସଭା ସିଟ୍ ଜିତିଛି । ଏହି ୪ଟି ସିଟରେ ବିଜେପିକୁ ଜିତାଇବାରେ ଜି. କିଶନ ରେଡ୍ଡୀଙ୍କ ବଡ ଭୂମିକା ରହିଛି । ସେଥିପାଇଁ ବିଜେପି ମୁଖ୍ୟ କିଶନଙ୍କୁ ମନ୍ତ୍ରୀ ପଦ ଦେଇପାରନ୍ତି । ସେଥିପାଇଁ ସେ ଦିଲ୍ଲୀ ମଧ୍ୟ ଯାଇଛନ୍ତି ।

ତେଲେଙ୍ଗାନାର ସାଧାରଣ ପରିବାରରୁ ଆସିଥିବା କିଶନ ରେଡ୍ଡୀଙ୍କ ବିଷୟରେ କୁହାଯାଏ କି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ଲୋକ । ରେଡ୍ଡୀଙ୍କ କିଛି ଫଟୋ ମଧ୍ୟ ଆସିଛି, ଯେଉଁଥିରେ ସେ ସଂଘରେ ରହିଲାବେଳେ ନରେନ୍ଦ୍ର ମୋଦିଙ୍କ ସହିତ ୧୯୯୪ରେ ଆମେରିକା ଗସ୍ତରେ ଯାଇଥିଲେ । ଜି. କିଶନ ରେଡ୍ଡୀଙ୍କ ରାଜନୈତିକ କ୍ୟାରିୟର ବିଷୟରେ କୁହାଯାଏ କି, ସେ ସ୍କୁଲ ଦିନରୁ ହିଁ ଆରଏସଏସ ସହିତ ଜଡିତ । ପୁଣି ସେ ୧୯୭୭ରେ ବିଜେପି କାର୍ଯ୍ୟକର୍ତ୍ତା ଭାବେ ସାମିଲ ହେଲେ, ଯାହାଙ୍କ ନେତୃତ୍ୱ ଜୟପ୍ରକାଶ ନାରାୟଣ କରିଥିଲେ । ୨୦୦୪ରେ ହିମାୟତ ନଗର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ନିର୍ବାଚନରେ ଓହ୍ଲାଇ ବିଜୟୀ ହୋଇଥିଲେ । ୨୦୦୯ ଓ ୨୦୧୪ରେ ବି ସେ ଜିତିଥିଲେ । ଏହା ବ୍ୟତୀତ ସେ ୩ଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ବିଜେପି ପ୍ରଦେଶ ଅଧ୍ୟକ୍ଷ ରହିସାରିଛନ୍ତି ଓ ତେଲେଙ୍ଗାନାରେ ବି ୟୁନିଟ୍ ମୁଖ୍ୟ ରହିସାରିଛନ୍ତି ।