ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କୋର୍ଟ କହିଲେ, ଟ୍ରାକ୍ଟର ମାର୍ଚ୍ଚ ନେଇ ନିଷ୍ପତ୍ତି ନେଉ ପୋଲିସ୍; ଦିଲ୍ଲୀକୁ କିଏ ଆସିବ ପୋଲିସ ଉପରେ ନିର୍ଭର କରିବ

ପୋଲିସ୍ କଣ କରିବ କହିପାରିବେ ନାହିଁ କୋର୍ଟ । ଆସନ୍ତା ବୁଧବାର ପରବର୍ତ୍ତୀ ଶୁଣାଣି

152

କନକ ବ୍ୟୁରୋ: କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି  । ସୁପ୍ରିମକୋର୍ଟ କହିଛନ୍ତି  ଯେ, ପୁଲିସର ଅନୁମତିରେ ରାମଲିଲା ମୈଦାନରେ କରିପାରିବେ ପ୍ରଦର୍ଶନ । ଏହା ସହ ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତ୍ତି କରିବ ପୋଲିସ । ତେବେ ପ୍ରଦର୍ଶନ ନେଇ ବୁଧବାର ଦିନ ହେବ ପରବର୍ତ୍ତୀ ଶୁଣାଣି ।  ସେପଟେ, କୃଷକ ଆଇନ ବିରୋଧରେ  ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ ।

ଅନ୍ୟପକ୍ଷରେ ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଛନ୍ତି ।  ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏଭଳି ଶୋଭାଯାତ୍ରାକୁ ଅନୁମତି ଦେବେ ନା ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଥିଲା । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ପିଟିସନରେ କୁହାଯାଇଥିଲା ଯେ,  ଶୋଭାଯାତ୍ରା ଯୋଗୁଁ  ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ ।

ସେପଟେ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ’ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏଥିସହ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ବାତିଲ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।