ଆରୟନ ଡ୍ରଗ୍ସ କେସ ମାମଲାର ସାକ୍ଷୀ କିରଣ ଗୋସାଭି ଗିରଫ : ଗୋସାଭିକୁ ବାନ୍ଧିଲା ପୁଣେ ପୁଲିସ

ସେପଟେ ଆଜି ମୁୁମ୍ବାଇ ହାଇକୋର୍ଟରେ ପୁଣି ହେବ ଆରୟନଙ୍କ ଜାମିନ୍ ଶୁଣାଣି

143

କନକ ବ୍ୟୁରୋ : ମୁମ୍ବାଇ ଡ୍ରଗ୍ସ ମାମଲାର ସାକ୍ଷୀ କିରଣ ଗୋସାଭିଙ୍କୁ ପୁଲିସ ଗିରଫ କରିଛି । ଗୋସାଭି କିଛି ଦିନ ହେଲା ଫେରାର ଥିଲେ । ମହାରାଷ୍ଟ୍ରର ପୁନେରୁ ସେ ଗିରଫ ହୋଇଛନ୍ତି । ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲ ଅଭିଯୋଗ କରିଥିଲେ ଯେ, ଆରୟନଙ୍କୁ ଛାଡିବା ଲାଗି କିରଣ ଗୋସାଭି ଡିଲ କରିଥିଲେ । ପ୍ରଭାକର ନିଜକୁ ଗୋସାଭିର ବଡିଗାର୍ଡ ବୋଲି ଦାବି କରୁଛନ୍ତି । ପ୍ରଭାକର କହିଥିଲେ, ପାର୍ଟିରେ ରେଡ ସମୟରେ ସେ ଗୋସାଭି ସହ ଥିଲେ ।

ଏହି ସମୟରେ ଗୋସାଭି ଜଣେ ବ୍ୟକ୍ତିଙ୍କୁ ଫୋନ କରି ୨୫ କୋଟିରୁ ୧୮ କୋଟି ଯାଏଁ ଡିଲ୍ ଫିକ୍ସ କରିବା ପାଇଁ କଥା ହେଉଥିଲେ । ଏପରିକି ସେ ୮ କୋଟି ଟଙ୍କା ଏସନିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଦେବା କଥା କୁହାଯାଉଥିଲା । କିରଣ ଗୋସାଭି ଆରୟନ ଖାନଙ୍କ ସହ ଏକ ସେଲଫିକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ସମୟରେ ଗୋସାଭି ଏନସିବି ଅଧିକାରୀ ବୋଲି ସନ୍ଦେହ କରାଯାଉଥିଲା । ପରେ ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଥିଲ ଯେ, ସେ ଏକ ପ୍ଲେସମେଂଟ ଏଜେନ୍ସିର ମାଲିକ । କିରଣ ଗୋସାଭି ଡ୍ରଗ୍ସ ମାମଲାରେ ୧୦ ଜଣ ସାକ୍ଷୀଙ୍କ ମଧ୍ୟରୁ ଜଣେ ବୋଲି ଜଣାପଡିଛି ।

ସେପଟେ, ଆରୟନ ଖାନଙ୍କୁ କେବେ ମିଳିବ ବେଲ୍ । ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଏହି ଷ୍ଟାରକିଡଙ୍କୁ ମିଳିନି ଜାମିନି । ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆରୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରହତଗୀ । ଆରୟନଙ୍କ ଗିରଫ ଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରହତଗୀ । ଆରୟନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଛି ଏନସିବି । ସମୁଦ୍ର ମଝିରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଂଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି । ଆରୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରିଥିଲା । ତାପରେ ଆରୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି ।

ଏବଂ ତାପରେ ଆରୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ସେହି ଚାଟକୁ ଆଧାର କରି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବି ସମନ କରିଥିଲା ଏନସିବି । ଆଉ ପଚରାଉଚୁରା କରିଥିଲା । ଆରୟନଙ୍କର ଇଂଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ଥିବା ଚାଟରୁ ଜଣାପଡିଥିବା ଦାବି କରି ଆସୁଛି ଏନସିବି । ଆରୟନଙ୍କୁ ଜାମିନ ମିଳିଲେ ସେ ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଦର୍ଶାଇ ଜାମିନ ନଦେବାକୁ କୋର୍ଟରେ ଅପିଲ କରୁଛି । ଏନସିବିର ଦାବିକୁ ଯଥାର୍ଥ ଭାବି ଆରୟନଙ୍କୁ ଏପର୍ଯ୍ୟନ୍ତ ବେଲ୍ ଦେଇନାହାଁନ୍ତି କୋର୍ଟ । ତିନି ଦିନ ହେଲା ହାଇକୋର୍ଟରେ ଚାଲିଛି ଆରୟନଙ୍କ ଜାମିନ ଆବେଦନର ଶୁଣାଣି ।